ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେ୍‌ଜ ଘୋଷଣା କଲେ ରାଜ୍ୟ ସରକାର

୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ସ୍ୱଳ୍ପ ଓ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ‘ୟାସ୍‌’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ଘୋଷଣା ହେବା ପରେ ଛୋଟ ଓ ନାମମାତ୍ର ଚାଷୀମାନେ ମଧ୍ୟ ଇନ୍‌ପୁଟ ସହାୟତା ପାଇପାରିବେ । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା ହୋଇଛି । ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ସ୍ୱଳ୍ପ ଓ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରାଯିବ ।

ରାଜ୍ୟ ସରକାର ଚାଷୀମାନଙ୍କୁ କୃଷି ଯନ୍ତ୍ରୀକରଣ ପାଇଁ ୨୦ କୋଟି ଟଙ୍କାର ରିହାତି ଦେବେ । ଏହି ଟଙ୍କା ଚାଷୀଙ୍କୁ ଡିବିଟି ଜରିଆରେ ମିଳିବ । ଅଣ ଜଳସେଚିତ ଅଂଚଳ ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଦେବେ । ଜଳସେଚିତ ଅଂଚଳ ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ମିଳିବ । ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ସବୁଦିନିଆ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨ ହଜାର ଟଙ୍କା ସବସିଡି ମିଳିବ । ଧାଡ଼ି ରୁଆ ଚାଷୀମାନଙ୍କୁ ହେକ୍ଟର ପିଛା ୧୫୦୦ ଟଙ୍କା ସହାୟତା ମିଳିବ । ରୋଗ ପୋକ ମାରିବା ପାଇଁ ଆବଶ୍ୟକ ଇନପୁଟ ଚାଷୀଙ୍କ ଆକାଉଣ୍ଟକୁ ଯିବ ।

ଚାଷୀମାନଙ୍କୁ ରିହାତି ଦରରେ ୨ ହଜାର ପମ୍ପସେଟ ଓ ୩ ହଜାର ସ୍ପେୟର ଯୋଗାଇ ଦିଆଯିବ । ପମ୍ପସେଟ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ ହଜାର ଟଙ୍କା ମିଳିବ । ସରକାର ପାୱାର ସ୍ପେୟର ପାଇଁ ସର୍ବାଧିକ ୩୮୦୦ ଟଙ୍କା ରିହାତି ଦେବେ । ହାତରେ କରୁଥିବା ସ୍ପେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ମିଳିବ ।

ପ୍ୟାକେଜ ଅନୁସାରେ ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ ହଜାର ଟଙ୍କା ଘୋଷଣା ହୋଇଛି । ଖୀର ଦେଉ ନଥିବା ପ୍ରାଣୀଙ୍କ ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ । କୁକୁଡ଼ା ଚାଷୀଙ୍କ ପ୍ରତି କୁକୁଡା ପିଛା ୫୦ ହଜାର ଟଙ୍କା ସହାୟତା ଘୋଷଣା ହୋଇଛି । ସର୍ବାଧିକ ୫ ହଜାର ଟଙ୍କା ଲେଖାଏଁ ପ୍ରତି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ଦିଆଯିବ । ବାତ୍ୟାରେ ଭାଙ୍ଗିଯାଇଥିବା ଗୁହାଳର ପୁନଃ ନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ମିଳିବ ।

ସମ୍ବନ୍ଧିତ ଖବର