ରେଡ୍ ଜୋନ୍ ଦେଇ ଗ୍ରୀନ୍ ଜୋନ୍‌କୁ ଯିବନି ବସ୍‌, ଯାତ୍ରୀ ଦେବେ ଦୁଇ ଗୁଣା ଭଡା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ କଟକଣା ସମୟରେ କେବଳ ଗ୍ରୀନ୍ ଜୋନରେ ହିଁ ସରକାରୀ ବସ୍ ଚାଲିପାରିବ । ଯାତ୍ରୀମାନଙ୍କୁ ଏଥି ପାଇଁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାଧାରଣ ଯାତ୍ରୀମାନଙ୍କର ସୁବିଧା ପାଇଁ ଗ୍ରୀନ ଜୋନ୍‌ରେ ସରକାରୀ ବସ ଚାଲିବ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ତରଫରୁ ପରିଚାଳିତ ହେବାକୁ ଥିବା ଏହି ବସ୍‌ଗୁଡ଼ିକ ରୋଡ ଜୋନ୍ ଦେଇ ଗ୍ରୀନ ଜୋନକୁ ଯିବ ନାହିଁ । ଘରୋଇ ବସ୍ ରାଜି ନ ହେବାରୁ ଓଏସ୍‌ଆରଟିସି ପକ୍ଷରୁ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯିବ । ଏଥି ପାଇଁ ସ୍ୱତନ୍ତ୍ର ଯାତାୟତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ପରିବହନ ମନ୍ତ୍ରୀ କହିଛନ୍ତି, ବସ୍‌ରେ ଥିବା ସିଟ ଗୁଡ଼ିକର ୫୦ ପ୍ରତିଶତ ସିଟରେ ଯାତ୍ରୀମାନେ ବସିବେ । ସାମାଜିକ ଦୂରତ୍ୱ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଗ୍ରୀନ ଜୋନରେ ଆଗାମୀ ଦିନରେ ଅଧିକ ବସ୍ ଚଳାଚଳ କରିବ ।

ସୂଚନାଯୋଗ୍ୟ, ଆଜି ସକାଳୁ କଟକରୁ ଏକ ସରକାରୀ ବସ ଭୁବନେଶ୍ୱରକୁ ଆସିଥିଲା । ଏଥିରେ ସରକାରୀ କର୍ମଚାରୀ ଥିଲେ । କଟକ ସହରର ସିଡିଏ-୯ରୁ ବସଟି ଛାଡ଼ିଥିଲା । ବସରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଥିଲେ । ବସ୍‌ଟି ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ପହଞ୍ଚିଥିଲା । ଏହି ବସଟି ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୧୫ରେ ବାହାରି କଟକ ଫେରିଯିବ ।

ସମ୍ବନ୍ଧିତ ଖବର