ଜୟପୁର/ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଗତକାଲି ଲକ୍ଷାଧିକ ଟଙ୍କା ନେଇ ଚିତ୍ରକୋଣ୍ଡାରୁ କାର୍ ଯୋଗେ ଭୁବନେଶ୍ବର ଯିବା ବାଟରେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଜାମିନ ଆବେଦନକୁ ସ୍ଥଗିତ ରଖିଛନ୍ତି। ୧୪ଦିନ ପରେ ଆବେଦନର ଶୁଣାଣି ହେବ। ତେଣୁ ବିଚାର ବିଭାଗ ହାଜତକୁ ତାଙ୍କୁ ପଠାଇ ଦିଆଯାଇଛି।
ଟଙ୍କା ନେଇ ସହଯୋଗୀ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରାଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ଯାଉଥିବା ଭିଜିଲାନ୍ସକୁ ପୂର୍ବରୁ ଖବର ମିଳିଥିଲା। ତେଣୁ ଗୋବିନ୍ଦପାଲ୍ଲୀ ଛକ ନିକଟରେ କାର୍ (ଓଡି-୩୦ଇ-୩୦୯୬)କୁ ଅଟକାଇ ଯାଞ୍ଚ କରିଥିଲା। ନଗଦ ୫ଲକ୍ଷ ୭ହଜାର ଟଙ୍କା ମିଳିବାରୁ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପଚରାଉଚରା କରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଅନ୍ୟପଟେ ଚିତ୍ରକୋଣ୍ଡାସ୍ଥିତ ବାସଭବନ ଏବଂ ଭୁବନେଶ୍ବର ଡମଣାଛକସ୍ଥିତ ନନ୍ଦାଦେବୀ ଏପାର୍ଟମେଣ୍ଟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଭୁବନେଶ୍ବର ବାସଭବନରୁ ପୁଣି ୧୩ଲକ୍ଷ ୪ହଜାର ୨ଶହ ଟଙ୍କା ମିଳିଥିଲା। ସେହିପରି ଭୁବନେଶ୍ବରରେ ୧୫୦୦ ବର୍ଗଫୁଟ୍ର ଘର, ଭୁବନେଶ୍ବରରେ ଦୁଇଟି ପ୍ଲଟ୍, ବରଗଡ଼ ଓ ଗଞ୍ଜାମ ଜିଲ୍ଲା ଆସିକାରେ ଗୋଟିଏ ଲେଖାଏଁ ପ୍ଲଟ ରହିଛି। ୨୭୦ ଗ୍ରାମ ସୁନା, ଗୋଟିଏ କାର୍ ଏବଂ ୭୨ଲକ୍ଷ ଟଙ୍କାର ଜୀବନ ବୀମା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଠାବ ହୋଇଥିବା ସଂପତ୍ତିର ଆକଳନ ଚାଲିଛି। କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରାଙ୍କ ଏହି ମାମଲାରେ କୌଣସି ପ୍ରକାର ସଂପୃକ୍ତି ନଥିବା କାରଣରୁ ପଚରାଉଚରା ପରେ ଛାଡ଼ି ଦିଆଯାଇଛି ବୋଲି ଭିଜିଲାନ୍ସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ପବିତ୍ର ମୋହନ ପାଣିଗ୍ରାହୀ ୧୯୯୬ ମସିହାରେ ସୋନପୁର ଡିଆରଡିଏରେ ଚାକିରି ଆରମ୍ଭ କରିଥିଲେ। ପରେ ଗଞ୍ଜାମ ଜିଲ୍ଲାର ପୋଲସରା, ନବରଙ୍ଗପୁର ଜିଲ୍ଲାର ଝରିଗାଁ, ଉମରକୋଟ, ଗଜପତି ଜିଲ୍ଲାର କାଶୀନଗର ବ୍ଲକ, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକ୍, ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ୍ରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରିଥିଲେ। ୨୦୨୩ ମସିହା ଜାନୁଆରି ମାସରେ ସହକାରୀ ଯନ୍ତ୍ରୀ ଭାବେ ଚିତ୍ରକୋଣ୍ଡା ବ୍ଲକ୍ରେ ଯୋଗ ଦେଇଥିଲେ। ଗତବର୍ଷ ମାର୍ଚ୍ଚ ୧୭ରେ ପୁଣି ପଦୋନ୍ନତି ପାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ।