ଭୁବନେଶ୍ବର: ରାଜ୍ୟର ନାରୀଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ୁଛି। ମୋହନ ସରକାର ଆଜି କୌରବଙ୍କ ସଭାରେ ପରିଣତ ହୋଇଛି। ଯଦି ନାରୀଙ୍କ ସମ୍ମାନ ପାଇଁ ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିପାରିଲ, ତାହା ହେଲେ ରାଜ୍ୟର ନାରୀଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ କାହିଁକି ଅସମର୍ଥ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ବର୍ଷକ ଭିତରେ ବିଜେପି ସରକାରରେ ନାରୀ ନିର୍ଯାତନା ବିଜେଡି ସରକାରର ରେକର୍ଡକୁ ଟପିଗଲାଣି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତ ଭାର ଏପରି ଜଣେ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି, ଯାହାଙ୍କର ନୈତିକତା ଉପରେ ପ୍ରଶ୍ନ ଉଠିଲାଣି। ଯେଉଁ ଦଳିତ ବ୍ୟକ୍ତି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନ୍ୟାୟ ପାଇଁ ଗୁହାରି କରିଥିଲେ, ତାଙ୍କୁ ଏହି କ୍ରାଇମବ୍ରାଞ୍ଚ ଅଧିକାରୀ ଅତି ଅମାନୁଷିକ ବ୍ୟବହାର କରୁଥିବାର ଭିଡିଓ କଂଗ୍ରେସର ହସ୍ତଗତ ହୋଇଛି।
ପିସିସି ସଭାପତିଙ୍କ ଆହ୍ୱାନକ୍ରମେ ରାଜ୍ୟବାସୀଙ୍କୁ ଆସନ୍ତା ୨୪ ତାରିଖକୁ ଶ୍ରଦ୍ଧାଞ୍ଜଳି ଦିବସ ରୂପେ ପାଳନ କରିବା ପାଇଁ ନିବେଦନ କରାଯାଉଛି। ସେହିଦିନ ସକାଳ ୯ଟାରେ ରାଜ୍ୟବ୍ୟାପୀ ଶିକ୍ଷାନୁଷ୍ଠାନରେ ୧ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନାରୀ ନିର୍ଯାତନା ବିରୋଧରେ ନିରବ ପ୍ରତିବାଦ କରାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ର କଂଗ୍ରେସ ନେତା ଉଦିତ ପ୍ରଧାନଙ୍କୁ ଗିରଫ କରାଯିବା ପରେ ତାଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି। ଦଳ ତଦନ୍ତରେ ସହଯୋଗର ହାତ ବଢ଼ାଇଛି। ତେବେ ୪ ମାସ ତଳେ ଘଟିଥିବା ତଥାକଥିତ ଘଟଣାକୁ ନେଇ ହଠାତ୍ ଗିରଫ କରି କଂଗ୍ରେସର ନାରୀ ନ୍ୟାୟ ଆନ୍ଦୋଳନକୁ ସରକାର ଭଣ୍ଡୁର କରିଦେଇ ପାରିବେ ନାହିଁ। ବିଧିବଦ୍ଧ ତଦନ୍ତ ପରେ ଉଦିତ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ତାଙ୍କୁ ପୁଣିଥରେ ଦଳରେ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
ମୁଖପାତ୍ର ମନୀଷା ଦାସପଟ୍ଟନାୟକ କହିଲେ, ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଏକ ଗୃହ କମିଟି ଗଠନ ପ୍ରସ୍ତାବ ଦେଇଥିଲା। ମାତ୍ର ରାଜ୍ୟ ସରକାର ଏହି ପ୍ରସ୍ତାବକୁ ତାଚ୍ଛଲ୍ୟ କରି ଉଡ଼େଇଦେବା ସହ କଂଗ୍ରେସର ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲେ। ସେତେବେଳେ ଯଦି ସରକାର ଏହି ପ୍ରସ୍ତାବକୁ ଗୁରୁତ୍ୱର ସହ ନେଇଥାନ୍ତେ ତେବେ ଆଜି ନାରୀ ନିର୍ଯାତନାରେ ଓଡ଼ିଶା ରେକର୍ଡ ଭାଙ୍ଗୁ ନ ଥାନ୍ତା।
ମୁଖପାତ୍ର ଜୟଶ୍ରୀ ଗଣମାଧ୍ୟମରେ କହିଛନ୍ତି, ରାଜ୍ୟର ମହିଳା ଏବେ ଭୟରେ ପଦାକୁ ବାହାରିବା ପାଇଁ କୁଣ୍ଠାବୋଧ କଲେଣି। କିନ୍ତୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। ଏ ପର୍ଯ୍ୟନ୍ତ ମହିଳା କମିସନ ନିଯୁକ୍ତ କରି ପାରିଲେନି। ଆଗାମୀ ଦିନରେ ସରକାର ତାଙ୍କ ରିପୋର୍ଟ କାର୍ଡରେ ମହିଳା ନିର୍ଯାତନାରେ କିଭଳି ଓଡ଼ିଶା ରେକର୍ଡ ଭାଙ୍ଗିଛି, ତାହାକୁ ପ୍ରକାଶ କରିବାକୁ ସେ ଆହ୍ୱାନ ଜଣାଇଥିଲେ।