ମନ୍ଦିର, ସେଲୁନ୍‌ ସବୁ ଖୋଲିଲାଣି, କେବଳ ବନ୍ଦ ଅଛି ଅସ୍ତ୍ରୋପଚାର

ଡାକ୍ତରଖାନା ଗୁଡ଼ିକରେ ନିୟମିତ ଅସ୍ତ୍ରୋପଚାର ଅନୁମତି ପାଇଁ ଭୁଲି ଯାଇଛନ୍ତି ସରକାର

ସମ୍ବଲପୁର : କରୋନା ନିୟନ୍ତ୍ରଣକୁ ଆସିଲାଣି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଦୈନିକ ପଜିଟିଭ୍ ସଂଖ୍ୟା ୧୦୦ ତଳକୁ ରହୁଛି। ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ଦୁଇ ଅଙ୍କରେ ରହୁଥିଲାବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ଏକଅଙ୍କରେ ଅର୍ଥାତ୍ ୧୦ରୁ କମ୍ ରହୁଛି। କୋଭିଡ୍ ମୃତ୍ୟୁ ନାହିଁ କହିଲେ ଚଳେ। ସ୍ଥିତି ସ୍ବାଭାବିକ ହେଉଥିବା ଦେଖି ସରକାର କ୍ରମେ ସବୁ ଖୋଲି ଦେଲେଣି। ପିଲା ସ୍କୁଲ୍ ଆସିଲେଣି, ଶ୍ରଦ୍ଧାଳୁ ମନ୍ଦିର ଗଲେଣି। ରାସ୍ତାଘାଟରେ ବି ଅସମ୍ଭାଳ ଭିଡ଼ ଜମୁଛି। ଅଧିକାଂଶ କୋଭିଡ୍ ହସ୍‌ପିଟାଲ୍ ବନ୍ଦ କରି ଦିଆଗଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନା ଗୁଡ଼ିକରେ ନିୟମିତ ବା ଅଣଜରୁରୀ ଅସ୍ତ୍ରୋପଚାର ବନ୍ଦ ରହିଛି। ଅର୍ଥାତ୍ ଦୁର୍ଘଟଣା, ପ୍ରସବ ଭଳି ଜରୁରୀ ଅସ୍ତ୍ରୋପଚାରକୁ ଛାଡ଼ି ଅନ୍ୟ ସବୁ ସାଧାରଣ ଅସ୍ତ୍ରୋପଚାର ବନ୍ଦ ରହିଛି।

ବଡ଼ ଡାକ୍ତରଖାନା ହେଉ କି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କେଉଁଠି ବି ନିୟମିତ ବା ସାଧାରଣ ଅସ୍ତ୍ରୋପଚାର କରାଯାଉ ନାହିଁ। କାହାର ପାଇଲ୍‌ସ, କାହାର ହାଇଡ୍ରୋକ୍‌ସିଲ୍, କାହାର ଗଲ୍‌ବ୍ଲାଡର୍‌ ତ କାହାର ଗର୍ଭାଶୟ କାଢ଼ିବା ଅସ୍ତ୍ରୋପଚାର ସବୁ ବକେୟା ରହିଛି। ଏଭଳି ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀଙ୍କୁ ନିରାଶ ହେବାକୁ ପଡ଼ୁଛି। ସିଧା ଫେରାଇ ଦେଉଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। କହୁଛନ୍ତି ଅଣଜରୁରୀ ଅସ୍ତ୍ରୋପଚାର ପାଇଁ ସରକାରୀ ଅନୁମତି ନାହିଁ। ନର୍ସିଂହୋମ୍ ଯାଇ କରାଅ, ନଚେତ ପରେ ଆସିବ। ଏହି କାରଣରୁ ଗରିବ ରୋଗୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଅଯଥାରେ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। କରୋନାର ପ୍ରକୋପ ବଢ଼ିବା କାରଣରୁ ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଡାକ୍ତରଖାନା ଗୁଡ଼ିକରେ ଅଣଜରୁରୀ ଅସ୍ତ୍ରୋପଚାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ସରକାରୀ, ବେସରକାରୀ ଆଦି ସବୁ ଡାକ୍ତରଖାନା ପାଇଁ ଏହି ନିର୍ଦ୍ଦେଶ ପ୍ରଯୁଜ୍ୟ ଥିଲା।କିନ୍ତୁ ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ହୋଇ ସବୁ ଖୋଲିବା ପରେ ବି କିନ୍ତୁ ଅସ୍ତ୍ରୋପଚାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବାକୁ ସରକାର ଭୁଲି ଯାଇଛନ୍ତି। ଏହି ବାହାନାରେ ସରକାରୀ ଡାକ୍ତରଖାନା ମାନେ ବି କୌଣସି ନିୟମିତ ଅସ୍ତ୍ରୋପଚାର କରୁ ନାହାନ୍ତି।

ଅପରପକ୍ଷରେ ଘରୋଇ ଡାକ୍ତରଖାନା ଗୁଡ଼ିକ ପରିସ୍ଥିତି ଦେଖି ଅସ୍ତ୍ରୋପଚାର ଜାରି ରଖିଛନ୍ତି। ଫଳରେ ସେମାନଙ୍କୁ ବେଶ ଲାଭ ବି ମିଳୁଛି। ସରକାରୀ ଡାକ୍ତରଖାନାରେ ମନା କରୁଥିବା ଡାକ୍ତରମାନେ ନିଜେ ଘରୋଇ ଡାକ୍ତରଖାନା ଯାଇ ଅସ୍ତ୍ରୋପଚାର କରୁଛନ୍ତି। ଏହି ବିଷୟରେ ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକଙ୍କୁ ପଚାରିବାରୁ ସେ ବୁର୍ଲା ବଡ଼ ଡାକ୍ତରଖାନାରେ ଅଣଜରୁରୀ ଅସ୍ତ୍ରୋପଚାର ବନ୍ଦ ଥିବା କଥାକୁ ସ୍ବୀକାର କରିଥିଲେ। ସରକାରଙ୍କ ନିର୍ଦ୍ଦେଶରେ ଏହା ବନ୍ଦ କରା ଯାଇଥିବାରୁ ପୁଣି ନିର୍ଦ୍ଦେଶ ମିଳିଲେ ଯାହା ତାହା ପୁଣି ଖୋଲାଯାଇ ପାରିବ ବୋଲି ପ୍ର. ନାୟକ କହିଥିଲେ।‌ ସେହିପରି ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେର କହିଲେ ଯେ ସରକାରୀ ନିର୍ଦ୍ଦେଶ ଆସି ନଥିଲେ ବି ପ୍ରାୟତଃ ସବୁ ସ୍ବାଭାବିକ ହେଲାଣି। କିଛି କିଛି ବିଭାଗରେ ଅସ୍ତ୍ରୋପଚାର ବି ଆରମ୍ଭ ହେଲାଣି। ଅନ୍ୟ ସବୁ ଚିକିତ୍ସା ସ୍ବାଭାବିକ ହୋଇ ସାରିଥିଲାବେଳେ ସରକାରଙ୍କ ଅନୁମତି ମିଳିବା ମାତ୍ରେ ସବୁ ପ୍ରକାର ଅସ୍ତ୍ରୋପଚାର ବି ଆରମ୍ଭ ହେବ ବୋଲି ପ୍ର. ମେହେର କହିଥିଲେ।

ସମ୍ବନ୍ଧିତ ଖବର