ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ କେଉଁଠି ହେବ, ତାହା ଏଯାଏ ନିଷ୍ପତ୍ତି ହୋଇପାରିଲା ନାହିଁ। ଡିଜି, ଆଇଜିଙ୍କ କାର୍ଯ୍ୟକାଳ ନିର୍ଧାରଣ ଲାଗି ରାଜ୍ୟ ସୁରକ୍ଷା କମିସନ ଗଠନ ହେଲାନାହିଁ। ବିଧାନସଭାରେ ଓଡ଼ିଶା ପୁଲିସ ବିଲ୍ ଅନୁମୋଦନ ଲାଭ କଲା। ରାଜ୍ୟପାଳ ଏ ବିଲ ଉପରେ ଆପତ୍ତି ଉଠାଇ ଫେରାଇ ଦେଲେ। ଏବେ ଏ ବିଲ୍ର ଭାଗ୍ୟ କ’ଣ? ଲୋକପାଳଙ୍କ ହାତରେ ଓଡ଼ିଶା ପୁଲିସ ଅଭିଯୋଗ କର୍ତୃପକ୍ଷ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର। ମାତ୍ର ଜଷ୍ଟିସ ପି କେ ପାତ୍ରଙ୍କ ଦେହାନ୍ତ ପରେ ଏଠାରେ ଆଉ କାହାକୁ ନିଯୁକ୍ତି ଦିଆଗଲା ନାହିଁ। ସମସ୍ତଙ୍କ ବିିରୋଧରେ ମାମଲା ରୁଜୁ କରୁଥିବା ପୁଲିସ ବିରୋଧରେ ଅଭିଯୋଗ କରିବାର ବାଟକୁ ରୁନ୍ଧି ଦିଆଯାଇଛି।
ଏମିତି ଢଙ୍ଗରେ ରାଜ୍ୟ ସରକାର ଦୁଇ ଡଜନ ବଡ଼ ବଡ଼ ପ୍ରସଙ୍ଗରେ କୌଣସି ଠୋସ୍ ନିଷ୍ପତ୍ତି ନେଇପାରୁନାହାନ୍ତି। ଏ ମଧ୍ୟରୁ କିଛି ଘଟଣାକୁ ଫାଇଲ ତଳେ ମାଡ଼ି ବସିଛନ୍ତି ଯେ ଆଉ ଉଠୁନାହାନ୍ତି। କିଛି ବଡ଼ ପ୍ରସଙ୍ଗକୁ ଏ ମଧ୍ୟରେ ଫାଙ୍କି ଉଡ଼ାଇ ଦେଲେଣି। କେହି ଟେର୍ ପାଉନାହାନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଘୋଷଣା ବେଳର ତତ୍ପରତା କାର୍ଯ୍ୟକାରିତାରେ ରହୁନାହିଁ। ଏଇ ଯେମିତି, ଓଡିଶାରେ ଆଇନ୍ କମିସନ ଗଠନ ପାଇଁ ଘୋଷଣା ହେବାର ବର୍ଷାଧିକକାଳ ପରେ ବି ଏଯାବତ୍ ଏହା ଗଢାଯାଇ ପାରିନାହିଁ । କେବେ ଆଇନ୍ କମିସନ ଗଠନ କରାଯିବ ସେ ସଂକ୍ରାନ୍ତରେ ବି କେହି ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇପାରୁନାହାନ୍ତି। ୨୦୧୫ ନଭେମ୍ବର ମାସରେ ବିଜୁ ଜନତାଦଳର ଆଇନ୍ଜୀବୀ ଶାଖାର ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଉଦ୍ଘାଟନ ଅବସରରେ ଓଡିଶାରେ ଆଇନ୍ କମିସନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପରବର୍ତ୍ତୀ ଏହାକୁ ଅନୁମୋଦନ ମିଳିଲା। ନିୟମ ଅନୁସାରେ, ସୁପ୍ରିମ୍କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଆଇନ୍ କମିସନ ଗଢାଯିବ ବୋଲି ସରକାର ବ୍ୟବସ୍ଥା ରଖିଛନ୍ତି। କିନ୍ତୁ ଆଇନ୍ କମିସନର ଅଧ୍ୟକ୍ଷ ଭାବେ କାହାକୁ ନିଯୁକ୍ତି ଦିଆଯିବ ତାହା ଏଯାବତ୍ ଠିକ୍ ହୋଇନାହିଁ । ତେଣୁ ଆଇନ୍ କମିସନ ଗଠନ ସଂକ୍ରାନ୍ତୀୟ ଘୋଷଣା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନଥିବା କୁହାଯାଉଛି।
ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ପଦବି ପୂରଣ ନେଇ ବାରମ୍ବାର ଅଭିଯୋଗ ପରେ ବି ସରକାର ଏ ନିଷ୍ପତ୍ତି ଉପରେ କୌଣସି ଠୋସ୍ ନିଷ୍ପତ୍ତି ନେଉନାହାନ୍ତି। ଏ ନେଇ ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ଦାବି ଉଠିଲେ ବି ଏହାର ସାମାନ୍ୟତମ ପ୍ରଭାବ ସରକାରଙ୍କ ଉପରେ ପଡୁନାହିଁ। ଏହି ପ୍ରସଙ୍ଗ ପରୋକ୍ଷରେ ସୂଚାଉଛି, ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ କ୍ଷେତ୍ରରେ ନ୍ୟାୟ ଦେବାକୁ କେତେ ତତ୍ପର ଆମ ସରକାରୀ କଳ।
ଉଭୟ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ରାଜ୍ୟ ସରକାର ଶୀତଳଭଣ୍ଡାରକୁ ଠେଲି ଦେଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆଇନଜୀବୀମାନେ ନିରନ୍ତର ଦାବି ଉପସ୍ଥାପନ କରିଛନ୍ତି ତା ନୁହେଁ, ଏବେ ବି ପ୍ରତୀକ ପ୍ରତିବାଦ ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ କୋର୍ଟକୁ ଏ ବଲ୍ ଫିଙ୍ଗିଥିଲେ ସରକାର। ମାତ୍ର ଏବେ ନା କେନ୍ଦ୍ର ସରକାର ତତ୍ପରତା ଦେଖାଉଛନ୍ତି ନା ରାଜ୍ୟ ସରକାର। ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲକୁ ନେଇ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନାରାଜ।
କେବଳ ସେତିକି ନୁହେଁ, ଏକଦା ୩ ମାସ ଭିତରେ ଲୋକାୟୁକ୍ତ ନିଯୁକ୍ତି କଥା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାବି କରିଥିଲେ ଯେ ଓଡ଼ିଶା ବିଧାନସଭା ହେଉଛି ପ୍ରଥମ, ଯିଏ ଲୋକାୟୁକ୍ତ ବିଲ୍ ଅନୁମୋଦନ କଲେ। ଏ ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ କରି ପଠାଇ ସାରିଲେଣି। ମାତ୍ର ସରକାର ଲୋକାୟୁକ୍ତ ନିଯୁକ୍ତି କରିବାକୁ ଯେମିତି ଭୁଲିଯାଇଛନ୍ତି। ଏଥିସହିତ ଦୁର୍ନୀତି ବିରୋଧରେ ସରକାରଙ୍କୁ ହୁଂକାର ମଧ୍ୟ ପବନରେ ମିଳାଇଯାଇଛି।
ଆଞ୍ଚଳିକ ବୈଷମ୍ୟ ସ୍ଥିତି ଅନୁଧ୍ୟାନ ଲାଗି ୧୯୯୨ ମସିହାରେ ତତ୍କାଳୀନ ଜନତାଦଳ ସରକାର ବସାଇଥିଲେ ଘଡେଇ କମିଟି। ୧୯୯୩ ମସିହାରେ କମିସନ ତାଙ୍କ ରିପୋର୍ଟ ଦେଲେ। ତତ୍କାଳୀନ ସରକାର କାର୍ଯ୍ୟକାରୀ କଲେନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ଇଂନିସ୍ରେ ପୁଣି ଏକ କମିସନ ବସାଇଲେ। ଜଷ୍ଟିସ ଏସ୍.କେ ମହାନ୍ତି ୪ବର୍ଷ ଧରି ଖୋଳତାଡ କରିବା ପରେ ୨୦୦୮ରେ ତାଙ୍କ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ କୁଆଡେ ଗଲା ତାହା ଜଣାପଡୁନି। ନା ବିଧାନସଭାରେ ଉପସ୍ଥାପିତ କରାଯାଉଛି ନା ରିପୋର୍ଟରେ ଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ସଂପର୍କରେ ସରକାର ଘୋଷଣା କରିଛନ୍ତି। କେଉଁ ରିପୋର୍ଟ ଭିତ୍ତିରେ ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ଆଗକୁ ନିଆଯାଉଛି, ତାହା ସବୁ ମହଲକୁ ଆନ୍ଦୋଳିତ କରୁଛି। ସେହିପରି ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ଥିବା ବେଳେ ଚାଷର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ରିପୋର୍ଟର ଭାଗ୍ୟ ମଧ୍ୟ ଫାଇଲ ଭିତରେ ରୁନ୍ଧି ହୋଇଯାଇଛି।