ପୁଲିସ ସଂସ୍କାର ନେଇ ବାରମ୍ବାର ସୁପ୍ରିମ୍‌କୋର୍ଟରେ ଅସତ୍ୟ କହିଛନ୍ତି ସରକାର: କଂଗ୍ରେସ

ଗୋଟିଏ ମାମଲାରେ ତିନିଥର ମିଥ୍ୟା ସତ୍ୟପାଠ ଦେଇଛି ଗୃହ ବିଭାଗ

ଭୁବନେଶ୍ବର : ପୁଲିସ ସଂସ୍କାର ନେଇ ଥରେ ନୁହଁ ବାରମ୍ବାର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅସତ୍ୟ କହିଛନ୍ତି। ରାଜ୍ୟ‌ରେ ଆଇନ୍‌ଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଦଣ୍ଡ ହାର ଜାତୀୟ ହାର ଠାରୁ ସର୍ବନିମ୍ନ । ଲକ୍‌ଡାଉନ୍ ସମୟରେ ନାରୀ ନିର୍ଯାତନା ଶୀର୍ଷରେ ପହଞ୍ଚିଛି। ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୁଲିସର ସଫଳତା ହାର ମାତ୍ର ୨୭ ପ୍ରତିଶତ। ଯାହାକି ଜାତୀୟ ସ୍ତରରେ ସବୁଠୁ କମ୍‌। ଆଜି ସମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ଏପରି ବର୍ଷିଛି କଂଗ୍ରେସ। ସୂଚନା ଅଧିକାର ଆଇନ ବଳରେ ସରକାରଙ୍କ ଏହି ମିଛ ଧରାପଡ଼ିବା ପରେ ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ସମ୍ପର୍କରେ ସ୍ପଷ୍ଟୀକରଣ ରଖିବାକୁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛି।

ଦଳୀୟ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ‌ଯେ ଦେଶରେ ପୁଲିସକୁ ଚାପ ମୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ଓ ଆସାମର ତତ୍କାଳୀନ ପୁଲିସ ଡିଜି ପ୍ରକାଶ ସିଂହ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଦେଶର ପୁଲିସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଥିଲେ। ୨୦୦୬ ସେପ୍ଟେମ୍ବର ୨୨ ତାରିଖରେ ସୁପ୍ରିମକୋର୍ଟ ପୁଲିସ ସଂସ୍କାର ପାଇଁ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ପୁଲିସ ସେବାରେ ତଦନ୍ତ ଓ ଆଇନ୍‌ଶୃଙ୍ଖଳା ବିଷୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ପୁଲିସକୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ଦୁଇଟି ବିଷୟକୁ ପୃଥକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ଯାଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ୨୦୦୭ ଏପ୍ରିଲ୍‌ ୧୧, ୨୦୦୮ ମସିହା ଜାନୁଆରି ୨୫ ଓ ୨୦୧୩ ମସିହାର ଏପ୍ରିଲ୍‌ ୧ ତାରିଖ ଦିନ ସତ୍ୟପାଠ ମାଧ୍ୟମରେ ପୁଲିସ୍ ବ୍ୟବସ୍ଥାରେ ଆଇନଶୃଙ୍ଖଳା ଓ ତଦନ୍ତକୁ ପୃଥକ କରିଦିଆଯାଇଛି ବୋଲି କୋର୍ଟଙ୍କୁ ଜଣାଇଥିଲେ। ଏଥିରେ ବିଧିବଦ୍ଧ ଭାବେ ରାଜ୍ୟ ଗୃହ ବିଭାଗ ୨୦୦୭ ଏପ୍ରିଲ ୬ ତାରିଖରେ ଜାରି କରିଥିବା ବିଜ୍ଞପ୍ତି ନମ୍ବର ୧୮୪୧୫ ଅନୁଯାୟୀ ଦୁଇଟିଯାକ ବିଷୟ ପୃଥକ କରାଯାଇଛି ବୋଲି ଉଲ୍ଲେଖ ରହିଥିଲେ। କିନ୍ତୁ ଏବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସର କୌଣସି ଗୋଟିଏ ଥାନାରେ ଆଇନଶୃଙ୍ଖଳା ଓ ତଦନ୍ତକୁ ପୃଥକ କରିନାହାନ୍ତି ବୋଲି ଉତ୍ତର ମିଳିଛି। ଏ ନେଇ ପୂର୍ବରୁ ସରକାର କେବଳ ସୁପ୍ରିମକୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର