ବୋର୍ଡ ଅଧୀନରେ ଚାଲିଛି ସରକାରୀ ଇଂରାଜୀ ସ୍କୁଲ; ନବମ ଯାଏ ସିବିଏସ୍‌ଇ, ୧୦ମ‌ରେ ମାଟ୍ରିକ ପାଠ

ବହି ଅନୁବାଦ କରି ପିଲାଙ୍କୁ ପଢାଉଛନ୍ତି ଶିକ୍ଷକ

ଚୌଦ୍ବାର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଅଧୀନରେ ସରକାରୀ ଇଂରାଜି ମାଧ୍ୟମ ସ୍କୁଲ୍ ପିଲା ବି ଦଶମ (ମାଟ୍ରିକ) ପରୀକ୍ଷା ଦେଉଛନ୍ତି। ଏ ତଥ୍ୟ ହୁଏତ ଅନେକଙ୍କ ପାଇଁ ଅଜଣା। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ ଏଭଳି ଏକ ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କଟକରେ ଏଭଳି ଧରଣର ଏହା ଏକମାତ୍ର ସ୍କୁଲ୍ ହୋଇଥିବା ବେଳେ ରାଜ୍ୟରେ ଏଭଳି ସ୍କୁଲ ସଂଖ୍ୟା ମାତ୍ର ୯ରେ ସୀମିତି ବୋଲି କୁହାଯାଉଛି। ନିର୍ଦ୍ଦିଷ୍ଟ ଭାବେ ରାଜ୍ୟରେ ଏଭଳି ସ୍କୁଲ୍ ସଂଖ୍ୟା ସଂପର୍କରେ ବୋର୍ଡ କର୍ତ୍ତୃପକ୍ଷ ଅବଶ୍ୟ ସୂଚନା ଦେଇ ପାରିନାହାନ୍ତି।

ଚର୍ଚ୍ଚାର ପ୍ରସଙ୍ଗ ହେଉଛି ଯେ ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ଯେଉଁ ପ୍ରଶ୍ନପତ୍ରରେ ମାଟ୍ରିକ ପରୀକ୍ଷା ଦିଅନ୍ତି, ସେହି ପ୍ରଶ୍ନପତ୍ରରେ ଏହି ସ୍କୁଲର ଛାତ୍ରଛାତ୍ରୀମାନେ ବି ପରୀକ୍ଷା ଦିଅନ୍ତି। ୯ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲର ଛାତ୍ରଛାତ୍ରୀ ସିବିଏସ୍‌ଇ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ପଢନ୍ତି। ୧୦ମ ଶ୍ରେଣୀରେ ଓଡ଼ିଆ ମାଧ୍ୟମ ସ୍କୁଲ୍ ଛାତ୍ରଛାତ୍ରୀ ପଢୁଥିବା ବହିକୁ ଇଂରାଜୀରେ ଅନୁବାଦ କରି ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପଢାନ୍ତି। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଉଭୟ ଇଂରାଜୀ ଓ ଓଡ଼ିଆରେ ଆସୁଥିବାରୁ ଏହି ସ୍କୁଲର ଛାତ୍ରଛାତ୍ରୀମାନେ ଇଂରାଜୀରେ ଉତ୍ତର ଲେଖନ୍ତି। ଏମାନଙ୍କ ଖାତା ସ୍ବତନ୍ତ୍ର ଭାବେ ମୂଲ୍ୟାୟନ ହୁଏ, କିନ୍ତୁ ପରୀକ୍ଷାଫଳ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସହିତ ମିଳିତ ଭାବେ ପ୍ରକାଶ ପାଏ। ଏଭଳି ଦ୍ବୈତ ବ୍ୟବସ୍ଥାରେ ଚାଲିଥିବା ଶିକ୍ଷାଦାନ ପଦ୍ଧତି ଏବେର ନୁହେଁ, ଏଭଳି ବ୍ୟବସ୍ଥା ୧୯୬୯ରୁ ଗଡ଼ି ଆସୁଛି।

୧୯୬୧ ମସିହାରେ ଚୌଦ୍ବାରର କଳିଙ୍ଗ ଟ୍ୟୁବସ୍‌ କାରଖାନା ପରିସରରେ ପ୍ରତିଷ୍ଠିତ ରାଜ୍ୟର ଏକମାତ୍ର ସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଭାବେ ଏହା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପ୍ରଥମେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହୋଇ ଆସୁଥିବା ବେଳେ ୧୯୬୯ ମସିହାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଲା ଏବଂ କଳିଙ୍ଗ ପବ୍ଲିକ୍ ହାଇସ୍କୁଲକୁ ରାଜ୍ୟ ସରକାର ନିଜ ହାତକୁ ନେଲେ। ସ୍କୁଲ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହେଲା। କଳିଙ୍ଗ ପବ୍ଲିକ୍ ସରକାରୀ ହାଇସ୍କୁଲ ନାମରେ ନାମିତ ଏହି ସ୍କୁଲରେ ଏବେ ପ୍ରଥମରୁ ୭ମ ଯାଏ ୨ଶହ ଛାତ୍ରଛାତ୍ରୀ ପଢୁଥିବା ବେଳେ ୮ମରୁ ୧୦ମ ଯାଏ ପଢୁଛନ୍ତି ୧୦୮ ଜଣ ଛାତ୍ରଛାତ୍ରୀ। ସରକାରଙ୍କ ଦ୍ବାରା ୮ ସ୍ବୀକୃତିପ୍ରାପ୍ତ ଶିକ୍ଷକ ପଦବି ରହିଥିବା ବେଳେ ବର୍ତମାନ ଅଛନ୍ତି ୫ଜଣ। ସଂସ୍କୃତ, ହିନ୍ଦୀ ଓ ବାୟୋଲୋଜି ଶିକ୍ଷକ ପଦ ଖାଲି ପଡ଼ିଛି। ସ୍କୁଲରେ ଜଣେ ପିଅନ ଥିବା ବେଳେ କିରାଣି ପଦ ଖାଲି ପଡିଛି। ସରକାରୀ ଓଡ଼ିଆ ମାଧ୍ୟମ ସ୍କୁଲ ଭଳି ଏଠାରେ ଶିକ୍ଷକଙ୍କୁ ଦରମା ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ସାଇକେଲ, ଷ୍ଟାଇପେଣ୍ଡ୍ ସୁବିଧା ବି ରହିଛି। ତେଣୁ ସରକାରୀ ଓଡ଼ିଆ ହାଇସ୍କୁଲ ଭଳି ଏକପ୍ରକାର ମାଗଣାରେ ଏଠି ଇଂରାଜୀ ମାଧ୍ୟମରେ ପାଠପଢାର ସୁବିଧା ରହିଥିବାରୁ ବାହାର ରାଜ୍ୟର ବି ଅନେକ ଛାତ୍ରଛାତ୍ରୀ ଚୌଦ୍ବାରରେ ରହି ଏହି ସ୍କୁଲରେ ପଢୁଛନ୍ତି। ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ଶତପ୍ରତିଶତ ପରୀକ୍ଷାଫଳ ପ୍ରଦର୍ଶନ କରି ଆସୁଛି।

ଏଭଳି ସ୍ବତନ୍ତ୍ରତା ସତ୍ତ୍ବେ ପାଠପଢା ବ୍ୟବସ୍ଥାକୁ ସରଳ କରିବା ଦିଗରେ ସରକାର ଅଥବା ବୋର୍ଡ ଏଯାଏ ପଦକ୍ଷେପ ‌ନ ନେବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ‌ବୋର୍ଡ ଏହି ସ୍କୁଲକୁ ସ୍ବୀକୃତି ଦେଉଛି, ପରୀକ୍ଷା ପରିଚାଳନା ଦାୟିତ୍ବ ନିର୍ବାହ କରୁଛି, କିନ୍ତୁ ପିଲା ପଢୁଥିବା ଇଂରାଜୀ ପାଠ୍ୟପୁସ୍ତକ ଯୋଗାଉନି। ସ୍କୁଲର ଶିକ୍ଷକ ନିଜେ ପାଠ୍ୟପୁସ୍ତକକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରି ପିଲାଙ୍କୁ ପଢାଉଛନ୍ତି। ପ୍ରଥମ ଭାଷା ଓଡ଼ିଆ, ଦ୍ବିତୀୟ ଭାଷା ଇଂରାଜୀ ଓ ତୃତୀୟ ଭାଷା ସଂସ୍କୃତ ଅଥବା ହିନ୍ଦି ପୁସ୍ତକ ଅବଶ୍ୟ ବୋର୍ଡରୁ ମିଳି ଯାଉଛି। ରାଜ୍ୟରେ ଏଭଳି ଢଙ୍ଗରେ ଚାଲିଥିବା ୯ଟି ସ୍କୁଲକୁ ବୋର୍ଡ ସ୍ବୀକୃତି ଦେଉଥିଲେ ବି ବହି ନ ଦେବା ଘଟଣା ବ୍ୟବସ୍ଥାର ଦୁର୍ବଳତାକୁ ନେଇ ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ଦୀକ୍ଷିତ କହିବା ଅନୁଯାୟୀ ୯ମ ପର୍ଯ୍ୟନ୍ତ ସ୍କୁଲରେ ସିବିଏସ୍‌ଇ କୋର୍ସ ଏନ୍‌ସିଇଆର୍‌ଟି ପୁସ୍ତକ ପଢାଯାଉଥିବା ବେଳେ ୧୦ମ ପିଲାଙ୍କୁ ଓଡ଼ିଆ ବହିକୁ ଇଂରାଜୀରେ ଅନୁବାଦ କରି ପଢାଉଛୁ। ଆମେ ଏଠି ଯେଉଁ ଅନୁବାଦ ପୁସ୍ତକ ପ୍ରସ୍ତୁତ କରିଛୁ, ତାହାକୁ ଏଭଳି ଢଙ୍ଗରେ ଚାଲିଥିବା ରାଜ୍ୟର ଅନ୍ୟ ସ୍କୁଲ ନେଇ ପଢାଉଛନ୍ତି। କିନ୍ତୁ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମାନ (ଷ୍ଟାଣ୍ଡାର୍ଡ) ଭଲ ରହୁଛି। ବିନା ଖର୍ଚ୍ଚରେ ଇଂରାଜୀ ମାଧ୍ୟମରେ ପଢୁଥିବା ଏହି ସ୍କୁଲର ଛାତ୍ରଛାତ୍ରୀ ‌କଲେଜରେ ଭଲ ପ୍ରଦର୍ଶନ କରୁଛନ୍ତି। କେବଳ ବହି ସମସ୍ୟା ଦୂର ହେଲେ ଏଭଳି ସ୍କୁଲରେ ପାଠପଢା ଅଧିକ ସହଜ ଆଉ ଆକର୍ଷଣୀୟ ହୋଇପାରନ୍ତା ବୋଲି ଶ୍ରୀ ଦୀକ୍ଷିତ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର