ଅସହାୟ ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ସରକାର, ସଂଗଠନ ଓ ଡାକ୍ତରଗଣ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ଏକ ମାସରୁ ଜାରି ରହିଥିବା କରୋନାର କରାଳ ରୂପରେ ପାଖାପାଖି ୪୦ ଜଣ ପ୍ରବାସୀ ଓଡ଼ିଆ ପ୍ରାଣ ହରାଇ ସାରିଥିବା ବେଳେ ଏବେବି କରୋନା ଆକ୍ରାନ୍ତମାନେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ହସ୍‌ପିଟାଲମାନଙ୍କରେ ଚିକିତ୍ସିତ ହେଉଛନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ପ୍ରବାସୀ ଓଡ଼ିଆମାନେ ସଂକ୍ରମଣର ଶିକାର ହେବା ପରେ ଘରେ ରହି ଚିକିତ୍ସିତ ହେବାକୁ ଉଚିତ ମନେକରୁଛନ୍ତି।

ଅସହାୟ ପ୍ରବାସୀ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ସହାୟତାର ହାତ ବଢ଼ାଇଯାଇ ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ଅଗ୍ରାଧିକାର ଭିତ୍ତିରେ ଅକ୍ସିଜେନ୍ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଅସହାୟ ବ୍ୟକ୍ତିମାନଙ୍କର ଶବସତ୍କାର ପାଇଁ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ କରୋନାରେ ପ୍ରଭାବିତ ଗରିବ ପ୍ରବାସୀ ଓଡ଼ିଆଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବାକୁ ନେଇ ତତ୍ପରତା ପ୍ରକାଶ କରାଯାଇଛି। ଅପରପକ୍ଷେ ଆବାସିକ କମିସନରଙ୍କ କାର୍ଯ୍ୟାଳୟର ସହଯୋଗରେ ପ୍ରବାସୀ ଓଡ଼ିଆ ସଂଗଠନ ଓଡ଼ିଆ ମହାମଞ୍ଚର ୧୫ ଜଣ ସ୍ୱେଚ୍ଛାସେବୀ ଦିଲ୍ଲୀ ଓ ଏନ୍‌ସିଆର ଅଞ୍ଚଳରେ ଆଜି ସୁଦ୍ଧା ୨୩୬ଟି ଅସହାୟ ପ୍ରବାସୀ ଓଡ଼ିଆଙ୍କୁ ୨୩୬ଟି ଅକ୍ସିଜେନ୍ ସିଲିଣ୍ଡର ବଣ୍ଟନ କରିଥିବାର ସଂଗଠନର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ସୂଚନା ଦେଇଛନ୍ତି।

ସଂସଗଠନର ସ୍ୱେଚ୍ଛାସେବୀମାନେ ଶବସତ୍କାର କରାଇବା କାର୍ଯ୍ୟରେ ମଧ୍ୟ ସହଯୋଗ କରୁଛନ୍ତି। ସେହିଭଳି ଓଡ଼ିଶା ପଜିଟିଭ୍ ସଂସ୍ଥା ରୁଟ୍‌ସ ଅଫ୍ ଓଡ଼ିଶା ଫାଉଣ୍ଡେସନ୍‌ର ସହଯୋଗରେ ଦିଲ୍ଲୀ ଓ ଏନ୍‌ସିଆର ଅଞ୍ଚଳରେ କୋଭିଡ୍ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିଥିବାର ଓଡ଼ିଶା ପଜିଟିଭ୍ ବୋର୍ଡର ଅଧ୍ୟକ୍ଷ ସଞ୍ଜୀବ କୁମାର ମହାନ୍ତି ସୂଚନା ଦେଇଛନ୍ତି। କୋଭିଡ୍ ରୋଗୀଙ୍କ ପାଇଁ ମାଗଣା ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯିବା ସହିତ ହସ୍‌ପିଟାଲ ମାନଙ୍କରେ ଶଯ୍ୟା, ଅକ୍ସିଜେନ୍, ଔଷଧ, ପ୍ଲାଜମା କିଭଳି ହାସଲ କରାଯାଇ ପାରିବ ସେନେଇ ପରାମର୍ଶ ଦିଆଯାଉଥିବାର ସଂସ୍ଥାର ଡାକ୍ତର ବିକ୍ରମ ମହାନ୍ତି ସୂଚନା ଦେଇଛନ୍ତି। ଏହାବାଦ୍ ସଂକଟ ସମୟରେ ରୋଗୀମାନେ ହସ୍‌ପିଟାଲକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ପ୍ରବାସୀ ଓଡ଼ିଆ ଡାକ୍ତରମାନେ ନିଜଆଡୁ ରୋଗୀମାନଙ୍କୁ ଫୋନ୍‌ ଜରିଆରେ ପରାମର୍ଶ ଦେବାକୁ ବେଶ୍ ସକ୍ରିୟ ରହିଛନ୍ତି। ବିଭିନ୍ନ ମହଲରୁ ହେଉଥିବା ଏକାଧିକ ପ୍ରୟାସ କରୋନା ରୋଗୀଙ୍କ ମନରେ ଆଶାର କିରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର