ସରକାରୀ ଚାକିରିରୁ ବହିଷ୍କୃତ ହେଲେ ସିପାହୀ

ଭୁବନେଶ୍ୱର: ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଜଣେ ସରକାରୀ କର୍ମଚାରୀ ବହିଷ୍କୃତ ହୋଇଛନ୍ତି। ପି.ଏମ୍‌. ଆର-୬୬୮, ଓଡ଼ିଶା ଲୋକ ସେବା ଆଇନ୍‌ର ସିସିଏ ରୁଲ-୧୯୬୨ ଅଧିନିୟମ-୧୮ ଏବଂ ଭାରତୀୟ ସମ୍ବିଧାନର ଧାରା-୩୧୧ (୨) (ଖ)ର କ୍ଷମତାର ବ୍ୟବହାର ପୂର୍ବକ ଅଷ୍ଟମ ବାଟାଲିୟନ, ଛତ୍ରପୁର ଦୁର୍ଗପତି ଉଦୟ ଶଙ୍କର ରଥ ନବନିଯୁକ୍ତ ସିପାହୀ ବାଦଲ ବେହେରାଙ୍କୁ ତାଙ୍କର ଅନୁଚିତ ଆଚରଣ,  ମହିଳାଙ୍କୁ ଯୌନ ନିର୍ଯାତନା ଓ ହତ୍ୟା ଧମକ ଆଦି କାରଣ ପାଇଁ ୨୦୧୯ ଅଗଷ୍ଟ ୧୭ରେ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି। ପୂର୍ବରୁ ଏହି କାରଣ ପାଇଁ ଶ୍ରୀ ବେହେରା ଗଞ୍ଜାମ ଥାନା ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।

ନବନିଯୁକ୍ତ ସିପାହୀ ବାଦଲ ବେହେରା ଅଭିଯୋଗକାରିଣୀଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ।  ମହିଳା ଜଣକ ଭୟଭୀତ ହୋଇ ଓ ମାନସିକ ହରାଇ ୨୦୧୯ ଅଗଷ୍ଟ ୩ରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ମୃତ ମହିଳାଙ୍କ ବାପା ଗଞ୍ଜାମ ଥାନାରେ ଆଉ ଏକ ମାମଲା ୨୦୧୯ ଅଗଷ୍ଟ ୩ରେ ରୁଜୁ କରାଇଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଉକ୍ତ ମାମଲାକୁ ‘ରେଡ୍‌ ପ୍ଲାଗ’ ମାମଲା ଭାବେ ବିବେଚନା କରି ତୁରନ୍ତ କାର୍ଯ୍ୟ ସମାପ୍ତ କରିବାକୁ ଆରକ୍ଷୀ ଅଧିକ୍ଷକ ଗଂଜାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର