ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାରୀ ଦାବି: ଆମେ ଆଗରେ ରହିବୁ

ଜାତୀୟ ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ଅଧିକ, ମୁଣ୍ଡପିଛା ଆୟ ବଢ଼ିଛି, ବେକାରୀ, ଦାରିଦ୍ର୍ୟ କମିଛି

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୧୦.୧% ହାରରେ ଅର୍ଥାତ୍ ଉଚ୍ଚ ଅଭିବୃଦ୍ଧି ହାସଲ କରିବ; ଯାହା ଜାତୀୟ ହାର (୮.୮%) ଠାରୁ ଅଧିକ। ବିଧାନସଭାରେ ଆଜି ଉପସ୍ଥାପିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଏଭଳି ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଆସନ୍ତାବର୍ଷ ପାଇଁ ମଧ୍ୟ ଚିତ୍ର ଆଙ୍କିଛନ୍ତି ଯେ ଇତିମଧ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇସାରିଛି ଏବଂ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ତୈଳ ମୂଲ୍ୟରେ ସ୍ଥିରତା ରହିପାରେ। ଏଣୁ ୨୦୨୨-୨୩ରେ ରାଜ୍ୟର ଅଭିବୃଦ୍ଧି ୯-୯.୫% ରହିବା ବିଚିତ୍ର ନୁହେଁ। ହେଲେ ସରକାର ଆଶଙ୍କା ପ୍ରକାଶ କରୁଛନ୍ତି ଯେ ସଂପ୍ରତି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ପରିପ୍ରେକ୍ଷୀରେ ଆସନ୍ତାବର୍ଷ ଅର୍ଥନୀତି ବଡ ବିପଦର ସାମ୍ନା କରିପାରେ।

ଆସନ୍ତାକାଲି ୨୦୨୨-୨୩ ବର୍ଷ ଲାଗି ବାର୍ଷିକ ଆୟ ବ୍ୟୟ ଅଟକଳ ରିପୋର୍ଟ (ବଜେଟ୍‌) ଉପସ୍ଥାପନ ପୂର୍ବରୁ ଆଜିର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ରିପୋର୍ଟରେ ସରକାର ସ୍ପଷ୍ଟ ଭାବେ ଉଲ୍ଲେଖ କରୁଛନ୍ତି ଯେ କରୋନା ମହାମାରୀ କବଳରୁ ଆପାତତଃ ମୁକୁଳିଯାଇଛି ଓଡ଼ିଶା। ଭାରତର ଅନ୍ୟ ସବୁ ରାଜ୍ୟ ତୁଳନାରେ ଓଡ଼ିଶା ଏଣିକି ଅଧିକ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିବ। ଅର୍ଥାତ୍ ରାଜ୍ୟ ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଉଭା ହେବ। ହେଲେ ରାଜ୍ୟ ଅର୍ଥନୀତି ବନାମ ବର୍ତ୍ତମାନର ସ୍ଥିତି ସଂପର୍କରେ ଯେଉଁ ଚିତ୍ର ଆକଳନ କରାଯାଇଛି, ତାହା ଅର୍ଥନୈତିଜ୍ଞ ବିଶେଷଜ୍ଞମାନଙ୍କୁ ବିସ୍ମିତ କରୁଛି। ସବୁଠାରୁ ବଡ଼ କଥା ହେଲା, କୃଷି କ୍ଷେତ୍ର ଉପରେ ରାଜ୍ୟର ସବୁଠାରୁ ଅଧିକ ଲୋକ (୪୮%) ନିର୍ଭର କରୁଥିବା ବେଳେ ଏହି କ୍ଷେତ୍ରକୁ ଝଟ୍‌କା ଲାଗିଛି। ମୁଣ୍ଡପିଛା ଆୟ ଜାତୀୟ ହାର ଠାରୁ କମ୍ ରହିଛି ଏବଂ ଗରିବି କ୍ଷେତ୍ରରେ ମଧ୍ୟ ଅନୂରୂପ ଚିତ୍ର ଦେଖିବାକୁ ମିଳୁଛି। ତେବେ ସରକାର ଦାରିଦ୍ର୍ୟର ତୀବ୍ରତାକୁ ମାନକ (ଜାତୀୟସ୍ତରରେ ୪୭.୧୩% ବନାମ ଓଡ଼ିଶାରେ ୪୬.୪୨%) ଭାବେ ନେଇ ଏ କ୍ଷେତ୍ରରେ ଗୋଟିଏ ସକାରାତ୍ମକ ସଙ୍କେତ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି। ସେହିଭଳି ସହରାଞ୍ଚଳ ଅଭିବୃଦ୍ଧି ସଂପର୍କରେ ରିପୋର୍ଟରେ କୁହାଯାଇଛି, ଅଥଚ ଗ୍ରାମାଞ୍ଚଳ ଚିତ୍ର ନେଇ ନିରବ ଅଛନ୍ତି।

ପୂରା ରିପୋର୍ଟରେ ଅନେକ ସୁନେଲି ଚିତ୍ର ଅଙ୍କାଯାଇଥିଲେ ବି ଓଡ଼ିଶାର ୬୦ ଭାଗ ଲୋକ ନିର୍ଭର କରୁଥିବା କୃଷି ଓ ଆନୁଷଙ୍ଗିକ ବା ସହଯୋଗୀ କ୍ଷେତ୍ର ସଂପର୍କରେ ଯେଉଁ ତଥ୍ୟର ଅବତାରଣା କରାଯାଇଛି ତାହା ଆନ୍ଦୋଳିତ କଲାଭଳି। ଗତବର୍ଷ ଭଳି ଏବର୍ଷ ମଧ୍ୟ ଦେଶ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଏ କ୍ଷେତ୍ରରେ ଅତ୍ୟନ୍ତ ଖରାପ ରହିବ। ୨୦୨୧-୨୨ ବର୍ଷରେ ମଧ୍ୟ କୃଷି କ୍ଷେତ୍ରର ବିକାଶ ଘଟିନି ବରଂ ୩.୪% ସଙ୍କୁଚିତ ହୋଇଯାଇଛି। ସରକାର ଏଥିପାଇଁ ମରୁଡି, ଅନିୟମିତ ବୃଷ୍ଟିପାତ, ଜଵାଦ୍, ଗୁଲ୍ଲାବ, ୟାସ୍ ଭଳି ବାତ୍ୟାକୁ ଦାୟୀ କରିଛନ୍ତି। ତେବେ ୨୦୨୧-୨୨ରେ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ୧୪.୫%, ସେବା ଅଭିବୃଦ୍ଧି ୭.୯% ରହିଥିବା କୁହାଯାଇଛି। ରିପୋର୍ଟ କହୁଛି ଯେ ଶିଳ୍ପ କ୍ଷେତ୍ରର ଦୁଇ ଉପବିଭାଗ କୁହାଯାଉଥିବା ଉତ୍ପାଦନ ଶିଳ୍ପ (୧୪.୦୩%) ଓ ଖଣି ଶିଳ୍ପ (୧୮.୦୧%)ରେ ଚମତ୍କାର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଅଗ୍ରୀମ ଆକଳନ ଅନୁଯାୟୀ ଓଡ଼ିଶା ଅର୍ଥନୀତିକୁ କୃଷି କ୍ଷେତ୍ରରୁ ପ୍ରାୟ ୨୦.୬%, ଶିଳ୍ପ କ୍ଷେତ୍ରରୁ ୩୯.୫%, ଓ ସେବା କ୍ଷେତ୍ରରୁ ସର୍ବାଧିକ ୩୯.୯% ଅବଦାନ ରହିବ।

ଜାତୀୟ ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ଅଧିକ
ମୁଣ୍ଡପିଛା ଆୟ ବଢ଼ିଛି, ବେକାରୀ, ଦାରିଦ୍ର୍ୟ କମିଛି
କୃଷି କ୍ଷେତ୍ରରେ ଅଭିବୃଦ୍ଧି ନୁହେଁ, ୩.୪% ସଙ୍କୁଚିତ
ଖଣି ରାଜସ୍ବ ବୃଦ୍ଧି ରାଜ୍ୟ ପାଇଁ ସଂଜୀବନୀ ସାଜିଛି
ଅଭିବୃଦ୍ଧି ୧୦.୧%, ଆରବର୍ଷ ପାଇଁ ଯୁଦ୍ଧ ଭୟ

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଗତବର୍ଷ ତୁଳନାରେ ଏବର୍ଷ ମୁଣ୍ଡପିଛା ଆୟ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ସଂପର୍କରେ ସରକାର ଦାବି କରିଛନ୍ତି। ୨୦୧୨-୧୩ରୁ ୨୦୨୧-୨୨ ଦଶ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟରେ ହାରାହାରି ବୃଦ୍ଧି ୧୦.୩% ରହିଥିଲା, ଯାହା ସର୍ବଭାରତୀୟ ସ୍ତରର ୯.୧୫% ଠାରୁ ଢେର ଅଧିକ। ୨୦୧୧-୧୨ରେ ରାଜ୍ୟର ମୁଣ୍ଡପିଛା ଆୟ ୪୮,୪୯୯ ଟଙ୍କା ଥିଲା। ୨୦୨୦-୨୧ରେ ଏହା ୧ଲକ୍ଷ ୦୯ ହଜାର ୧୭୧ ଟଙ୍କା ଥିବା ବେଳେ ୨୦୨୧-୨୨ରେ ତାହା ୧,୨୭,୩୮୩ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଜାତୀୟ ମୁଣ୍ଡପିଛା ଆୟଠାରୁ ଏହା ଏବେବି କମ୍ ରହିଛି। କିନ୍ତୁ ଯେଉଁ ହାରରେ ଏହା ଆଗକୁ ବଢ଼ୁଛି ଖୁବ୍‌ଶୀଘ୍ର ଜାତୀୟ ହାରକୁ ପଛରେ ପକାଇ ଦେବ ବୋଲି ସର୍ଭେ ରିପୋର୍ଟରେ ଦାବି କରାଯାଇଛି। ୨୦୧୧-୧୨ ବେଳକୁ ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ସ୍ତର ଆୟର ୭୬% ଥିଲା। ୨୦୨୧-୨୨ ସୁଦ୍ଧା ଏହି ହାର ୮୪.୭%କୁ ବୃଦ୍ଧି ପାଇଛି।

ସମାନ୍ତରାଳ ଭାବେ ରାଜ୍ୟରେ ବେକାରୀ ହାର ହ୍ରାସ ପାଇଥିବା କୁହାଯାଉଛି। ୨୦୧୯-୨୦ରେ ସର୍ବଭାରତୀୟ ସ୍ତରରେ ବେକାରୀ ହାର ୪.୮% ଥିବା ବେଳେ ୨୦୧୯-୨୦ ବେଳକୁ ୬.୨%କୁ ଖସିଆସିଛି। ଏହାସତ୍ତ୍ବେ ରାଜ୍ୟରେ ବେକାରୀ ସ୍ଥିତି ଜାତୀୟ ହାର ଠାରୁ ଅଧିକ ରହିଥିବା ରିପୋର୍ଟ କହୁଛି।
ଦାରିଦ୍ର୍ୟ ଦୂରୀକରଣ ସଂପର୍କରେ ଅର୍ଥନୈତିକ ରିପୋର୍ଟ ଗୋଟିଏ ବଡ ସଙ୍କେତ ଦେଇଛି। ଓଡ଼ିଶାରେ ଗରିବି କମୁଥିବା ଏହି ରିପୋର୍ଟ ଉଲ୍ଲେଖ କରୁଛି। ନିତି ଆୟୋଗ ରିପୋର୍ଟକୁ ସରକାର ବିଚାରକୁ ନେଇଛନ୍ତି। କହିଛନ୍ତି ଯେ ଆୟୋଗଙ୍କ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଓଡ଼ିଶାର ଜନସଂଖ୍ୟାରେ ୨୯.୩୫ ପ୍ରତିଶତ ଦାରିଦ୍ର୍ୟ ରହିଛି, ଯାହାକି ଜାତୀୟସ୍ତର (୨୫.୦୧%) ଠାରୁ କମ୍। ତେବେ ଦାରିଦ୍ର୍ୟର ତୀବ୍ରତାକୁ ଯଦି ବିଚାରକୁ ନିଆଯିବ, ତେବେ ଓଡ଼ିଶାରେ ୪୬.୪୨% ଥିବା ବେଳେ ଜାତୀୟସ୍ତରରେ ଏହାର ପରିମାଣ ୪୭.୧୩% ରହିଛି। ମୁଦ୍ରାସ୍ପୀତି କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭାରତ ତୁଳନାରେ ବେଶ୍ ଭଲ ରହିଛି। ରାଜ୍ୟରେ ମିଳିତ ହାରାହାରି ଖାଉଟି ମୂଲ୍ୟ ସୂଚକାଙ୍କ ୨୦୨୧–୨୨ (ଏପ୍ରିଲ-ଜାନୁଆରି) ମଧ୍ୟରେ ୨.୭% ଥିଲା, ଯେତେବେଳେ ସର୍ବଭାରତୀୟସ୍ତରରେ ଏହା ୫.୩% ବୋଲି ହିସାବ କରାଯାଇଛି।

ଏସବୁକୁ ନେଇ ରାଜ୍ୟ ସରକାର ନିଜର ଆର୍ଥିକ ଅବସ୍ଥା ସଂପର୍କରେ ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ଆଶ୍ବାସନା ଦେଇଛନ୍ତି ଯେ କ୍ରମାଗତ ଭାବେ ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ଭାବେ ନିଜର ସ୍ଥାନକୁ ସୁରକ୍ଷିତ ରଖିଛି ଏବଂ ଆର୍ଥିକ ନିଅଣ୍ଟ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୩.୫% ଭିତରେ ରଖାଯାଇଛି। ରାଜ୍ୟର ରାଜସ୍ବ ଆଦାୟ ୨୦୨୦-୨୧ରେ ୧ଲକ୍ଷ ୦୭ ହଜାର ୨୦୦ କୋଟି ଆକଳନ କରାଯାଇଥିବା ବେଳେ ୨୦୨୧-୨୨ରେ ଏହା ୧୭.୨ ପ୍ରତିଶତ ବୃଦ୍ଧି ପାଇ ୧ଲକ୍ଷ ୨୫ ହଜାର ୬୦୦ କୋଟିରେ ପହଞ୍ଚିଛି। ଏଥିପାଇଁ ଖଣି କ୍ଷେତ୍ରକୁ ସରକାର ଇଙ୍ଗିତ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ପୂର୍ବବର୍ଷ ୧୩,୯୧୮ କୋଟି ଟଙ୍କା ଖଣିଜ କ୍ଷେତ୍ରରୁ ସଂଗ୍ରହ କରାଯାଇଥିଲା ଓ ୨୦୨୧-୨୨ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଖଣିଜ କ୍ଷେତ୍ରରୁ ୩୨,୪୮୫ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରାଯାଇଛି। ତେବେ ମୋଟ ଖର୍ଚ୍ଚର ୭୨.୭ ପ୍ରତିଶତ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହୋଇଛି, ଯାହା ଭଲ ବୋଲି କୁହାଯାଇପାରିବ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପ୍ରଭାବରେ ଦେଶର ଜିଡିପି ୨୦୨୦-୨୧ରେ ୬.୬% ହ୍ରାସ ପାଇଥିବା ବେ‌ଳେ ଓଡ଼ିଶାର ଜିଡିପିରେ ୫.୩ ପ୍ରତିଶତର ହ୍ରାସ ଘଟିଥିଲା। ମାତ୍ର, ରାଜ୍ୟ ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଥିଲା। ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାର ବାସ୍ତବ ଜିଡିପି ଅଭିବୃଦ୍ଧି ୪.୨ ପ୍ରତିଶତ ରହିଛି ଯାହା ଏହି ସମୟ ଖଣ୍ଡରେ ୧.୬ ପ୍ରତିଶତର ଜାତୀୟ ଅଭିବୃଦ୍ଧି ଠାରୁ ଅଧିକ।

ସମ୍ବନ୍ଧିତ ଖବର