ସରକାରୀ କାର୍ଡ କାମକରୁନି ! ଅର୍ଥାଭାବରୁ ହସ୍ପିଟାଲ ସାମ୍ନାରେ ବସିଛନ୍ତି କିଡନୀ ଅଚଳ ହୋଇଯାଇଥିବା ଯୁବକ, ଚିକିତ୍ସା ହୋଇପାରୁନି

ଭୁବନେଶ୍ୱର: ଜୀବନ ମୃତ୍ୟୁର ସଂଘର୍ଷ ଭିତରେ ଏବେ ବଂଚିବା ଆଶା ନେଇ ରାଜଧାନୀର ଏକ ବଡ଼ ଘରୋଇ ହସ୍ପିଟାଲ ବାରଣ୍ଡାରେ ବସିଛନ୍ତି କେନ୍ଦୁଝରର ଯୁବକ ମହେଶ୍ୱର ପେଡା | ମହେଶ୍ୱରଙ୍କର ଘର କେନ୍ଦୁଝର ହାଟଡିହି ବ୍ଲକ ମରିଚଇପା ହୋଇଥିବାବେଳେ ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଛି | ମାତ୍ର ଟଙ୍କା ଅଭାବରୁ ଚିକିତ୍ସା ଆରମ୍ଭ ହୋଇପାରୁନାହିଁ।

କେନ୍ଦୁଝରରେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ତିନି ଦିନ ତଳେ ମହେଶ୍ୱର ଭଲ ଚିକିତ୍ସା ଟିକିଏ ପାଇବା ଲାଗି ଭୁବନେଶ୍ୱର ଚାଲିଆସିଥିଲେ | ଗରିବ ପରିବାରର ହୋଇଥିବାରୁ ଓ  ବାପା କରୁଣାକର ପେଡ଼ାଙ୍କର ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଏବଂ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ କଲ୍ୟାଣ ବୀମା କାର୍ଡ ପାଖରେ ଥିବାରୁ  ପ୍ରଥମେ ଭୁବନେଶ୍ୱରର ଏକ ଜଣାଶୁଣା ଘରୋଇ  ହସ୍ପିଟାଲ ଯାଇଥିଲେ ବି ସେଠାରେ ତାଙ୍କୁ ଚିକିତ୍ସା ପାଇଁ ୪୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା | ତେବେ ତାଙ୍କ ପାଖରେ ଏତେ ଟଙ୍କା ନ ଥିବାବେଳେ ବିଜୁ ବିଜୁ କୃଷକ କଲ୍ୟାଣ କାର୍ଡ ଥିବାର ସେ କହିଥିଲେ | କିନ୍ତୁ ବିଜୁ କୃଷକ କଲ୍ୟାଣ କାର୍ଡ ନବୀକରଣ ହୋଇ ନଥିବାରୁ ତାଙ୍କୁ ଚିକିତ୍ସାଲାଗି ଭର୍ତ୍ତି କରାଯାଇ ନଥିଲା |

ଏହା ପରେ ନୟାପଲ୍ଲୀ ବସ ଷ୍ଟପରେ ତିନି ରାତି କାଟିବା ପରେ ତାଙ୍କୁ ସାହାଯ୍ୟ ପାଇଁ  ସାମାଜିକକର୍ମୀ ଜ୍ୟୋସ୍ନା ଦେବୀ ସିଂ ମର୍ଦ୍ଦରାଜ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶଙ୍କୁ ଟ୍ୱିଟ କରିଥିଲେ| ଏହା  ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍ କରି  ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁଭାନନ୍ଦ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ | କିନ୍ତୁ ବାରମ୍ବାର ଯୋଗାଯୋଗ ପରେ ବି କୌଣସି ଫଳ ମିଳି ନଥିବା ଯୁବକଙ୍କ ପରିବାର ସଦସ୍ୟ କହିଛନ୍ତି | ଜୀବନ ଜିଇଁବାକୁ ଏବେ ଏହି ଯୁବକ ମେଡିକାଲ ବାହାରେ ଅପେକ୍ଷା କରି ବସି ରହିଛନ୍ତି |

ସମ୍ବନ୍ଧିତ ଖବର