ବିନା ଶିକ୍ଷକରେ ସରକାରୀ ହାଇସ୍କୁଲ୍‌! ଗୋଟିଏ ବି ପଦବି ମଂଜୁର ହୋଇନି

୮ଟି ବ୍ୟାଚ୍‌ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି

ରାଜନଗର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଚାଲିଥିବା ନୋଡାଲ ଉପ୍ରା ବିଦ୍ୟାଳୟକୁ ସରକାର ଅପ୍‌ଗ୍ରେଡେଡ୍‌ କରି ହାଇସ୍କୁଲର ମାନ୍ୟତା ଦେଇଛନ୍ତି। ୨୦୧୨ରୁ ନୋଡାଲ ଉପ୍ରା ବିଦ୍ୟାଳୟ ସରକାରୀ ଅପ୍‌ଗ୍ରେଡେଡ୍‌ ହାଇସ୍କୁଲର ମାନ୍ୟତା ପାଇଛି। ହାଇସ୍କୁଲ ମାନ୍ୟତା ପାଇବା ଦିନଠୁ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ା ହେଉଛି। ଆଜି ସୁଦ୍ଧା ୮ଟି ବ୍ୟାଚର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି। ମାତ୍ର ଆଶ୍ଚର୍ଯ୍ୟର କଥା, ଏହି ହାଇସ୍କୁଲ ପାଇଁ ଆଜି ଯାଏ ଗୋଟିଏ ବି ପଦବି ମଂଜୁର ହୋଇନି କି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନି। ଅନ୍ୟ ହାଇସ୍କୁଲରୁ ୩ଦିନିଆ ଡେପୁଟେସନ୍‌ରେ ଆସି ୩ଜଣ ଶିକ୍ଷକ ଏହି ହାଇସ୍କୁଲରେ ପାଠ ପଢାଉଛନ୍ତି। ଏପରିକି ଏହି ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରଭାଷା ହିନ୍ଦୀ ପଢ଼ିବା ପାଇଁ ବାରଣ କରାଯାଉଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତର ବଗପାଟିଆରେ ଏପରି ହାଇସ୍କୁଲ ରହିଛି। ଓଡ଼ିଶାରେ ବିନା ଶିକ୍ଷକରେ ସରକାରୀ ହାଇସ୍କୁଲ ଥାଇପାରେ, ତାହା କାନକୁ ଅଡୁଆ ଶୁଭୁଥିଲେ ମଧ୍ୟ ରାଜନଗରରେ ସେପରି ବିଦ୍ୟାଳୟ ରହିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି।

ସମୁଦ୍ର ଆଁ ମୁହଁରେ ଥିବା ସାତଭାୟାବାସୀଙ୍କୁ ବଗପାଟିଆଠାରେ ଥଇଥାନ କରାଯାଇଛି। ବଗପାଟିଆରେ ଥିବା ସାତଭାୟାର ପଞ୍ଚୁବରାହୀ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଥିଲା। ପଞ୍ଚାୟତବାସୀଙ୍କ ଦୀର୍ଘଦିନର ଦାବି ପରେ ୨୦୧୨ ମସିହାରେ ପଞ୍ଚୁବରାହୀ ନୋଡାଲ ଉପ୍ରା ବିଦ୍ୟାଳୟକୁ ସରକାରୀ ଅପ୍‌ଗ୍ରେଡେଡ୍‌ ପଞ୍ଚୁବରାହୀ ହାଇସ୍କୁଲର ମାନ୍ୟତା ମିଳିଲା। ୨୦୧୨ ଶିକ୍ଷାବର୍ଷରେ ନବମ ଓ ୨୦୧୩ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେଲା। ୨୦୧୪ରେ ଏହି ହାଇସ୍କୁଲର ପ୍ରଥମ ବ୍ୟାଚ ପିଲା ମାଟ୍ରିକ ପରୀକ୍ଷା ଦେଲେ। ଆଜି ସୁଦ୍ଧା ଏହି ହାଇସ୍କୁଲର ୮ଟି ବ୍ୟାଚ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି। ୨୦୧୪ରେ ୪୧ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ୨୦୧୫ରେ ୩୦ରୁ ୨୯, ୨୦୧୬ରେ ୩୬ରୁ ୩୬, ୨୦୧୭ରେ ୪୧ରୁ ୩୮, ୨୦୧୮ରେ ୪୪ରୁ ୪, ୨୦୧୯ରେ ୫୯ରୁ ୧୨, ୨୦୨୦ରେ ୫୬ରୁ ୨୭ ଓ ୨୦୨୧ରେ ୬୮ରୁ ୬୮ଜଣ ପରୀକ୍ଷାର୍ଥୀ ଦଶମ ଶ୍ରେଣୀରେ ପାସ୍‌ କରିଛନ୍ତି। ଏହି ନୋଡାଲ ବିଦ୍ୟାଳୟକୁ ସରକାରୀ ଅପ୍‌ଗ୍ରେଡେଡ୍‌ ହାଇସ୍କୁଲର ମାନ୍ୟତା ମିଳିବାର ୧୦ ବର୍ଷ ବିତି ଯାଇଥିଲେ ବି ଆଜିଯାଏ ଏହି ହାଇସ୍କୁଲ ନିମନ୍ତେ କୌଣସି ପଦବି ମଂଜୁରି ହୋଇ ନାହିଁ। ପଦବି ମଂଜୁର ହୋଇ ନଥିବାରୁ ଏହି ହାଇସ୍କୁଲ ନିମନ୍ତେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ।

ଏହି ସରକାରୀ ଅପ୍‌ଗ୍ରେଡେଡ ହାଇସ୍କୁଲରେ ପ୍ରଥମରୁ ଅଷ୍ଟମ ମଧ୍ୟରେ ୫୦୫ ଜଣ, ନବମରେ ୧୦୦ ଓ ଦଶମରେ ୮୧ଜଣ, ମୋଟ ୬୮୬ ଜଣ ପଢୁଛନ୍ତି। ନୋଡାଲ ଉପ୍ରା ବିଦ୍ୟାଳୟ ପାଇଁ ନିଯୁକ୍ତି ପାଇଥିବା ଦୁଇଜଣ ଗଣଶିକ୍ଷକ, ୨ଜଣ ଜୁନିୟର ଶିକ୍ଷକ, ୪ଜଣ ଲେବୁଲ ଭି ଶିକ୍ଷକ ଓ ଜଣେ ଜିଲ୍ଲାପରିଷଦ ଶିକ୍ଷକ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢାଉଛନ୍ତି। ପ୍ରାଥମିକ ବିଦ୍ୟାଳୟ ପାଇଁ ନିଯୁକ୍ତି ପାଇଥିବା ୯ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ବି ପ୍ରଶିକ୍ଷଣପ୍ରାପ୍ତ ବିଇଡି ଶିକ୍ଷକ ନଥିବାରୁ ହାଇସ୍କୁଲ ପିଲାଙ୍କୁ ପାଠ ପଢ଼ାଇ ପାରୁ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ପଞ୍ଚାୟତବାସୀଙ୍କ ବାରମ୍ବାର ଦାବିପରେ ଗତ ଶିକ୍ଷାବର୍ଷରୁ ଅନ୍ୟ ୩ଟି ହାଇସ୍କୁଲର ଜଣେ ଟିଜିଟି ଆର୍ଟସ୍‌, ଜଣେ ଟିଜିଟି ସାଇନ୍‌ସ ଓ ଜଣେ ସଂସ୍କୃତ ଶିକ୍ଷକଙ୍କୁ ସପ୍ତାହକୁ ୩ଦିନ ଲେଖାଏ ପାଠ ପଢ଼ାଇବାକୁ ଡେପୁଟେସନ୍‌ରେ ପଠାଯାଇଛି। ୨ଟି ଶ୍ରେଣୀର ୧୮୧ ଜଣ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କୁ ବାଦ୍‌ ଦେଲେ ୨ଜଣ ଶିକ୍ଷକ ସପ୍ତାହକୁ ୩ଦିନ ପାଠ ପଢ଼ାଉଥିବା ବେଳେ ଅନ୍ୟ ୩ଦିନ ପିଲାମାନେ ନିଜେନିଜେ ପଢୁଛନ୍ତି ଓ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କେବଳ ସେମାନଙ୍କୁ ଜଗୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ, ବଡ଼କଥା ହେଲା ଏହି ହାଇସ୍କୁଲ ପାଇଁ କୌଣସି ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇ ନାହାନ୍ତି। ଡେପୁଟେସନରେ ବି ହିନ୍ଦୀ ଶିକ୍ଷକ ଦିଆଯାଇ ନାହିଁ। ହିନ୍ଦୀ ପଢ଼ିବାକୁ ଛାତ୍ରଛାତ୍ରୀ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ସଂସ୍କୃତ ପଢିବାକୁ ବାଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର