ଭୁବନେଶ୍ବର : ସେପ୍ଟେମ୍ବର ମାସ ୧ ତାରିଖରୁ ଲାଗୁ ହେଲା କେନ୍ଦ୍ର ସରକାରଙ୍କ ମୋଟର ଯାନ ଆଇନ୍-୨୦୧୯। ଏହି ଦିନ ଠାରୁ ନଭେମ୍ବର ୧ ଭିତରେ ଅର୍ଥାତ ୩ ମାସରେ ଜରିମାନା ବାବଦକୁ ଆଦାୟ ହୋଇଛି ୧ କୋଟି ୫ ଲକ୍ଷ ଟଙ୍କା। ବିନା ଡ୍ରାଇଭିଂ ଲାଇସେନ୍ସ, ବିନା ବୀମା, ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ଗାଡ଼ି ଚଳାଉଥିବା ଲୋକ ଏବଂ ମଦ୍ୟପ ଡ୍ରାଇଭର୍ଙ୍କ ଠାରୁ ଏହି ଜରିମାନା ଆଦାୟ ହୋଇଛି। ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ତଥ୍ୟ ଦେଇଛନ୍ତି।
ସେପ୍ଟେମ୍ବର ୧ରୁ ନୂଆ ମୋଟର ଯାନ ଆଇନ ଲାଗୁ ହେଲା ପରେ ଓଡ଼ିଶା ସରକାର ଏହାକୁ ତତ୍କ୍ଷଣାତ କଡ଼ାକଡ଼ି କଲେ। ସାରା ରାଜ୍ୟରେ ଜୋର୍ଦାର୍ ଧରପଗଡ଼ ହେଲା। ପରିବହନ ବିଭାଗ ଓ ପୁଲିସ୍ ପକ୍ଷରୁ ଘନ ଘନ ଚଢ଼ଉ କରାଯାଇ ଜରିମାନା ଆଦାୟ ହେଲା। ତେବେ ଏ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ପରିବହନ ବିଭାଗ କର୍ମଚାରୀ ଓ ପୁଲିସ୍ ଉପରେ ଲୋକ ଆକ୍ରମଣ କଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚଢ଼ାଉ କୋହଳ କରିବା ସହ ସେହି ସମୟ ଭିତରେ କାଗଜପତ୍ର ଠିକ୍ କରାଇନେବାକୁ ଲୋକମାନଙ୍କୁ ପରାମର୍ଶ େଦଇଥିଲେ।
ଯେତିକି ଦିନ ଚଢ଼ଉ ଜୋର୍ଦାର୍ ହୋଇଥିଲା, ସେହି ସମୟରେ ବେଶ୍ ମୋଟା ଅଙ୍କର ଜରିମାନା ଆଦାୟ ହୋଇଥିଲା। ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଗାଡ଼ି ଚଳାଉଥିବା ବେଳେ ୫୩୧୭ ଜଣ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ୪୬ ଲକ୍ଷ ୮୫୦ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ବୀମା ନ ଥିବାରୁ ୨୧୧୧ ଜଣ ଧରାପଡ଼ିଥିଲେ ଓ ସେମାନଙ୍କ ଠାରୁ ୧୩ ଲକ୍ଷ ୭୯ ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ଗାଡ଼ି ଚଳାଉଥିବା ଲୋକଙ୍କ ଠାରୁ ୩୮ ଲକ୍ଷ ୧୬ ହଜାର ୧୧୦ ଓ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ଠାରୁ ୭ ଲକ୍ଷ ୩୮ ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୧୮ ସେପ୍ଟେମ୍ବର ତୁଳନାରେ ୨୦୧୯ ସେପ୍ଟେମ୍ବରରେ ଦୁର୍ଘଟଣା ହାର କମିଛି ବୋଲି ମନ୍ତ୍ରୀ ଜଣାଇଛନ୍ତି। ଗତ ବର୍ଷ ଏହି ମାସରେ ୮୪୪ଟି ସଡ଼କ ଦୁର୍ଘଟଣା ହୋଇଥିଲା ବେଳେ ଏ ବର୍ଷ ୭୦୨ଟି ଦୁର୍ଘଟଣା ଘଟିଛି।
ଭୂପିନ୍ଦର ସିଂହଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଜଣାଇଛନ୍ତି, ରାଜ୍ୟର ବିଭିନ୍ନ ବ୍ଲକ୍ରେ ଆର୍ଟିଓମାନେ ସ୍ବତନ୍ତ୍ର ଶିବିର ମାଧ୍ୟମେର ୨୮,୨୮୨ଟି ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିଛନ୍ତି।
ମୋଟର୍ ଯାନ ଆଇନ୍ ସଂକ୍ରାନ୍ତୀୟ ସୁରେଶ କୁମାର ରାଉତରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଦର୍ଶାଇଛନ୍ତି, ମୋଟର ଯାନ(ସଂଶୋଧନ) ଆଇନ୍, ୨୦୧୯ ଅନୁଯାୟୀ ନିୟମ ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଛି। ଆଇନ୍ ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ। ଜନସାଧାରଣ ନିୟମ ପାଳନ କରି ଗାଡ଼ି ଚଳାଇଲେ ଓ ଆବଶ୍ୟକ କାଗଜାତ ରଖିଥିଲେ ଜରିମାନା ଦେବାକୁ ପଡ଼ିବ ନାହିଁ। ସଡ଼କ ସୁରକ୍ଷା ନିମନ୍ତେ ଏହା ସହାୟକ ହେବ। ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଦଲାଲିରାଜ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Traffic-Checking-in-BBSR.jpg)