ବିଜୁଳି ଦେୟ ଦେଉନାହାନ୍ତି ସରକାରୀ କଲେଜ: ବାକି ପଡ଼ିଛି ୫୧ ଲକ୍ଷ, ଟିପିସିଓଡିଏଲ୍‌ର ଅସନ୍ତୋଷ

ତୁରନ୍ତ ବିଲ୍‌ ପୈଠ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନ ଦୀର୍ଘ ଦିନ ହେଲା ବିଦ୍ୟୁତ୍‌ ଦେୟ ପୈଠ କରିନାହାନ୍ତି। କାହାର ୧୧ ଲକ୍ଷ ଟଙ୍କା ବାକି ପଡ଼ିଛି ତ ଆଉ କାହାର ୮ ଲକ୍ଷ। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌(ଟିପିସିଓଡିଏଲ୍‌) ଅଧୀନ ଖୋର୍ଧା, ଅନୁଗୁଳ, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ବିଭାଗ ଅଧୀନ ୬୮ ଶିକ୍ଷାନୁଷ୍ଠାନର ୫୧ ଲକ୍ଷ ୨୯ ହଜାର ୧୫୯ ଟଙ୍କା ବକେୟା ପଡ଼ିଛି। ଯାହାକୁ ନେଇ ଟିପିସିଓଡିଏଲ୍‌ ସିଇଓ ଏମ୍‌ ସେନ୍‌ବାଗମ୍‌ ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଟିପିସିଓଡିଏଲ୍‌ ତଥ୍ୟ ଅନୁଯାୟୀ କୋଭିଡ୍‌-୧୯ର ଦ୍ବିତୀୟ ଲହରରେ ରାଜସ୍ବ ଆଦାୟ ବହୁ ପରିମାଣରେ ପ୍ରଭାବିତ ହୋଇଛି। ବିଶେଷକରି ଏପ୍ରିଲ ଓ ମେ’ ମାସରେ ବହୁ ଗ୍ରାହକ ବିଦ୍ୟୁତ୍‌ ବିଲ୍‌ ପୈଠ କରିନାହାନ୍ତି। ଯେଉଁଥିପାଇଁ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଲକ୍ଷ୍ୟ ନେଇ ଯେଉଁ ଯୋଜନା ରହିଥିଲା ତାହା ବାଧାପ୍ରାପ୍ତ ହେଉଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ କଲେଜଗୁଡ଼ିକ ଉପରେ ମେ’ ୨୧ ସୁଦ୍ଧା ୫୧ ଲକ୍ଷ ୨୯ ହଜାର ଟଙ୍କା ବକେୟା ରହିଛି। ସେଥିରେ ଅନୁଗୁଳ ଜିଲ୍ଲାରେ ୨୪ ଜଣ ଉପଭୋକ୍ତାଙ୍କର ୧୧ ଲକ୍ଷ ୭୧ ହଜାର ୭୩୨ ଟଙ୍କା ବକେୟା ରହିଛି। ସେହିପରି ପୁରୀରେ ୧୧ ଜଣ ଗ୍ରାହକଙ୍କର ୧୪ ଲକ୍ଷ ୬୬ ହଜାର ୫୩୩, ଖୋର୍ଧାରେ ୧୧ ଉପଭୋକ୍ତାଙ୍କର ୮ ଲକ୍ଷ ୪୯ ହଜାର ୮୨, ଢେଙ୍କାନାଳର ୧୧ ଜଣ ଉପଭୋକ୍ତାଙ୍କର ୫ ଲକ୍ଷ ୭୯ ହଜାର ୩୨୯, କଟକ ଜିଲ୍ଲାରେ ୮ ଜଣ ଗ୍ରାହକଙ୍କର ୫ ଲକ୍ଷ ୮୨ ହଜାର ୬୧ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୩ ଉପଭୋକ୍ତାଙ୍କର ୪ ଲକ୍ଷ ୭୯ ହଜାର ୮୭୦ ଟଙ୍କା ବକେୟା ପଡ଼ିଛି।

ଟିପିସିଓଡିଏଲ୍‌ର ଏଭଳି ଆଭିମୁଖ୍ୟ ପରେ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଯେତେଶୀଘ୍ର ସମ୍ଭବ ବକେୟା ବିଲ୍‌ ପୈଠ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଭୁବନେଶ୍ବରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ରାଜଧାନୀ କଲେଜ, ପୁରୀର ଏସ୍‌ସିଏସ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ମହିଳା କଲେଜ, କଟକର ଜେକେବିକେ କଲେଜ ଓ ଶୈଳବାଳା ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବିଭାଗୀୟ ଉପ ସଚିବ ସ୍ନିଗ୍ଧା ଚମ୍ପତ୍ତିରାୟ ଚିଠି ଲେଖିଛନ୍ତି। ଯଦି ଆବଶ୍ୟକୀୟ ଅର୍ଥ ନାହିଁ ତେବେ ଏସମ୍ପର୍କ‌ରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବା ଲାଗି ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର