ଭୁବନେଶ୍ବର: ରାଜ୍ୟରେ ସରକାର ଗଢ଼ିବାକୁ ବିଜେପି ସ୍ପଷ୍ଟ ବହୁମତ ପାଇଛି। ସରକାର ଗଢ଼ିବା ପାଇଁ ୭୪ଟି ଆସନ ଦରକାର। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଜେପି ଖାତାରେ ୭୮ ଆସନ ରହିଛି। ତେଣୁ ବିଜେପି ଏକାକୀ ସରକାର ଗଢ଼ିବାରେ କୌଣସି ସମସ୍ୟା ନାହିଁ। ଏଥିସହିତ ସରକାର ଗଠନ ପାଇଁ ଦଳ ପକ୍ଷରୁ ଆବଶ୍ୟକ କସରତ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁସାରେ, ୧୦ ତାରିଖରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଦଳ ଏକାକୀ ସରକାର ଗଠନ କରୁଥିବାରୁ ଶପଥ ଗ୍ରହଣ ଉତ୍ସବକୁ ପ୍ରଭାବୀ ଢଙ୍ଗରେ କରିବା ପାଇଁ ପ୍ରସ୍ତୁତି ଚାଲିଛି। କଳିଙ୍ଗ ଷ୍ଟାଡିୟମ୍ କିମ୍ବା ଜନତା ମଇଦାନରେ ଏହି ଉତ୍ସବ ଆୟୋଜନ କରାଯାଇପାରେ।

Advertisment

ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ବିଜେପି କାହାରିକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାପଛରେ ବି ଏକ ବଡ଼ କାରଣ ରହିଛି। କାରଣ ବିଜେପିରେ ମୋଦୀ-ଶାହଙ୍କ ଯୁଗ ଆରମ୍ଭ ହେଲା ପରେ ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କ କାଟ୍‌ତି ବଢ଼ିଛି। ୨୦୧୪ ମସିହାରୁ ସେ କେନ୍ଦ୍ରରେ ମନ୍ତ୍ରୀ ରହି ଆସିଛନ୍ତି। ପୁଣି ପେଟ୍ରୋଲିୟମ୍ ଓ ଶିକ୍ଷା ପରି ବଡ଼ ଓ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ବରେ ରହିଛନ୍ତି। ଆଉ ୨୦୧୪ ପର ଠାରୁ ସେ ଓଡ଼ିଶା ବିଜେପିର ଅଘୋଷିତ ଚେହେରା ପାଲଟିଛନ୍ତି। ତାଙ୍କରି ଇଙ୍ଗିତରେ ହିଁ ଓଡ଼ିଶା ବିଜେପି ସମ୍ପର୍କରେ ବଡ଼ ବଡ଼ ନିଷ୍ପତ୍ତି ନିଆଯାଉଛି। ଯେହେତୁ ମୋଦୀ-ଶାହଙ୍କର ସେ ବିଶ୍ବସ୍ତ ତାଲିକାରେ ଅଛନ୍ତି, ତେଣୁ ତାଙ୍କ ମୁଣ୍ଡରେ ସୁନା କଳସ ଢଳାଯିବାର ସମ୍ଭାବନା ଅଧିକ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏହି ପ୍ରସଙ୍ଗରେ କୌଣସି ନେତା ମୁହଁ ଖୋଲି ନାହାନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଦଳର ଶୀର୍ଷ ସ୍ତରରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହି ସମସ୍ତେ ପ୍ରସଙ୍ଗଟିକୁ ଏଡ଼ାଇ ଯାଉଛନ୍ତି। ଯଦି ଧର୍ମେନ୍ଦ୍ରଙ୍କୁ ଚୟନ କରାଯାଏ, ତେବେ ସେ ଲୋକସଭା ଆସନ ଛାଡ଼ି ପୁଣି ବିଧାନସଭା ନିର୍ବାଚନକୁ ସାମ୍ନା କରିବେ। ଆଉ ଗୋଟିଏ ବର୍ଗ କହୁଛନ୍ତି ଯେ ଅନ୍ୟ ରାଜ୍ୟ ଭଳି ଦଳ ଯେ କୌଣସି ଜଣେ ବରିଷ୍ଠଙ୍କୁ ମଧ୍ୟ ଏହି ସୁଯୋଗ ଦେଇପାରେ।