ଚଣ୍ତିଖୋଲ : ଓଡ଼ିଶାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ଭାବେ ପରିଚିତ ଯାଜପୁର ଜିଲ୍ଲା ତଥା ବଡ଼ଚଣା ବ୍ଲକ ଧାନମଣ୍ତଳ କୋଣାର୍କ ଝୋଟକଳ ଏବେ ତା'ର ସତ୍ତା ହରାଇ ଓଡିଶା ଷ୍ଟିଭେଡର ଲିମିଟେଡରେ ଲୀନ ହୋଇଛି। ପଲିଥିନମୁକ୍ତ ପରିବେଶ ତଥା ସମସ୍ତ ସାମଗ୍ରୀ ଅଖା ପ୍ୟାକେଟରେ ନେବାଆଣିବା ପାଇଁ ସରକାରୀ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି ଝୋଟକଳର ଉପଯୋଗିତା ରହିଥିଲା। ମାତ୍ର ତାହା ତ ହୋଇପାରିଲା ନାହିଁ। କୋଣାର୍କ ଝୋଟକଳର ପୁନରୁଦ୍ଧାର ଆଶା ମଉଳିବା ସହ ଘରୋଇ ହାତକୁ ଏହାର ମାଲିକାନା ଚାଲିଯାଇଛି।
୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ କୋଣାର୍କ ଝୋଟ କଳର ଶୁଭାରମ୍ଭ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅବିଭକ୍ତ କଟକ ଜିଲ୍ଲାର ଝୋଟ ଚାଷୀ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇପାରିବେ। ବର୍ତ୍ତମାନ କିନ୍ତୁ ଏହି ଝୋଟକଳ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସମସ୍ତ କର୍ମଚାରୀ ନିରାଶାରେ ଦିନ କାଟୁଛନ୍ତି।୧୯୯୦ ମସିହା ପର୍ଯ୍ୟନ୍ତ ଏହି କାରଖାନା ବେଶ୍ ଲାଭଜନକ ଥିଲା। ଶିଳ୍ପ ବିଭାଗର ଉଦାସୀନତା ଯୋଗୁଁ ଧୀରେଧୀରେ ଆର୍ଥିକ କ୍ଷତି ବଢ଼ିଲା। ଶେଷରେ ଅବ୍ୟବସ୍ଥାରେ ଚାଲୁଥିବା କୋଣାର୍କ ଝୋଟକଳକୁ ସରକାର ୨୦୧୩ ରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ପରେ ଏହି ଝୋଟକଳକୁ ରାଜ୍ୟ ସରକାର ଭାଟିଆ ଏବଂ ଓଡିଶା ଷ୍ଟିଭେଡର୍ସ (ଓସିଏଲ)କୁ ବିକ୍ରି କରିଦେଲେ। ସରକାରଙ୍କ ପକ୍ଷରୁ ୨୦୧୦ ଅକ୍ଟୋବରରେ ନିଲାମ ମାଧ୍ୟମରେ ୩୪ କୋଟି ଟଙ୍କାରେ ଓସିଏଲ ଏହାକୁ କ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା। ସେତେବେଳେ ଆଉ କେହି ଅଧିକ ମୂଲ୍ୟଧାରୀ ବିଡର ନଥିବାରୁ ଓସିଏଲ ସପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରେ କମ୍ପାନିର ବାକି ଥିବାରୁ ୧୧ବର୍ଷ ହେବ ବିଧିବଦ୍ଧ ଭାବେ ଓସିଏଲ୍ କ୍ରୟ କରିପାରିନଥିଲା।
ଦୁଇଦିନ ତଳେ ଓସିଏଲ କର୍ତ୍ତୃପକ୍ଷ ଓ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହେବା ପରେ ବିଧିବଦ୍ଧ ଭାବେ ଏହା ଓସିଏଲକୁ ହସ୍ତାନ୍ତର କରାଯାଇଛି। ଏହି କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୩ ହଜାର ଶ୍ରମିକ ତଥା ଝୋଟକଳ ଉପରେ ନିର୍ଭର କରି ଚଳୁଥିବା ପାଖାପାଖି ୨୫ ହଜାରରୁ ଅଧିକ ପରିବାରର ଭବିଷ୍ୟତ କ'ଣ ହେବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି କୃଷିଭିତ୍ତିକ ଝୋଟକଳ ବନ୍ଦ ପାଇଁ ଶିଳ୍ପ ବିଭାଗର ପରିଚାଳନାଗତ ତ୍ରୁଟି ହିଁ ମୁଖ୍ୟତଃ ଦାୟୀ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ୧୯୯୪ ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି କାରଖାନାର ପୁନରୁଦ୍ଧାର ସହିତ ଆଧୁନୀକରଣ ତଥା ଋଣ ପରିଶୋଧ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏହାପରେ ଝୋଟକଳ ଋଣମୁକ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ରୁଗ୍ଣ ହେବା ସହ ଝୋଟକଳର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲା। ୮୬ ଏକର ପରିବ୍ୟାପ୍ତ ଜମି, କୋଠାବାଡ଼ି ଓ ମିଲ୍ ଯନ୍ତ୍ରାଂଶକୁ ସରକାର ଏବେ ଘରୋଇ କମ୍ପାନି ହାତରେ ଟେକିଦେଇଛନ୍ତି। ସଂପୃକ୍ତ କଂପାନି ଏହାକୁ କେବେ ଚଳାଇବ କିମ୍ବା ଆଉ କ'ଣ କରିବ ସେନେଇ ସ୍ଥିତି ଅସ୍ପଷ୍ଟ ରହିଛି। କୃଷକଙ୍କ ଭାଗ୍ୟ ସହିତ ସିଧାସଳଖ ଜଡ଼ିତ ଏକ ଶିଳ୍ପ ବୁଡ଼ିଯିବା ଦୁଃଖଦାୟକ ବୋଲି ଶତାଧିକ ଚାଷୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/konark-jhota-kala.jpg)