ବେଲଗୁଣ୍ଠା ଫାଣ୍ଡି ଥାନାର ମାନ୍ୟତା ପରେ ବଢ଼ିଲା କ୍ଷେତ୍ରାଧିକାର, ଭିତ୍ତିଭୂମି ବିକାଶ କଥା ସରକାର ଭୁଲିଗଲେ

ବେଲଗୁଣ୍ଠା : ଦୀର୍ଘ ୫୮ ବର୍ଷ ପରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ନୂଆ ପରିଚୟ ପାଇ ଥାନାକୁ ରୁପାନ୍ତରିତ ହୋଇଛି। ଗତବର୍ଷ ଡିସେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡ଼୍‌ରେ ଏହାର ଉଦ୍‌ଘାଟନ କରିଥିଲେ। ହେଲେ ଦୁଃଖର କଥା ହେଲା, ଆଜି ଯାଏ ଏହି ଥାନାର ଭିତ୍ତିଭୂମି ବିକାଶ ହୋଇପାରୁନି। ବାହାରକୁ ଥାନାର ସୂଚନାଫଳକ ଲାଗିଥିଲେ ବି ଭିତରେ ଏହା ଫାଣ୍ଡି ଭଳି ଚାଲିଛି। ଉଦ୍‌ଘାଟନକୁ ୪୦ ଦିନ ବିତିଯାଇଥିଲେ ହେଁ, ସ୍ଥାୟୀ ଗୃହ, ଆବଶ୍ୟକ କର୍ମଚାରୀ ଓ ଗାଡ଼ିର ଅଭାବ ପୂରଣ କରାଯାଇପାରିନି।

ପୂର୍ବରୁ ଫାଣ୍ଡି ଅଧୀନରେ ଏଗାରଟି ପଞ୍ଚାୟତ ଏବଂ ଏନ୍ଏସିର ୧୩ଟି ୱାର୍ଡ଼ ସମେତ ୫୫ଟି ରାଜସ୍ବ ଗ୍ରାମ ଥିଲା। ଥାନାରେ ରୁପାନ୍ତରିତ ପରେ ବେଲଗୁଣ୍ଠା, ବୁଗୁଡା ଏବଂ ଜଗନ୍ନାଥପ୍ରସାଦ ଇଲାକାର ଆଉ ୨୩ଟି ରାଜସ୍ୱ ଗ୍ରାମ ବେଲଗୁଣ୍ଠା ଥାନା ଅଧୀନକୁ ଆସିଛି। ସମୁଦାୟ ୭୮ଟି ରାଜସ୍ୱ ଗ୍ରାମକୁ ନେଇ ବେଲଗୁଣ୍ଠା ଥାନା ଚାଲିଛି। ଅଧିକ ଅଞ୍ଚଳ ବେଲଗୁଣ୍ଠା ଥାନା ଅଧୀନରେ ସାମିଲ ହେବା ସହ ଏହାର କ୍ଷେତ୍ରାଧିକାର ବି ସେହି ଅନୁପାତରେ ବଢ଼ିଛି। କିନ୍ତୁ ମାନବସମ୍ବଳ ଅଭାବ ଯୋଗୁଁ ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ହୋଇପାରୁନି। ଥାନାର ମାନ୍ୟତା ପାଇବା ପରେ ଏଠାରେ ଜଣେ ଥାନାଧିକାରୀଙ୍କ ସମେତ ଦୁଇ ଜଣ ଏସ୍ଆଇ, ଦୁଇ ଜଣ ଏଏସଆଇ, ଜଣେ ହାବିଲଦାର ଓ ୧୦ ଜଣ କନେଷ୍ଟବଳ ରହିବା କଥା। କିନ୍ତୁ ଆବଶ୍ୟକତା ଅନୁସାରେ କର୍ମଚାରୀ ନାହାନ୍ତି। ବର୍ତ୍ତମାନ ଜଣେ ଏଠାରେ ଜଣେ ଏସ୍‌ଆଇ ୫ ଜଣ କନଷ୍ଟେବଳ, ଜଣେ ହାବିଲଦାର ଓ ୧୦ଜଣ ହୋମଗାର୍ଡ଼ ଅଛନ୍ତି। ଭଞ୍ଜନଗର ଥାନାଧିକାରୀ ଆଇଆଇସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

ଥାନା ଉଦ୍‌ଘାଟନ ପରଠୁ ଜାନୁଆରି ୩୧ ତାରିଖ ସୁଦ୍ଧା ମୋଟ ୧୯ଟି ମାମଲା ରୁଜୁ ‌ହୋଇସାରିଲାଣି। ହେଲେ ଦୁଃଖର କଥା ହେଲା, ଅପରାଧୀ ଧରପଗଡ଼ ଓ ଆଇନଶୃଙ୍ଖଳା ପାଇଁ ଭିତ୍ତିଭୂମି ନାହିଁ। ଏବେ ଇଲାକା ବଢ଼ିଥିବାରୁ ପାଟ୍ରୋଲିଂ ଗାଡ଼ି ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। କିନ୍ତୁ ଗୋଟିଏ ଗାଡ଼ି ଥିବାରୁ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୁରୁଣା ଫାଣ୍ଡି ଗୃହରେ ଥାନା ଚାଲିଥିବା ନୂତନ ଗୃହ ନିର୍ମାଣ କାମ କଚ୍ଛପ ଗତିରେ ଜାରି ରହିଛି। ଏଭଳି ପରିସ୍ଥିତିରେ କୌଣସି ବଡ଼ଧରଣର ଅଘଟଣ ଘଟିଲେ ପୁଲିସ ଏହାକୁ କିଭଳି ନିୟନ୍ତ୍ରଣ କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଦିଗରେ ପୁଲିସ ବିଭାଗ ଓ ସରକାର ପଦ‌କ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର