ଭୁବନେଶ୍ବର: ପୂର୍ତ୍ତ ବିଭାଗର ମନଇଚ୍ଛା ନିୟମ, ଟେଣ୍ଡର ଫିକ୍ସିଂ ପାଇଁ ବାଟ ଖୋଲିବା, ଓଡ଼ିଆ ଠିକାଦାରଙ୍କୁ ଶୋଷଣ ପ୍ରତିବାଦରେ ଗତ ଏକ ସପ୍ତାହ ହେଲା ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ଆନ୍ଦୋଳନ କରୁଛି। ହେଲେ ସରକାର ଶୁଣୁନାହାନ୍ତି। ପରିଣାମ ହେଉଛି, ରାଜ୍ୟରେ ଏବେ ସରକାରଙ୍କ ସମସ୍ତ ଉନ୍ନୟନମୂଳକ ନିର୍ମାଣ କାମ ଠପ୍ ହୋଇଯାଇଛି। ରାସ୍ତା ଖୋଳା ହୋଇ ପଡ଼ିଛି, ସ୍ବେରେଜ୍ ପାଣି ରାସ୍ତାରେ ଭାସୁଛି, ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆଗଉନି, ବିଭିନ୍ନ ହସ୍ପିଟାଲର ନିର୍ମାଣ କାମ ବନ୍ଦ ହୋଇଯାଇଛି।
Advertisment
ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଓପିଡବ୍ଲୁଡି କୋଡ୍‌ ଅନୁଯାୟୀ ରାଜ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏବେ ସବୁ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଓପିଡବ୍ଲୁଡି କୋଡ୍‌ରେ ସଂଶୋଧନ ନଆଣିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ମିଳିତ ମଞ୍ଚ କହିଥିବାବେଳେ ପୂର୍ତ୍ତ ବିଭାଗ ବି ଏହାର ସମାଧାନ ବାଟ ବାହାର କରୁନି। ସପ୍ତାହବ୍ୟାପୀ ଚାଲିଥିବା ଏହି ଆନ୍ଦୋଳନରେ ପୂର୍ତ୍ତ, ଇଡ୍‌କୋ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାର ଏବଂ ଇଲେକ୍ଟ୍ରେିକାଲ ଠିକାଦାରମାନେ ସାମିଲ ହୋଇଛନ୍ତି। ତେଣୁ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ବିଭାଗର ଯେଉଁ ସବୁ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ତାହା ଏବେ ଅଧପନ୍ତରା ହୋଇପଡ଼ିଛି। ଏପରିକି ମାର୍ଚ୍ଚ ୩୧ ସୁଦ୍ଧା କାମ ନହେ‌ଲେ ଅର୍ଥ ଫେରିଯିବ। ଅର୍ଥ ଫେରିଗଲେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। 
ଠିକାଦାର ଆନ୍ଦୋଳନ ଘନଉଛି 
ମିଳିତ ମଞ୍ଚ-ଅଧିକାରୀସ୍ତରୀୟ ବୈଠକ ବିଫଳ
ମାର୍ଚ୍ଚ ୩୧ ସୁଦ୍ଧା ବହୁ ପ୍ରକଳ୍ପ କାମ ସରିବନି
ଆଜି ମିଳିତ ମଞ୍ଚର ପଦାଧିକାରୀଙ୍କ ସହ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ପାହ୍ୟାର ଅଧିକାରୀମାନେ ଆଲୋଚନା କରିଥିଲେ ହେଁ ଏହା ସଫଳ ହୋଇନି। ମିଳିତ ମଞ୍ଚର କହିବାନୁଯାୟୀ, ପୂର୍ତ୍ତ ବିଭାଗର ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିବା ସହ -୧୪.୯୯% ପ୍ରସଙ୍ଗକୁ ଛାଡ଼ି ଅନ୍ୟ ଦାବି ଉପରେ ଆଲୋଚନା କରିବାକୁ କହୁଛନ୍ତି। ହେଲେ ଏହି -୧୪.୯୯% ଉଠିବା ପରେ ବିଭିନ୍ନ ସମସ୍ୟା ଦେଖାଦେଉଥିବାରୁ ଏହା ଉପରେ ବିଚାର କରି କିଛି ପଦକ୍ଷେପ ନନେଲେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିବୁନି ବୋଲି ଜଣାଇଛୁ। ଓଡ଼ିଶା ଠିକାଦାର କଲ୍ୟାଣ ସଂଘର ସଭାପତି ଜଗଦୀଶ ପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଆଗାମୀ ଦିନରେ ଯେଉଁ ସବୁ କାମ କରିବେ ସେଥିରେ କିପରି ନିଜ ଲୋକଙ୍କୁ କାମ ଦେବେ ସେଥିପାଇଁ -୧୪.୯୯% ନିୟମ ହଟାଇଛନ୍ତି ଏବଂ ମନଇଚ୍ଛା ଯେତେ କମ୍‌ ବିଡିଂ ଡାକି କାମ କରିବା ନିୟମ ଆଣିଛନ୍ତି।
ଏହି ନିୟମରେ ବଡ଼ କେଁ ହେଉଛି, ବିଭାଗୀୟ ଯନ୍ତ୍ରୀ ନିଷ୍ପତ୍ତି ନେବେ ଯେ ଧାର୍ଯ୍ୟ ମୂଲ୍ୟଠାରୁ ଯଦି କୌଣସି କାମର ବିଡିଂ ଡକାଯାଏ ତେବେ କେଉଁ ଠିକାଦାର, ସଂସ୍ଥାକୁ କାମ ମିଳିବ ତାହା ସେମାନେ ନିଷ୍ପତ୍ତି ନେବେ। ହେଲେ କେତେ କମ୍ ହେଲେ କାମ ଦେବାର ନିଷ୍ପତ୍ତି ଇଞ୍ଜିନିୟର ନେବେ ତାହା ଉଲ୍ଲେଖ କରିନାହାନ୍ତି। ଏପରିକି ନିଜ ଲୋକ କାମ କଲେ ଯେପରି କମ୍‌ ଏପିଏସ୍ ଦେବେ ତାହା ବି ନିୟମ ଆଣିଛନ୍ତି। ଏହା କେବଳ ଆମ ଓଡ଼ିଆ ଠିକାଦାରଙ୍କୁ ଠିକା କାମରୁ ବିଦା କରିବାକୁ ବଡ଼ ଷଡ୍‌ଯନ୍ତ୍ର। ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି ଯେ ଶୁକ୍ରବାରଠାରୁ ଠିକାଦାରମାନେ ଲୋୟର ପିଏମ୍‌ଜିରେ ଆମରଣ ଅନଶନରେ ବସିବେ। ସରକାରଙ୍କ ତୋଗଲକି ନିୟମ ଯେତେଦିନ ପର୍ଯ୍ୟନ୍ତ ପ୍ରତ୍ୟାହାର ନହେବ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।