ନକଲି ମଦ କାରବାର ନେଇ ସରକାରଙ୍କ ଚିନ୍ତା: ସମ୍ବେଦନଶୀଳ ତାଲିକାରେ ୧୩ ଜିଲ୍ଲା

କଟକ : ଅବକାରୀ ବିଭାଗ ୨୦୨୦ ବର୍ଷରେ ପାଖାପାଖି ୨୫ କୋଟି ଟଙ୍କାର ନକଲି ଓ ଚୋରା ମଦ ଜବତ କରିଥିଲା। କିନ୍ତୁ ୨୦୨୧ ବର୍ଷରେ ଏହି ପରିମାଣ ପାଖାପାଖି ୬୦ କୋଟି ଟଙ୍କାରେ ପହଞ୍ଚି ଥିଲା। ଅର୍ଥାତ ବର୍ଷକ ଭିତରେ ବେଆଇନ ମଦ ଜବତ ପରିମାଣ ୫୦ ପ୍ରତିଶତ ବଢ଼ିଯାଇଛି। ନୂଆ ବର୍ଷ ଆରମ୍ଭରୁ ଅର୍ଥାତ ୨୦୨୨ର ପ୍ରଥମ ୧୦ ଦିନରେ ୧ କୋଟି ୬୦ ଲକ୍ଷ ଟଙ୍କାର ଚୋରା ମଦ ଜବତ ହୋଇସାରିଲାଣି। ଏଭଳି ସ୍ଥିତିରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ନକଲି ଓ ଚୋରା ମଦ କାରବାର ଅସମ୍ଭାଳ ହେବା ଆଶଙ୍କାରେ ଅବକାରୀ ବିଭାଗର ଚିନ୍ତା ବଢିଛି।

ଫେବ୍ରୁଆରି ୧୬ ତାରିଖରୁ ୨୪ ତାରିଖ ଯାଏ ହେବ ରାଜ୍ୟରେ ପଂଚାୟତ ନିର୍ବାଚନ। ଜାନୁଆରି ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ସହ ଆରମ୍ଭ ହୋଇଯିବ ନିର୍ବାଚନୀ ପରିବେଶ। ଏଭଳି ସ୍ଥିତିରେ ଶସ୍ତା ନକଲି ମଦ ଦେଇ ପ୍ରାର୍ଥୀ ହୁଏତ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରି ପାରନ୍ତି। ଦେଶୀ ରନ୍ଧା ମଦ ଭଳି ଗ୍ରାମାଞ୍ଚଳରେ ବିଦେଶୀ ମଦ ବି ଅପମିଶ୍ରଣ ହେଉଛି। ନକଲି ବିଦେଶୀ ମଦ ଏବଂ ରାଜ୍ୟ ବାହାରୁ ଟିକସ୍ ଫାଙ୍କି କରି ଓଡ଼ିଶାକୁ ମଦ ଚାଲାଣ ହେଉଥିବା ପାଖାପାଖି ୨୦୦ ମାମଲା ୨୦୨୧ ବର୍ଷରେ ରାଜ୍ୟରେ ହୋଇଛି। ଅବକାରୀ ବିଭାଗର ସ୍କାନରରେ ଥିବା ଚୋରା ନିଶା କାରବାର ଜିଲ୍ଲା ତାଲିକାରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ସମେତ ଉତ୍ତର ବାଲେଶ୍ବର, ଖୋର୍ଧା ଜିଲ୍ଲା ବାଲୁଗାଁ, ନୟାଗଡ଼ ଜିଲ୍ଲାର ରଣପୁର, ଗଞ୍ଜାମ ଜିଲ୍ଲା ଆସ୍କା, ଭଦ୍ରକ ଜିଲ୍ଲା ଚାନ୍ଦବାଲି, ଚାନ୍ଦବାଲି ସୀମାବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ମୟୁରଭଞ୍ଜ ଜିଲ୍ଲା ଉଦଳା ଓ କପ୍ତିପଦା, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା, ଢେଙ୍କାନାଳ ଜିଲ୍ଲା ଭୁବନ ଓ ହିନ୍ଦୋଳ, ଝାରସୁଗୁଡ଼ା ଓ ରାଉରକେଲା, ଯାଜପୁର, ନବରଙ୍ଗପୁର ଜିଲ୍ଲା ରହିଛି। ସବୁଠାରୁ ଅଧିକ ସମ୍ବେଦନଶୀଳ ରହିଛି କଟକ ଜିଲ୍ଲା। ନୟାଗଡ଼ ଜିଲ୍ଲା ସୀମାବର୍ତ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକର ପାଇକ ବାରବାଟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସୀମାବର୍ତ୍ତି କଟକର ନରସିଂହପୁର ବ୍ଲକ, ଆଠଗଡ଼ ବ୍ଲକର ବାସୁଦେବପୁର, ସଠିଲୋ, ଶାନ୍ତାଣିବାଟି, ଖୁଣ୍ଟୁଣୀର ମହାଲକ୍ଷ୍ମୀପୁର, ଛେନା ଖିଆ, ଚୌଦ୍ବାରର ନୂଆପାଟଣା, ଶଙ୍କରପୁର, ପଦାଗାଁ, ଶାଳଗାଁ ସମେତ ବଡମ୍ବା, ବାଙ୍କୀ ବ୍ଲକରେ ବି ମାଫିଆ ସକ୍ରିୟ ଥିବା ଅବକାରୀ ବିଭାଗ ଗୁଇନ୍ଦା ରିପୋର୍ଟ ହସ୍ତଗତ କରିଛି। ଏହି ୧୩ ଜିଲ୍ଲାକୁ ଅବକାରୀ ବିଭାଗ ପକ୍ଷରୁ ଅଧିକ ସତର୍କ ରହିବାକୁ କୁହାଯାଇଛି।

Amar Ujala

ଅନ୍ୟପଟେ ରାଜ୍ୟରେ ଥିବା ଲାଇସେନ୍ସପ୍ରାପ୍ତ ୨ ହଜାର ୫୮ ମଦ ଦୋକାନୀଙ୍କ ଦୈନିକ କ୍ରୟ ଓ ବିକ୍ରୟର ହିସାବ ଯାଞ୍ଚ କରାଯିବ। ଦେଢ଼ ଲିଟରରୁ ଅଧିକ ଯେଭଳି ଜଣେ ଗ୍ରାହକଙ୍କୁ ଅଧିକ ମଦ ଦିଆଯିବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ଯେଉଁ ଲାଇସେନ୍ସପ୍ରାପ୍ତ ସରକାରୀ ଦୋକାନୀ ଯେତେ ପରିମାଣରେ ମଦ ଡିପୋରୁ ଉଠାଇଥିବେ ଏହାବାଦ୍ ଅଧିକ ମଦ ଦୋକାନରେ ଗଚ୍ଛିତ ଥିଲେ ଦୋକାନ ସିଲ୍ କରାଯିବ। ରାଜ୍ୟକୁ ଟିକସ୍ ଫାଙ୍କି ମଦ ଲାଇସେନ୍ସପ୍ରାପ୍ତ ଦୋକାନୀ ପଞ୍ଚାୟତ ନିର୍ବାଚନ ସମୟରେ ଅଧିକ ବିକ୍ରି କରିବାର ଆଶଙ୍କା ଥିବାରୁ ଲାଇସେନ୍ସପ୍ରାପ୍ତ ଦୋକାନରେ ନିୟମିତ ଷ୍ଟକ୍ ଯାଞ୍ଚ ପାଇଁ ଏଭଳି କଡ଼ା ଚେତାବନୀ ଦିଆଯାଇଛି। ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଦେୟମୁକ୍ତ ଯୋଗାଯୋଗ ନମ୍ବର ୧୮୦୦୩୪୫୬୭୧୩ ସର୍ବସାଧାରଣଙ୍କ ପାଇଁ ଜାରି କରାଯାଇଛି। ଏହି ନମ୍ବରରେ ଜନସାଧାରଣ ନିର୍ବାଚନ ପୂର୍ବରୁ ଓ ସମୟରେ ଚୋରା ଓ ବେଆଇନ ମଦ ଚାଲାଣ ସମ୍ପର୍କରେ ସୂଚନା ଦେବାକୁ ଅବକାରୀ ବିଭାଗ ପରାମର୍ଶ ଦେଇଛି। ପ୍ରତି ଜିଲ୍ଲାରେ ଅବକାରୀ ଏସପି ଅଫିସରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ ମଧ୍ୟ ଜିଲ୍ଲାରୁ ଜନସାଧାରଣଙ୍କ ଅଭିଯୋଗ ଆଧାରରେ ତୁରନ୍ତ ସ୍କ୍ବାଡ୍ ପଠାଇ ଚଢ଼ଉ କରିବେ।

ଏସପିଙ୍କ ଅଧୀନରେ ଜଣେ ଇନସ୍ପେକ୍ଟର ପାହ୍ୟାର ଅଧିକାରୀଙ୍କୁ ନେଇ ସ୍କ୍ବାଡ୍ ଗଠନ ହୋଇଛି। ନିୟମିତ ଚଢ଼ଉ କରିବା ସହିତ ଏହାର ରିପୋର୍ଟ ଅବକାରୀ ଏସପିଙ୍କ ନିକଟରେ ନିୟମିତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସୋମବାର ୧୭ ତାରିଖରେ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାର ଏସପିଙ୍କ ସହିତ ପଞ୍ଚାୟତ ନିର୍ବାଚନରେ ନିଶା କାରବାର ରୋକିବାକୁ ରଣନୀତି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର ଯୋଜନା ରହିଛି। ଅବକାରୀ କମିସନର ଆଶିଷ କୁମାର ସିଂହ କହିଛନ୍ତି ଯେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ବେଆଇନ ଓ ଚୋରା ମଦ କାରବାର ରୋକିବା ପାଇଁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରରେ ବି ଚଢ଼ଉ ଆରମ୍ଭ ହୋଇସାରିଲାଣି। ଜିଲ୍ଲା ପୁଲିସ ସହିତ ମିଶି ଅବକାରୀ ବିଭାଗ ଅପରେସନ୍ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର