କଟକ: ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ପ୍ରାଇଭେଟ ପ୍ରାକ୍ଟିସ ବା ଘରୋଇ ଚିକିତ୍ସା ଉପରେ ସଂପୂର୍ଣ୍ଣ କଟକଣା ଜାରି ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ଜନସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ବୋଲି ହାଇକୋର୍ଟ ଆଜି ଶୁଣାଣି ବେଳେ ମତ ରଖିବା ସହିତ ଚାରି ସପ୍ତାହ ଭିତରେ ମାମଲାରେ ଜବାବ ରଖିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରୁଛନ୍ତି। ମେ’ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ଗରିବ ରୋଗୀଙ୍କୁ ଅନେକ ସମୟରେ ପରୋକ୍ଷରେ ଘରୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ କରାଯାଉଛି। ଜମି, ସୁନାଗହଣା ବିକ୍ରି କରି ଗରିବ ରୋଗୀ ଘରୋଇ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ପଇଠ କରୁଛନ୍ତି। ସରକାରୀ ଚିକିତ୍ସାଳୟର ଡାକ୍ତରମାନେ ଘରୋଇ ଚିକିତ୍ସା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। କେତେକ ରାଜ୍ୟରେ ସରକାରୀ ଡାକ୍ତରଖାନାର ଡାକ୍ତରଙ୍କୁ ଘରୋଇ ଚିକିତ୍ସା କରିବା ପାଇଁ ଅନୁମତି ନାହିଁ ବୋଲି ଶ୍ରୀ ଜେନା ଦର୍ଶାଇଥିଲେ।
ସରକାରୀ ଡାକ୍ତରଖାନାରେ ନିଜ ଦାୟିତ୍ବ ଠିକ୍ ଭାବେ ସଂପାଦନ ନ କରି ଡାକ୍ତର ଅଧିକ ଟଙ୍କା ପାଇବା ପାଇଁ ଘରୋଇ ଚିକିତ୍ସା କରୁଥିବାରୁ ସରକରୀ ଡାକ୍ତରଖାନା ଆସୁଥିବା େରାଗୀଙ୍କୁ ବହୁ ସମୟରେ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ଦିଆଯାଉ ନଥିବା ଅଭିଯୋଗ ହେଉଛି। ସରକାରୀ ବ୍ୟବସ୍ଥାରେ ଡାକ୍ତର ଯେଉଁଭଳି ରୋଗୀ ଚିକିତ୍ସା କରୁଛନ୍ତି ତା ଠାରୁ ଉତ୍ତମ ଧରଣର ଚିକିତ୍ସା ସଂପୃକ୍ତ ଡାକ୍ତର ଘରୋଇ ଡାକ୍ତରଖାନାରେ ପ୍ରଦାନ କରୁଛନ୍ତି। ଅନେକ ସମୟରେ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇବା ପାଇଁ ଘରୋଇ ଚିକିତ୍ସା ନେବାକୁ ବାଧ୍ୟ କରାଯାଉଛି। ଯେଉଁ ସମୟରେ ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବା କଥା ସେହି ସମୟରେ ଡାକ୍ତର ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି। ସେହି ସମୟରେ କିନ୍ତୁ ସଂପୃକ୍ତ ଡାକ୍ତର ଘରୋଇ କ୍ଲିନିକ ବା ଡାକ୍ତରଖାନାରେ ରୋଗୀ ଦେଖୁଛନ୍ତି। ଯାହାଫଳରେ ସରକାରୀ ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡୁଛି। ସରକାରୀ ମେଡିକାଲ କଲେଜ ଗୁଡିକରେ ସମସ୍ତ ସୁବିଧା ସୁଯୋଗ ପାଇ ଏମବିବିଏସ୍ ଡିଗ୍ରି ହାସଲ ପରେ ଡାକ୍ତରଙ୍କୁ ସରକାର ନିଯୁକ୍ତି ଦେଉଥିବା ବେଳେ ସେମାନେ ପ୍ରାଇଭେଟ କ୍ଲିନିକ୍ କରି ଅର୍ଥ ଉପାର୍ଜନ କରୁଛନ୍ତି। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ପ୍ରାଇଭେଟ ପ୍ରାକ୍ଟିସ ପାଇଁ ଅନୁମତି ଦିଆ ନ ଯାଉ। ଏଥିପାଇଁ ସ୍ବତନ୍ତ୍ର ଆଇନ, ନୀତି ଅବା ମାର୍ଗଦର୍ଶିକା ଜାରି ପ୍ରସଙ୍ଗରେ ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ଶ୍ରୀ ଜେନା ନିଜେ ଏହି ମାମଲା ପରିଚାଳନା କରୁଛନ୍ତି।