ଓଇଆରସିକୁ ଚିଠି ଲେଖାଯିବ: ଶକ୍ତିମନ୍ତ୍ରୀ
ବିଧାନସଭା ହୁଲସ୍ତୁଲ, ୬ ଥର ମୁଲତବୀ
ଦର ବୃଦ୍ଧି ପ୍ରତ୍ୟାହାର ପାଇଁ ଅଡ଼ି ବସିଲା କଂଗ୍ରେସ
ଆବାସ ପ୍ରସଙ୍ଗ ବି ଉଠାଇ ସରକାରଙ୍କୁ ଘେରିଲା ବିଜେପି
ଭୁବନେଶ୍ବର : ବିଧାନସଭା ବାହାରେ ପ୍ରଚଣ୍ଡ ରୌଦ୍ର ତାପ। ଭିତରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ତାତି। ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଗୃହକୁ ଆଜି ବେଶ୍ କିଛି ସମୟ ଅଚଳ କରିଦେଇଥିଲେ ବିରୋଧୀ। ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରସଙ୍ଗକୁ ନେଇ ସରକାରଙ୍କୁ କଂଗ୍ରେସ ଘେରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହରେ ବିଜୁ ପକ୍କାଘର ଲୋଗୋକୁ ବିରୋଧ କରି ସରକାରଙ୍କୁ ଟାର୍ଗେଟ କରିଥିଲା। ଏହି ଦୁଇଟି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ବିଧାନସଭାର ପ୍ରଥମାର୍ଦ୍ଧକୁ ଅଚଳ କରିଦେଇଥିଲେ। ଫଳରେ ଗୃହ ୬ ଥର ମୁଲତବୀ ହୋଇଥିଲା। ଗୃହରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଅପରାହ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ ପ୍ରତିଶ୍ରୁତି ରଖିଥିଲେ ଯେ ବିଦ୍ୟୁତ ଦର ବୃଦ୍ଧିର ପୁନର୍ବିଚାର କରିବାକୁ ସରକାର ଓଇଆର୍ସିଙ୍କୁ ଚିଠି ଲେଖିବେ। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗୃହ ସ୍ବାଭାବିକ ହୋଇଥିଲା।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟଙ୍କ ସମେତ ସମସ୍ତ କଂଗ୍ରେସ ସଦସ୍ୟ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଗୃହ ମଧ୍ୟଭାଗକୁ ଯାଇ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିଜ ଆସନରେ ଠିଆ ହୋଇ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାର ଲୋଗୋ ଲଗାଇ ନିଜ ପ୍ରଚାର କରୁଛନ୍ତି। ଏପରି କାହିଁକି? ବାରମ୍ବାର ବିଜେପି ଆନ୍ଦୋଳନ କରୁଥିଲେ ବି ସରକାର ପିଏମ୍ଏଓ୍ବାଇ ଯୋଜନାରେ ନିର୍ମିତ ବାସଗୃହ ଆଗରେ ଲଗାଯାଉଥିବା ଫଳକରେ ବିଜୁ ପକ୍କାଘର ବୋଲି ବଡ଼ ବଡ଼ ଅକ୍ଷରରେ ଲେଖି ନିଜର ଶସ୍ତା ଲୋକପ୍ରିୟତା ଅର୍ଜନ କରିଚାଲିଛନ୍ତି। ବାଚସ୍ପତି ଆପଣ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏପରି କାର୍ଯ୍ୟରୁ ସରକାର ନିବୃତ୍ତ ରହିବେ। ବାଚସ୍ପତି ଶ୍ରୀ ପାତ୍ର କିଛି ନିର୍ଦ୍ଦେଶ ନ ଦେବାରୁ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। '୩୦ ପଇସା ଦର ବଢ଼ାଇଲା କିଏ? ରାଜ୍ୟ ସରକାର ଆଉ କିଏ' ବୋଲି କଂଗ୍ରେସ ସ୍ଲୋଗାନ୍ ଦେଉଥିବାବେଳେ ଆବାସ ଯୋଜନାକୁ ନିଜର ବୋଲି କହୁଥିବା ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ବିଜେପି ସଦସ୍ୟମାନେ ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।
/sambad/media/post_attachments/wp-content/uploads/2020/10/odisha-assembly-odishaassembly.nic_.in_-3.jpg)
୧୧ଟା ୩୦ରେ ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ ଜାରି ରଖିଥିଲେ। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନା ବୋଲି ନ ଲେଖିବାକୁ କେନ୍ଦ୍ର ସଚିବ ଗତ ୧୨ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ସିହ୍ନା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ପିଏମ୍ଏଓ୍ବାଇ-ଜି ଯୋଜନା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶ ସହିତ ରାଜ୍ୟ ସରକାର ନିଜସ୍ବ ସମ୍ବଳରୁ ସ୍ବଳ୍ପ ଅଂଶ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯେହେତୁ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଉଛନ୍ତି ସେଥିପାଇଁ ଏଥିରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ପିଏମ୍ଏଓ୍ବାଇ-ଜି ଲେଖାହେବ। କୌଣସି ରାଜ୍ୟ ସରକାରଙ୍କ ଆବାସ ଯୋଜନା ଲୋଗୋ ବ୍ୟବହାର ହୋଇପାରିବ ନାହିଁ। ସେହିପରି ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି। ଏହାକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ନାଏକ ଦାବି କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ର କହିଥିଲେ, ବିଦ୍ୟୁତ ଦର ବୃଦ୍ଧି ଲୋକଙ୍କୁ ବାଧୁଛି। କରୋନା ମହାମାରୀ ଯୋଗୁ ରୋଜଗାର ଯାଇଛି। ଗରିବ ଲୋକେ କୋଉଠୁ ପଇସା ଆଣିବେ ଯେ ଏପରି ଦରବୃଦ୍ଧିକୁ ସାମନା କରିବେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଯାହାକୁ ନେଇ ଲୋକଙ୍କ ଭିତରେ ପ୍ରତିକ୍ରିୟା ତୀବ୍ରତର ହେଲାଣି। ତୁରନ୍ତ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ। ଆଲୋଚନା କରି ବର୍ଦ୍ଧିତ ବିଦ୍ୟୁତ ଦର ବୃଦ୍ଧି ସମସ୍ୟା ନେଇ ସମାଧାନର ରାସ୍ତା ବାହାର କରନ୍ତୁ।
ବାଚସ୍ପତି ସର୍ବଦଳୀୟ ବୈଠକରେ ଯୋଗଦେବାକୁ ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ, ସିପିଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କୁ ଆମନ୍ତ୍ରଣ କରିଥିଲେ। ଏହାପରେ ୧୦ ମିନିଟ୍ ଗୃହ ମୁଲତବୀ ରହିଥିଲା। ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବାମାତ୍ରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ବାଚସ୍ପତି ରୁଲିଂ ଦେଇ କହିଲେ ସରକାର ଏ ସମ୍ପର୍କରେ ଅନୁଧ୍ୟାନ କରନ୍ତୁ। ବାଚସ୍ପତିଙ୍କୁ ରୁଲିଂକୁ ବିରୋଧୀ ଗ୍ରହଣ କରି ନଥିଲେ। ହୋହଲ୍ଲା ମଧ୍ୟରେ ବାଚସ୍ପତି ଅର୍ଥମନ୍ତ୍ରୀଙ୍କୁ ବ୍ୟୟ ମଞ୍ଜୁରି ବିଲ୍ ଆଗତ କରିବାକୁ ଡାକିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟ ମଞ୍ଜୁରି ବିଲ୍ ଆଗତ କରିଥିଲେ। ହୋହଲ୍ଲା ଜାରି ରହିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଜାରି ରହିଥିଲା। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆପଣ ଶକ୍ତିମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବିର୍ଦ୍ଧିତ ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ପାଇଁ ସେ ଓଇଆର୍ସି ଚିଠି ଲେଖିବେ। କିମ୍ବା ମୁଖ୍ୟମନ୍ତ୍ରୀ କହିଦିଅନ୍ତୁ ଏହି ଦରବୃଦ୍ଧି ଲାଗୁ ହେବନାହିଁ। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେଲା ଶକ୍ତିମନ୍ତ୍ରୀ ଚିଠି ଓଇଆର୍ସିଙ୍କୁ ଚିଠି ଲେଖିବାକୁ। କିନ୍ତୁ ଆପଣ ବାଚସ୍ପତି ସେ ନେଇ କିଛି ନିର୍ଦ୍ଦେଶ ଦେଉନାହାନ୍ତି। ଗୃହରେ ମନ୍ତ୍ରୀଙ୍କୁ ପଚାରିଲେ ଉତ୍ତର ମିଳୁନି। ଯାହା ବି ଉତ୍ତର ଆସୁଛି ସେଥିରେ ବୁଲେଇ ବଙ୍କେଇ ଉତ୍ତର ଦିଆଯାଉଛି। ଶ୍ରୀ ମିଶ୍ର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ଏକ ପ୍ରଶ୍ନର ଉତ୍ତର ପଢ଼ିଥିଲେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରକୃତ ଚାଷୀଙ୍କର ଧାନ କିଣା ଯିବ ବୋଲି ସରକାର ଥରେ ନୁହେଁ ଦୁଇଥର ଘୋଷଣା କରିଛନ୍ତି। ଆଜି ୩୧ ତାରିଖ ଚାଷୀଙ୍କ ଧାନ କିଣା ହେଲା କି? ଯଦି ସାଧାରଣ ଲୋକଙ୍କ ସମସ୍ୟା ଦୂର ହେବନି ତାହେଲେ ବିଧାୟକମାନେ କଣ ପାଇଁ ଏଠାକୁ ଆସିବେ। କଣ କେବଳ ଟିଏ ଡିଏ ନେବା ପାଇଁ? ଏପରି ବିଧାନସଭା ଚାଲିବା ଅର୍ଥ କଣ ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଥଲେ।
ଶ୍ରୀ ମିଶ୍ରଙ୍କୁ ଜବାବ ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ନେଇ ସର୍ବଦଳୀୟ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ। କେବଳ ସରକାର ଏ ନେଇ ଅନୁଧ୍ୟାନ କରନ୍ତୁ ବୋଲି ସେ ରୁଲିଂ ଦେଇଥିବା କହିଛନ୍ତି। ଏହାକୁ ନେଇ କିଛି ସମୟ ପାଇଁ ଉଭୟ ବାଚସ୍ପତି ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପୁଣି ଗୃହ ମୁଲତବୀ ରହିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ଶକ୍ତି ମନ୍ତ୍ରୀଙ୍କୁ ଗୃହରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିବାରୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ବିଦ୍ୟୁତ ଦର ବୃଦ୍ଧିର ପୁନର୍ବିଚାର ପାଇଁ ଖୁବଶୀଘ୍ର ଓଇଆର୍ସିଙ୍କୁ ପତ୍ର ଲେଖାଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ରୁଲିଂ ଦେବାକୁ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିବାରୁ ଏ ସମ୍ପର୍କରେ ପୂର୍ବରୁ ସରକାରଙ୍କୁ ନିର୍ଦ୍ଦେଶ ଦେଇସାରିଥିବା ନେଇ ବାଚସ୍ପତି କହିଥିଲେ। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗୃହ ସ୍ବାଭାବିକ ହୋଇଥିଲା।