ସରକାରଙ୍କ ଫୋକସ୍‌ରେ ୫ ଜିଲ୍ଲା: ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା

ଆଜିଠାରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ, କୋଭିଡ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ସତ୍କାର

ଭୁବନେଶ୍ବର: ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା ଭଳି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବା ଆସିବା ବୃଦ୍ଧି କାରଣରୁ ପରିସ୍ଥିତି ଆହ୍ବାନମୂଳକ ରହିଛି। ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯିବ। କରୋନା ଭୂତାଣୁ ପରୀକ୍ଷା ପାଇଁ ଅଧିକ ଲାବୋରେଟୋରି ଟେକନିସିଆନ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ କରିବା ପାଇଁ ପଦକ୍ଷେପ ନିଆଯିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହେଁ, ସରକାର ଏକ ବଡ଼ ପଦକ୍ଷେପ ସ୍ବରୂପ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବରର ସମ୍‌, କିମ୍‌ସ ଓ କଟକର ଅଶ୍ବିନୀ ହସ୍‌ପିଟାଲରେ ଏହା ଆରମ୍ଭ ହେବ ଓ କଟକ ବଡ଼ ମେଡିକାଲ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ। ଆଜି ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ଏଥିରେ କୋଭିଡ୍‌ ରୋଗୀଙ୍କ ସୁବିଧା, ସେମାନଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ରାଜ୍ୟରେ ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ନବୀନ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କର ମନୋବଳକୁ ଉଚ୍ଚା ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗ କରାଯିବା ଦରକାର। ଏଥିଲାଗି ଜିଲ୍ଲା ପର୍ଯ୍ୟବେକ୍ଷକମାନେ ପଦକ୍ଷେପ ନେବା ଉଚିତ୍। ସେ ନିଜେ ମଧ୍ୟ ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଭିଡ୍ ଯୋଦ୍ଧା ମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସଂପର୍କରେ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଦରକାର। ସେହିପରି କୋଭିଡ୍ ଯୋଦ୍ଧା ମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ। କୋଭିଡ୍‌ ଯୋଦ୍ଧାଙ୍କ ମରଶରୀରକୁ କିଭଳି ଅସମ୍ମାନ ପ୍ରଦର୍ଶନ କରାଯାଉଛି, ସେ ନେଇ ‘ସମ୍ବାଦ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଥିବା ଆହ୍ବାନର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷା କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ନମୁନା ପରୀକ୍ଷା କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ଅନୁମତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଥିଲେ। ରାଜ୍ୟରେ ବିଶେଷତଃ କଟକ, ଭୁବନେଶ୍ବର ଓ ଗଞ୍ଜାମରେ ଥିବା କୋଭିଡ ଚିକିତ୍ସାଳୟରେ ଶଯ୍ୟା ଓ ଆଇସିୟୁର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପ୍ରମୁଖ ୫ଟି ସହରରେ ଆହୁରି ୨୦୦ ଆଇସିୟୁ ବେଡ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୁରୀ ସହରରେ ସେରୋ ସର୍ଭିଲାନ୍ସ ସଂପୂର୍ଣ୍ଣ ହୋଇଥିବା ବେଳେ ଭୂବନେଶ୍ବରରେ ଗୋଷ୍ଠୀ ସେରୋ ସର୍ଭିଲାନ୍ସ ସଂପୂର୍ଣ୍ଣ ହୋଇଛି। ହେଲେ ଅତି ସମ୍ବେଦନଶୀଳ ଲୋକଙ୍କର ସେରୋ ସର୍ଭିଲାନ୍ସ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଥିଲେ। ସେହିପରି କୋଭିଡ୍‌ରେ ଓଡ଼ିଶାର ସ୍ଥିତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ କହିଥିଲେ, ସର୍ବଭାରତୀୟ ସ୍ତରରେ ସୁସ୍ଥତା ହାର ୬୩% ଥିବାବେଳେ ଓଡିଶାରେ ଏହା ୬୪.୮୮ % ରହିଛି। ମୃତ୍ୟୁ ହାର ସର୍ବଭାରତୀୟ ସ୍ତରରେ ୨.୬ ଥିବାବେଳେ, ଓଡିଶାରେ ଏହା ୦.୫%। ଆକ୍ରାନ୍ତଙ୍କ ମଧ୍ୟରେ ଯୁବ ବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି କୁହାଯାଇଛି।

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ କେୟାର ହୋମ୍‌ ଏବଂ କ୍ଲଷ୍ଟର ଅସ୍ଥାୟୀ କେନ୍ଦ୍ର ସଂପର୍କରେ ସୂଚନା ଦେଇ ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓରଂଜନ ସିଂହ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୬୧ ହଜାର ୪୧୦ ଶଯ୍ୟା ବିଶିଷ୍ଟ ୬୧୨୮ଟି କୋଭିଡ କେୟାର ହୋମ ଖୋଲାଯାଇଛି। ସେଥିରେ ମାତ୍ର ୪୨୬ ଜଣ ରହିଛନ୍ତି। ସେହିପରି ୪୭ ହଜାର ୯୧୯ ଶଯ୍ୟା ବିଷିଷ୍ଟ ୧୧୮୩ କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମସି) ଖୋଲାଯାଇଥିବା ବେଳେ ସେଗୁଡିକରେ ୧୮ ହଜାର ୧୫୩ ଜଣ ରହିଛନ୍ତି। ବିଭିନ୍ନ ସହରାଞ୍ଚଳରେ ୬୨୦୦ ଶଯ୍ୟା ବିଶିଷ୍ଟ ୧୭୫ଟି କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି ଓ ସେଥିରେ ବର୍ତ୍ତମାନ ୪୧ ଜଣ ଚିକିତ୍ସିତ ହେଉଛନ୍ତି। ସହରାଞ୍ଚଳରେ ୬୦ ହଜାର ଶଯ୍ୟା ବିଶିଷ୍ଟ ୮୧୪ଟି ଟିଏମସିରେ ୩୯୪୫ ଜଣ ରହିଛନ୍ତି ବୋଲି ଶ୍ରୀ ସିଂହ କହିଥିଲେ। ସେହିଭଳି ଗ୍ରାମକଲ୍ୟାଣ ସମିତି ସ୍ତରରେ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମଚାରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଇତିମଧ୍ୟରେ ତାଲିମ ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଥିଲା। ଏହାସହିତ ଅଣ-କୋଭିଡ ହସ୍‌ପିଟାଲରେ କାର୍ଯ୍ୟ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ସୁରକ୍ଷା ତାଲିମ ଦିଆଯାଉଛି। ପୂର୍ବରୁ ଟିଏମସିରେ ରହିଥିବା ୩.୨ ଲକ୍ଷ ପ୍ରବାସୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ସେମାନେ କୋଭିଡ୍ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିପାରିବେ। ରାଜ୍ୟ ସରକାରଙ୍କର ନିଷ୍ପତ୍ତିକ୍ରମେ ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ଏଣିକି ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବ। ତା ସହିତ ବିଭିନ୍ନ କର୍ପୋରେଟ ସଂସ୍ଥା ଗୁଡିକୁ ମଧ୍ୟ କୋଭିଡ୍ କେୟାର କେନ୍ଦ୍ର ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ। ତେଣୁ ଏଗୁଡିକର ପରିଚାଳନାକୁ ଉପଯୁକ୍ତ ଭାବରେ ତଦାରଖ କରିବା ସହିତ ସେଗୁଡିକ ମଧ୍ୟ ‘ମୋ ସରକାର’ ଅଧୀନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। ଉଲ୍ଲଂଘନ ପାଇଁ ସାରା ରାଜ୍ୟରେ ୬୯୧୯ଟି ମାମଲା ରୁଜୁ କରାଯାଇଛି ଏବଂ ମାସ୍କ ଉଲ୍ଲଂଘନ ପାଇଁ ୪.୫ କୋଟି ଟଙ୍କା ଏବଂ ସାମାଜିକ ଦୂରତ୍ବ ଉଲ୍ଲଂଘନ ପାଇଁ ୬୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହାଛଡା ଅନ୍ୟାନ୍ୟ ଉଲ୍ଲଂଘନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର କୋଭିଡ ପର୍ଯ୍ୟବେକ୍ଷକଙ୍କ ସହିତ ସେମାନଙ୍କ ଜିଲ୍ଲାରେ କୋଭିଡ୍‌ ସ୍ଥିତି, ଚିକିତ୍ସା ସୁବିଧା, ପରୀକ୍ଷଣ ଓ ଗୋଷ୍ଠୀ ସମନ୍ବୟ ସଂପର୍କରେ ପଚାରି ବୁଝିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍, ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନ୍ ଓ ବିଭିନ୍ନ ବିଭାଗର ଶାସନ ସଚିବ ଓ କୋଭିଡ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର