ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରାରେ ରାଜ୍ୟ ସରକାର ପାସ୍ ବଣ୍ଟାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କର୍ଡନ ପାସ ୨୫୦୦ ଓ ଅନ୍ୟାନ୍ୟ ୨୨,୫୦୦ ପାସ୍କୁ ମିଶାଇ ୨୪,୩୫୦ ପାସ୍ ବଣ୍ଟନ ହୋଇଛି। ଯାହା ପୂର୍ବ ବିଜେଡି ସରକାର ସମୟରେ ବଣ୍ଟା ଯାଇଥିବା ପାସ୍ଠାରୁ ପ୍ରାୟ ୫ଗୁଣା ଅଧିକ। କାହା ସ୍ବାର୍ଥ ସାଧନ ପାଇଁ ଏତେ ସଂଖ୍ୟାରେ ଭିଆଇପି ପାସ୍ ବଣ୍ଟା ଯାଇଥିଲା ? ଆଇନ ମନ୍ତ୍ରୀ ଏହା ଉପରେ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର ଦାବି କରିଛନ୍ତି।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପାତ୍ର କହିଲେ, ବିରୋଧୀ ଦଳ ଥିବା ବେଳେ ବିଜେପି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବିରୋଧରେ ଚିତ୍କାର କରୁଥିଲା। ମାତ୍ର କ୍ଷମତାକୁ ଆସିବା ପରେ ବିଜେପି ପୁନର୍ବାର ଧାଡ଼ି ଦର୍ଶନ ଲାଗୁ କରିବା ପାଇଁ ଅଣ୍ଟା ଭିଡ଼ିଛି। ବହୁ ବାଦ ବିବାଦ ପରେ ପରିଚାଳନା କମିଟି ଗଠନ କରାଗଲା, କିନ୍ତୁ ଏହା ଦଳୀୟ କମିଟି ଭଳିଆ ପ୍ରତୀତ ହେଉଛି। କମିଟି ଧାଡ଼ି ଦର୍ଶନ ଉପରେ ପ୍ରାଥମିକତା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି, ରଥଯାତ୍ରା ସମୟରେ ବ୍ୟାରିକେଡ୍, ରାଧା ମାଧବ ବିଜେ, ବୟସ୍କା ହବିଷ୍ୟାଳୀ ମାଆ, ଭିଡ଼ ପାଇଁ ମହାସ୍ନାନ, ଭୋଗ ଆଦିରେ ଧାଡ଼ି ଦର୍ଶନ ବ୍ୟାଘାତ ସୃଷ୍ଟି କରିବ। ଏହା ଉପରେ କମିଟି ଦୃଷ୍ଟି ରଖିଛି କି ବୋଲି ଶ୍ରୀମତୀ ପାତ୍ର ପ୍ରଶ୍ନ କରିଛନ୍ତି।
ମୁଖପାତ୍ର ଲଲାଟେନ୍ଦୁ ଦାସ କହିଲେ, ଶ୍ରୀମନ୍ଦିର ଖଣି ଖାଦାନର ଦିନ ଦ୍ବିପ୍ରହରରେ ହରିଲୁଟ୍ ଚାଲିଛି। ଦେଶରେ ମହାପ୍ରଭୁଙ୍କ ୬୨ ହଜାର କୋଟି ଟଙ୍କାର ସମ୍ପତ୍ତି ଅଛି। ତହିଁରୁ ଓଡ଼ିଶାରେ ୩୮ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। ରାଜ୍ୟରେ ଥିବା ସମ୍ପତ୍ତିର ପ୍ରାୟ ୩୦% କେବଳ ଖୋର୍ଦ୍ଧା ଓ ପୁରୀରେ ଅଛି। ଏହି ସମ୍ପତ୍ତିରେ ହଜାର ହଜାର କୋଟି ଟଙ୍କାର ବାଲି, ମୋରମ ଓ ମାଙ୍କଡ଼ା ପଥର ଖଣି ଅନ୍ତର୍ଭୁକ୍ତ। ଏହି ଖଣି ଖାଦାନକୁ ବହୁବର୍ଷ ହେବ ସରକାର ନିଲାମ କରିନାହାନ୍ତି। ଏହାସତ୍ତ୍ବେ ଶାସନର ଛତ୍ରଛାୟା ତଳେ ପ୍ରଭାବଶାଳୀ ଲୋକ ଖଣି ଖାଦାନର ହରିଲୁଟ୍ କରି ଚାଲିଛନ୍ତି।
ସେ ଆହୁରିମଧ୍ୟ କହିଲେ ଯେ ଗତ ମେ ମାସରେ ହାଇକୋର୍ଟ ମହାପ୍ରଭୁଙ୍କ ସମତ୍ତି ରକ୍ଷଣାବେକ୍ଷଣରେ ବ୍ୟତିକ୍ରମ କେବଳ ଆଇନଗତ ସମସ୍ୟା ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଅପମାନ ଓ ସାଂସ୍କୃତିକ କ୍ଷତି ବୋଲି ଉଦ୍ବେଗ ପ୍ରକାଶ କରିଥିଲେ। ଅତିଶୀଘ୍ର ମହାପ୍ରଭୁଙ୍କ ସମ୍ପତ୍ତି ସରକାର ପୁନର୍ବାର ନିଜ ଅକ୍ତିଆରକୁ ଆଣନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶର ୪ ମାସ ବିତିଯାଇଥିଲେ ସୁଦ୍ଧା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ମହାପ୍ରଭୁଙ୍କ ସମ୍ପତ୍ତି ଆଇନ ମନ୍ତ୍ରୀଙ୍କ ପରିବାର ଦଖଲରେ ଅଛି କି ନାହିଁ ତାହାର ଏକ ସତ୍ୟପାଠ ଦାଖଲ କରନ୍ତୁ ବୋଲି ମୁଖପାତ୍ର ଶ୍ରୀ ଦାସ ଦାବି କରିଛନ୍ତି।