କେନ୍ଦୁଝର : ଧାନ ବିହନ କିଣାରେ ସରକାରୀ ସର୍ତ୍ତ ଚାଷୀଙ୍କୁ ଅସୁବିଧାରେ ପକାଉଛି। ଗତବର୍ଷ ବିହନ କିଣାରେ ରିଆତି ବ୍ୟବସ୍ଥା ଅଡ଼ୁଆ ସୃଷ୍ଟି କରିଥିବା ବେଳେ ଏବର୍ଷ ଆଗୁଆ ବୁକିଂ ବ୍ୟବସ୍ଥାରେ ଚାଷୀ ଛନ୍ଦି ‌ହୋଇଛନ୍ତି। ଫଳରେ ଚାଷୀ ସରକାରୀ ବଦଳରେ ଘରୋଇ କମ୍ପାନିର ବିହନ କିଣିବାକୁ ଆଗ୍ରହ ଦେଖାଉଛି। ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରାଯାଉନି ତ ବୋଲି ପ୍ରଶ୍ନ ହେଉଛି।

Advertisment

ଚଳିତବର୍ଷଠାରୁ ରାଜ୍ୟ ସରକାର ବିହନ କିଣିବା ପାଇଁ ପ୍ରି ବୁକିଂ ବ୍ୟବସ୍ଥା କରିଛନ୍ତି। ଗୋ-ସୁଗମ ଆପ୍‌ ମାଧ୍ୟମରେ ଚାଷୀ ନିଜର ନାମ ପଞ୍ଜୀକରଣ କରିବାପରେ ଆବଶ୍ୟକ ବିହନ ମୂଲ୍ୟର ୧୦ ପ୍ରତିଶତ ଦେଇ ବୁକିଂ କରିବେ। ଯଦି ବୁକିଂ ପରିମାଣ ଅନୁସାରେ ବିହନ ନନିଏ, ତେବେ ୧୦ ପ୍ରତିଶତ ଜମା ରାଶି ଫେରସ୍ତ ମିଳିବ ନାହିଁ। ଚାଷୀଙ୍କୁ ଅନ୍‌ଲାଇନ୍‌ ବୁକିଂ ବ୍ୟବସ୍ଥା ଅଡୁଆ ସୃଷ୍ଟି କରୁଥିବା ବେଳେ ବିହନ ମୂଲ୍ୟର ୧୦ ପ୍ରତିଶତ ଜମା ରାଶି ଫେରସ୍ତ ନ ମିଳିବା ସର୍ତ୍ତ ଅଧିକ ବିବ୍ରତ କରୁଛି। କୌଣସି କାରଣରୁ ବୁକିଂ କରିଥିବା ପରିମାଣର ବିହନ ନନେଲେ ୧୦ ପ୍ରତିଶତ ଜମାରାଶି ବୁଡ଼ିଯିବାର ଭୟ ରହୁଥିବାରୁ କେବଳ କେନ୍ଦୁଝର ନୁହେଁ, ରାଜ୍ୟର କୌଣସି ଜିଲ୍ଲାରେ ଏହି ପ୍ରି ବୁକିଂ ବ୍ୟବସ୍ଥା ସଫଳ ହୋଇ ପାରୁନାହିଁ।

publive-image Hindu Tamil

କେନ୍ଦୁଝର ଜିଲ୍ଲା‌ରେ ବିହନର ପ୍ରି ବୁକିଂ ପାଇଁ ‌ମୋଟ ୨୧୦୦ କୁଇଣ୍ଟାଲ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ମାତ୍ର ଏଥିରୁ ୪୫୦ କୁଇଣ୍ଟାଲ ପ୍ରି ବୁକିଂ ହୋଇଛି। ଅର୍ଥାତ୍‌ ମୂଳ ଲକ୍ଷ୍ୟଧାର୍ଯ୍ୟଠାରୁ ୨୫ ପ୍ରତିଶତରୁ କମ୍‌ ବୁକିଂ ହୋଇଛି। କେନ୍ଦୁଝର ଜିଲ୍ଲାର ‌୧୩ଟି ବ୍ଲକରୁ ସଦର ବ୍ଲକରେ ୨୦୦ କୁଇଣ୍ଟାଲ ପ୍ରି ବୁକିଂ ଲକ୍ଷ୍ୟ ଥିଲା। ମାତ୍ର, ଏଠା‌ରେ ୪.୬୭ କୁଇଣ୍ଟାଲ ବିହନର ପ୍ରି ବୁକିଂ ହୋଇଛି। କେବଳ ଯେ କେନ୍ଦୁଝର ଜିଲ୍ଲ‌ାରେ ଏଭଳି ସ୍ଥିତି ଦେଖାଦେଇଛି, ତାହା ନୁହେଁ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକର ବି ପ୍ରାୟ ସମାନ ସ୍ଥିତି। ବହୁଳ ଧାନଚାଷ ହେଉଥିବା ବରଗଡ଼ ଭଳି ଜିଲ୍ଲାରେ ମାତ୍ର ୨୨.୨୦ କୁଇଣ୍ଟାଲ ଧାନ ବିହନ ଆଗୁଆ ବୁକିଂ ହୋଇଛି। ଜଗତସିଂହପୁରରେ ୧୯.୪୨ କୁଇଣ୍ଟାଲ ଏବଂ ବାଲେଶ୍ବର ଜିଲ୍ଲାରେ ୧୮.୪୪ କୁଇଣ୍ଟାଲ ବିହନ ପ୍ରି ବୁକିଂ ହୋଇଛି।

ଗତବର୍ଷ ମଧ୍ୟ ଚାଷୀମାନେ ବିହନ କିଣିବାକୁ ନେଇ ଅଡୁଆ ପରିସ୍ଥିତିରେ ପଡ଼ିଥିଲେ। ସାଧାରଣତଃ ଚାଷୀମାନେ ବିହନ କିଣିବାବେଳେ ରିଆତି ଅର୍ଥକୁ କାଟି ବିହନର ମୂଲ୍ୟ ଦେଉଥିଲେ। କିନ୍ତୁ ଗତବର୍ଷ ଚାଷୀଙ୍କୁ ପ୍ରଥମେ ବିହନର ସଂପୂର୍ଣ୍ଣ ମୂଲ୍ୟ ‌ଦେଲେ ପରବର୍ତ୍ତୀ ସମୟରେ ରିଆତି ଅର୍ଥ ଚା​ଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ସର୍ତ୍ତ ରଖାଗଲା। ଫଳରେ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବିହନ କିଣାରେ ଅବ୍ୟବସ୍ଥା ହୋଇଥିଲା। ଏମିତିକି କେନ୍ଦୁଝର ଜିଲ୍ଲା‌ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଷୀ ସରକାରୀ ବିହନ ନେବାକୁ ଅମଙ୍ଗ ହୋଇଥିଲେ। ଏହି କାରଣରୁ ଗତବର୍ଷ ୮ ହଜାର କୁଇଣ୍ଟାଲ ବିହନ ବିକ୍ରିର ଲକ୍ଷ୍ୟ ଥିବାବେଳେ ୬ ହଜାର ୭୦୦ କୁଇଣ୍ଟାଲ ବିକ୍ରି ହୋଇଥିଲା। ପୂର୍ବରୁ ୨୦୧୬-୧୭ ମସିହାରେ ମଧ୍ୟ ଏଭଳି ରିଆତି ବ୍ୟବସ୍ଥାକୁ ନେଇ ଚାଷୀ ଅଡ଼ୁଆରେ ପଡିଥିଲେ। ଗ୍ରହଣୀୟ ନ ହେବାରୁ ଏହାକୁ କୃଷି ବଭାଗ ବନ୍ଦ କରି ଦେଇଥିଲା। ଘରୋଇ କଂପାନିର ଫାଇଦା ପାଇଁ ପ୍ରତିବର୍ଷ ନୂଆ ନୂଆ ସର୍ତ୍ତ ରଖାଯାଉଛି କି ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି।