ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଯଦୁପୁର ‘ପରୀ’ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ଆଜି ବିଧାନସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ ଘୋଷଣା କରିଛନ୍ତି।  ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏଇ ଘଟଣାରେ ମନ୍ତ୍ରୀ ବିବୃତି ଦେବେ ବୋଲି କହିଥିଲେ। ଆଜି ବିବୃତି ରଖି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ପରୀ ମୃତ୍ୟୁ ମାମଲାରେ ସମୁଦାୟ ୩୪ ଜଣଙ୍କୁ ପଚରାଉଚରା କରାଯାଇଛି। ସମସ୍ତ ସଂଦିଗ୍ଧଙ୍କ କଲ ରେକର୍ଡ ଯାଞ୍ଚ କରାଯାଇଛି। ସମସ୍ତଙ୍କର ବ୍ୟାଙ୍କ କାରବାରକୁ ବି ତନଖି କରାଯାଇଛି ଏବଂ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଛି। ନୟାଗଡ ଏସଡିପିଓ ଏହି ମାମଲାର ତଦାରଖ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Advertisment

ନୟାଗଡ଼ ଜିଲ୍ଲା ପରୀ ମୃତ୍ୟୁ ଘଟଣାରେ ଗତକାଲି ତ‌ାଙ୍କ  ବାପା, ମା’ଙ୍କ ଆତ୍ମାହୁତି ଉଦ୍ୟମ ଓ ପୁଲିସ କାରନାମା ଏବଂ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକକୁ ସୁରକ୍ଷା ଦେବା ଅଭିଯୋଗରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ଚର୍ଚ୍ଚାକୁ ଆସିବା ଘଟଣା ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ବିଧାନସଭାରେ ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଗର୍ଜନ ତର୍ଜନ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଦାବି କରିଥିଲେ। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ଦମ୍ପତି ସୁରକ୍ଷା ବଳୟକୁ ଏଡ଼ାଇ ବିଧାନସଭା ସମ୍ମୁଖରେ ପହଞ୍ଚିଲେ, କେମିତି କେହି ଜାଣିପାରିଲେନି, ତାହାକୁ ନେଇ ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ। ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ଏହି ଘଟଣା ସଂପର୍କିତ ୪ଟି କଥା ଉପରେ ବିବୃତି ରଖିବାକୁ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦେଶ ଦେଇଥିଲେ। ବାଚସ୍ପତି କହିଛନ୍ତି, କେଉଁ ପରିସ୍ଥିତିରେ ପରୀର ବାପା, ମା’ ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଲେ ଓ ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କଲେ? ନୟାଗଡରେ ୩ ମାସ ହେଲା ମାମଲା ହୋଇଛି। କାହିଁକି ନୟାଗଡ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲାନି? ସେ ଦମ୍ପତି ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।