ଛଉନୃତ୍ୟର ବିକାଶ ପାଇଁ ହାତ ବଢ଼ାଇଲେ ସରକାର

ଛଉନୃତ୍ୟ ଓ ସଙ୍ଗୀତ ପାଇଁ ହେବ ଟ୍ରେନିଂ ସେଣ୍ଟର୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଛଉନୃତ୍ୟର ବିକାଶ ଓ ପ୍ରଚାର ସକାଶେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଗତ ୬ ବର୍ଷ ଧରି ଜାରି ରହିଥିବା ପ୍ରଚେଷ୍ଟା ଶେଷର ଫଳବତୀ ହେବାକୁ ଯାଉଛି। ଏ ସମ୍ପର୍କରେ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସରକାର ଏବେ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୩ ମାସ ତଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ବାରିପଦା ଆସି ଏ ସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ପ୍ରୋଜେକ୍ଟ ଛାଉଣୀର ନିର୍ଦ୍ଦେଶିକା ତଥା ଦକ୍ଷିଣସାହି ଓ ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହ ପ୍ରାଥମିକ ଆଲୋଚନା କରିଥିଲେ। ପୁଣି ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ବାରିପଦା ଆସି ଛଉନୃତ୍ୟ ସହ ସଂପୃକ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି, ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ, ପ୍ରୋଜେକ୍ଟ ଛାଉଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୁଭଶ୍ରୀ ମୁଖାର୍ଜୀଙ୍କ ସହ ଉତ୍ତର ଓ ଦକ୍ଷିଣସାହି ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମୟୂରଭଞ୍ଜରେ ଛଉ ନୃତ୍ୟ ପ୍ରତିଷ୍ଠାନର ପୁନଃଉଦ୍ଧାର, ଛଉନୃତ୍ୟ ଓ ସଙ୍ଗୀତର ସଂରକ୍ଷଣ, ପାଠ୍ୟକ୍ରମ ପ୍ରସ୍ତୁତି ଓ ଏକ ଟ୍ରେନିଂ ସେଣ୍ଟର୍ ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେବେ ବୋଲି ବିଭାଗୀୟ ଅଧିକାରୀମାନେ ବୈଠକରେ ପ୍ରକାଶ କରିଥିଲେ। ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ସମଗ୍ର ଜିଲ୍ଲାରେ ସର୍ଭେ କରାଯାଇ ଛଉ ନୃତ୍ୟ ଅନୁଷ୍ଠାନ ଓ କଳାକାରମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତି ବାବଦରେ ସଂସ୍କୃତି ବିଭାଗକୁ ତଥ୍ୟ ଦିଆଯାଇଛି। ଏଥିସହ ଭବିଷ୍ୟତ ପାଇଁ ଏକ ନକ୍ସା ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ଶ୍ରୀମତୀ ମୁଖାର୍ଜୀ କହିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଛଉନୃତ୍ୟର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ଏଥିପାଇଁ ସେ ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର