ଭୁବନେଶ୍ବର: କୋଭିଡ-୧୯ର ୩ୟ ଲହର ତଳମୁହାଁ ହେବା ପରେ ରାଜ୍ୟରେ ସୋମବାର ଠାରୁ ଅଷ୍ଟମରୁ ଉପରକୁ ସ୍କୁଲ ଓ କଲେଜରେ ଅଫ୍ଲାଇନ୍ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ସରକାର ୨୦୨୧-୨୨ ଶିକ୍ଷା ବର୍ଷ ଲାଗି ପ୍ରି-ସ୍କୁଲ ତଥା କେଜି ପିଲାଙ୍କ ଠାରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଗାମୀ ୧୪ ତାରିଖ ଠାରୁ ପ୍ରି-ସ୍କୁଲ ତଥା କେଜି ସ୍କୁଲ ପାଠ୍ୟକ୍ରମ ଅଫ୍ଲାଇନ୍ରେ ହେବ। କୋଭିଡ-୧୯ କଟକଣା ମଧ୍ୟରେ ବିଦ୍ୟାଳୟ ପରିସରରେ ଅଫ୍ଲାଇନ୍ କ୍ଲାସ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସରକାର ଘରୋଇ ପ୍ରି-ସ୍କୁଲଗୁଡ଼ିକୁ ମଧ୍ୟ କୋଭିଡ ଗାଇଡଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚିଠି ଲେଖିଛନ୍ତି।
ରାଜ୍ୟ ସରକାର ଘରୋଇ ସ୍କୁଲର ଶିକ୍ଷକ ଓ ଅଣ-ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଯେଉଁମାନେ ସ୍କୁଲକୁ ଆସୁଛନ୍ତି, ସେମାନେ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ଦରକାର। ଛୋଟପିଲାମାନଙ୍କ ଯତ୍ନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟିତ୍ବବାନ ହେବା ଆବଶ୍ୟକ।
ଚଳିତ ମାସ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହୋଇଯାଇଛି। ଏଥି ସହିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମତେ ଅନ୍ୟାନ୍ୟ ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଗତ ୩ ତାରିଖରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ, ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ର ବିକଳ୍ପ ବାଛି ପାରିବେ।
ମୁଖ୍ୟ ଶାସନ ସଚିବ କହିଥିଲେ ଯେ, କରୋନା ଯୋଗୁଁ ବିଗତ ୨ ବର୍ଷ ହେବ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଶେଷ ଭାବରେ ଛୋଟ ପିଲାମାନେ ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଯାଇପାରିନାହାନ୍ତି। ଦ୍ବିତୀୟ ଲହର ପରେ ରାଜ୍ୟ ସରକାର ୬ଷ୍ଠରୁ ଉପର ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ-କଲେଜ ଖୋଲିଥିଲେ। କିନ୍ତୁ ଏଥିରେ କରୋନାର ୩ୟ ଲହର ଦାଉ ସାଜିଥିଲା। ତେଣୁ ଗତମାସ ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।
ଶ୍ରୀ ମହାପାତ୍ର କହିଥିଲେ, ଏବେ କରୋନାର ୩ୟ ଲହରର ପ୍ରଭାବ କମିଛି। ଏହି ଲହରରେ ହସ୍ପିଟାଲରେ ଲୋକେ କମ ସଂଖ୍ୟାରେ ଭର୍ତ୍ତି ହେଉଛନ୍ତି। ଏବେ ଏହା ନିୟନ୍ତ୍ରଣକୁ ଆସିଛି। ବର୍ତ୍ତମାନ ପଜିଟିଭିଟି ହାର କମ୍ ରହୁଛି। ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି। ତେବେ ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ମହଲରୁ ସ୍କୁଲ ଖୋଲିବା ନେଇ ଦାବି ହୋଇ ଆସୁଥିଲା। ଛାତ୍ରଛାତ୍ରୀମାନଙ୍କ ବୃହତ୍ତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜଗୁଡ଼ିକ ପୁଣି ଥରେ ଖୋଲୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/047407ff-3ee0-4203-b89d-8ed02dd523e3.jpg)