କୋମାରେ ସରକାରଙ୍କ କୋଭିଡ୍‌ ପରିଚାଳନା: ନରସିଂହ

କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ୱର : କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ। କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ବିଫଳ ସ୍ବାସ୍ଥ୍ୟ ବିଭାଗ ଏବେ କୋମାରେ। ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଏପରି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। କରୋନାକୁ ଆଳ କରି ସରକାର କିପରି ଦୁର୍ନୀତି କରିଛନ୍ତି, ସେସବୁକୁ ଗୃହରେ ଦଳ ମୁଖ୍ୟ ପ୍ରସଙ୍ଗ କରିବ। ଚାଷୀମାନଙ୍କୁ ଲୁଣ୍ଠନ କରିବା ପାଇଁ ରାଜ୍ୟ ସରକାର କିପରି କେନ୍ଦ୍ର ସରକାରଙ୍କ ସହ ହାତ ମିଳାଇଛନ୍ତି, ସେ ନେଇ ସ୍ବର ଉଠିବ। ଏହାସହିତ ନାରୀ ନିର୍ଯ୍ୟାତନା, ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପୁଲିସର ନିଷ୍କ୍ରିୟତାକୁ ଦଳ ପ୍ରସଙ୍ଗ କରିବ ବୋଲି ବୈଠକରେ ସ୍ଥିର ହୋଇଛି।

ଶ୍ରୀ ମିଶ୍ର ଅଭିଯୋଗ କରି କହିଛନ୍ତି, କୋଭିଡ୍‌ ପରିଚାଳନାରେ ସରକାରଙ୍କ ତ୍ରୁଟିକୁ ଖୋଦ ସରକାରୀ ଦଳର ବିଧାୟକ ଧରେଇ ଦେଇଛନ୍ତି। ବିରୋଧୀମାନେ ଯାହା କହୁଥିଲେ, ସେହି ସମାନ କଥା ଏବେ ଶାସକ ଦଳ ବିଧାୟକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ରାଜ୍ୟରେ କରୋନା ପରିଚାଳନାରେ କିପରି ବ୍ୟାପକ ଅନିୟମିତତା ହେଉଛି। କୋଭିଡ୍‌ ନିରାକରଣ କିମ୍ବା ପ୍ରତିରୋଧ କରିବା ବଦଳରେ ରାଜକୋଷକୁ ଲୁଣ୍ଠନ କରାଯାଉଛି। କରୋନା ନାଁରେ ବିବାଦୀୟ ମହାମାରୀ ଆଇନ ଅଧ୍ୟାଦେଶ ଅଣଯାଇଛି। କୋଭିଡ ସେଣ୍ଟରଗୁଡ଼ିକରେ ନାରୀ ନିର୍ଯ୍ୟାତନା ଦେଖିବାକୁ ମିଳୁଛି। ଅଥଚ ମାମଲାଗୁଡ଼ିକ ଚପାଇ ଦିଆଯାଉଛି। କେଉଁଟି ଆଇସିୟୁ ସୁବିଧା ଥିଲେ ଭେଣ୍ଟିଲେଟର ନାହିଁ କିମ୍ବା ଭେଣ୍ଟିଲେଟର ଥିଲେ ଆଇସିୟୁ ଅଭାବରୁ ରୋଗୀଙ୍କୁ ଚିକିତ୍ସା ମିଳିପାରୁନି। ସମସ୍ତ ବ୍ୟବସ୍ଥା ଥିଲେ ବି ଡାକ୍ତର ନଥିବାରୁ ଲୋକଙ୍କୁ ସ୍ବାସ୍ଥ୍ୟସେବା ମିଳୁନି। ଦିନ ଦ୍ବିପହରରେ ଡକାୟତି ହେଉଛି ଅଥଚ ପୁଲିସ କରୋନାକୁ ଆଳ କରି ସେସବକୁ ଆଖି ବୁଜିଦେଉଛି। ବିଭିନ୍ନ ସ୍ଥାନରେ ପିଇବା ପାଣି, ବିଜୁଳି ଯୋଗାଣରେ ବ୍ୟାପକ ଅଭାବ ପରିଲକ୍ଷିତ ହେଉଛି। ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଗୃହରେ ଜବାବ ମଗାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି।

ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ବିଧାୟକ ମହମ୍ମଦ ମୋକିମ ଓ ବିଧାୟକ ଦାଶରଥୀ ଗମାଙ୍ଗ ଯୋଗଦେଇଥିଲେ। ଅନ୍ୟ ଜରୁରୀ କାର୍ଯ୍ୟରେ ବ୍ୟସ୍ତତା କାରଣରୁ ବୈଠକରେ ଯୋଗ ଦେଇପାରିନଥିବା ଦଳର ବାକି ବିଧାୟକମାନେ ବିଧାୟକ ଦଳ ବୈଠକର ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି ପୂର୍ବରୁ ଜଣାଇ ଦେଇଥିଲେ।

ସମ୍ବନ୍ଧିତ ଖବର