‘କରୋନା ମୁକାବିଲାରେ ରାଜ୍ୟ ସରକାର ଗଞ୍ଜାମକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି’

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୀର୍ଘ ୪ ମାସ ହେଲା କରୋନା ମହାମାରୀର ମୁକାବିଲା ପାଇଁ ଦିନରାତି ଏକ କରିଦେଇଛି। ଏହାସହ ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି ବୋଲି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିବା ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ କହିଛନ୍ତି।

ସ୍ଥାନୀୟ ସର୍କିଟ୍ ହାଉସ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସୌଜନ୍ୟମୂଳକ ଆଲୋଚନା ବେଳେ ଶ୍ରୀ ମଙ୍ଗରାଜ କହିଛନ୍ତି, ପ୍ରତିଦିନ ଦୁଇ ଥର (ପୂର୍ବାହ୍ନ ୧୧ଟା ଓ ଅପରାହ୍‌ଣ ୫ଟା) ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଜିଲ୍ଲାର ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି। ଜିଲ୍ଲାରେ ପୂର୍ବ ତୁଳନାରେ ବର୍ତ୍ତମାନ ଅଧିକ କରୋନା ପରୀକ୍ଷା କରାଯାଉଛି। ଜିଲ୍ଲାରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିଛି। କରୋନା ସହ ଏବେ ସମସ୍ତ ଲଢ଼ୁଛନ୍ତି। ଏହି ଯୁଦ୍ଧରେ ଆମକୁ ବିଜୟୀ ହେବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। କିନ୍ତୁ ଏହି ଘଡ଼ିସନ୍ଧି ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଅନ୍ୟ ଗଣମାଧ୍ୟମରେ ନକରାତ୍ମକ ଖବର ପ୍ରସାରଣ ଓ ପ୍ରକାଶ କୋଭିଡ଼୍‌ ଯୋଦ୍ଧାଙ୍କ ମନୋବଳକୁ ହ୍ରାସ କରୁଛି। ଖବରକୁ ଭଲ ଭାବେ ତର୍ଜମା କରିବା ସହ ସତ୍ୟାସତ୍ୟକୁ ଅନୁଧ୍ୟାନ କରି ପ୍ରକାଶ କରିବା ଲାଗି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ମଙ୍ଗରାଜ ପରାମର୍ଶ ଦେଇଥିଲେ। ସକରାତ୍ମକ ଖବର ପ୍ରସାରଣ ଓ ପ୍ରକାଶ କରୋନା ଯୋଦ୍ଧା ଅଙ୍ଗନବାଡ଼ି, ଆଶାକର୍ମୀ, ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍ କର୍ମଚାରୀ ଓ ପୁଲିସଙ୍କ ମନୋବଳକୁ ଦୃଢ଼ କରିବ। ଏହାକୁ ଗଣମାଧ୍ୟମ ପ୍ରତିନିଧି ମାନେ ଗୁରୁତ୍ବ ଦିଅନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପ୍ରବାସୀ ମାନେ ଆସିବାରୁ ଗଞ୍ଜାମର ସ୍ଥିତି ବିଗିଡ଼ିଗଲା ବୋଲି କହିବା ଠିକ୍‌ ନୁହଁ। ଗୁଜରାଟରୁ ଯେତେବେଳେ ପ୍ରବାସୀଙ୍କୁ ନେଇ ବସ୍ ଆସିଲା ସ‌େତେବେଳେ ରାଜ୍ୟ ସରକାରଙ୍କ ପାଖରେ ସୂଚନା ନ ଥିଲା। ରାଜ୍ୟ ସରକାର ଜାଣିଲା ବେଳକୁ ଅଧିକାଂଶ ବସ୍ ଛତିଶଗଡ଼ ସୀମା ପାର ହୋଇସାରିଥିଲା। ଏଭଳି ସ୍ଥିତିରେ କଣ କରାଯାଇପାରିଥାନ୍ତା, ବୋଲି ସେ କହିଥିଲେ। ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହ ସମନ୍ବୟ ରଖି କୋଭିଡ଼୍‌ ପରିଚାଳନା କରୁଥିବା ସେ ପ୍ରକାଶ କରିଥିଲେ।

ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଶ୍ରୀ ମଙ୍ଗରାଜ କହିଛନ୍ତି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କରୋନାରେ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକଙ୍କ କ୍ଷତିପୂରଣ ରାଶି ୧୫ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲାପାଳ ମାନଙ୍କୁ ପଠାଇ ଦିଆଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ଅର୍ଥର ଅଭାବ ନାହିଁ। ଯେକୌଣସି ସାମ୍ବାଦିକ କୌଣସି ଦୂରାରୋଗ୍ୟରେ ପୀଡ଼ିତ ହେଲେ କଲ୍ୟାଣ ପାଣ୍ଠିରୁ ୨ଲକ୍ଷ ରୁ ୧୦ଲକ୍ଷ ଯାଏ ଦିଆଯାଇପାରିବ। ସୂଚନା ଲୋକସମ୍ପର୍କ ବିଭାଗ ନିକଟରେ ଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୬୦୧୧ଜଣ ସାମ୍ବାଦିକ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ଏହି ତଥ୍ୟ ବହୁ ପୂର୍ବର । ବର୍ତ୍ତମାନ ବିଭାଗ ପକ୍ଷରୁ ପୁଣି ଡାଟାବେସ୍‌ ପ୍ରସ୍ତୁତ କରାଯାଉଛି। ଖୁବ୍‌ଶୀଘ୍ର ତାଲିକା ପ୍ରସ୍ତୁତ ହେବ ବୋଲି ସେ କହିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର