ଗର୍ଜିଲେ ସରକାରୀ ଉଚ୍ଚବିଦ୍ୟାଳୟ ଏନ୍‌ପିଏସ୍‌ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ବର : ଗତ ଅକ୍ଟୋବର ୧୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ କରିଥିଲେ। ମାତ୍ର ୨୦୦୪ରୁ ୨୦୧୪ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଯାଇନାହିଁ। ଏହାର ପ୍ରତିବାଦରେ ‘ସରକାରୀ ଉଚ୍ଚବିଦ୍ୟାଳୟ ଏନ୍‌ପିଏସ୍‌ ଶିକ୍ଷକ ସଂଘ’ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହୋଇ ଗଣଧାରଣା ଦେବା ସହ ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ରାସ୍ତା ଉପରେ ଧାରଣା ଦେଇଥିବା ଦେଖାଯାଇଥିଲା।

ସଂଘର ଅଭିଯୋଗ ଅନୁଯାୟୀ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ମଞ୍ଜୁରି, ଓଆରଭି ଆକ୍ଟ ଓ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ୨୦୦୪ରୁ ୨୦୧୪ ମସିହା ମଧ୍ୟରେ ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ୨୦୧୩ ମସିହାରେ ସରକାର ଚୁକ୍ତି ଭିତ୍ତିକ ନିୟମ ଲାଗୁକରି ୨୦୧୬ ମସିହାରୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଫଳରେ ୨୦୧୩ ପୂର୍ବ ଓ ୨୦୧୩ ପରବର୍ତ୍ତୀ ଶିକ୍ଷକମାନଙ୍କ ମଧ୍ୟରେ ଅସଂଗତି ସୃଷ୍ଟି କରାଯାଇଛି। ଏହା ଦ୍ବାରା ଏନ୍‌ପିଏସ୍‌ ଶିକ୍ଷକମାନେ କମ୍‌ ଦରମା ପାଇବା ସହ ବରିଷ୍ଠତା ହରାଇବେ। ଏପରିକି ୨୦୧୦ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କର ୨୦୧୬ ମସିହାରୁ ମୂଳ ଚାକିରି ଗଣନା କରାଯାଉଥିବା ବେଳେ ଏବେ ସ୍ଥାୟୀ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନେ ବରିଷ୍ଠ ହେବା ସହ ଅଧିକ ଦରମା ପାଇବେ। ତେଣୁ ଏପ୍ରକାର ଅସଂଗତି ପାଇଁ ରାଜ୍ୟର ୪୮୪୮ ସରକାରୀ ଉଚ୍ଚବିଦ୍ୟାଳୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ସରକାର ୨୦୦୪ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ କ୍ଷେତ୍ରରେ ଏହି ସାଧାରଣ ପ୍ରଶାସନର ବିଜ୍ଞପ୍ତି ଲାଗୁ କରିବା ପାଇଁ ଦାବି କରିଛି ସଂଘ। ଦାବି ପୂରଣ ନହେଲେ ଆସନ୍ତା ୨୩ତାରିଖରେ ହେବାକୁ ଥିବା ମାଟ୍ରିକ୍‌ ଏସ୍‌ଏ-୧ ପରୀକ୍ଷାରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆଜିର ବିକ୍ଷୋଭରେ ପ୍ରଭାତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଆଏଚ୍‌, ଶୁଭ୍ରଜିତ୍‌ ପ୍ରତିହାରୀ, ସଭାପତି ବିଜୟ ମଲ୍ଲ, ଜିତେନ୍ଦ୍ର କୁମାର ନାୟକ, ଶୁଭସୁନ୍ଦର ପଣ୍ଡା, ରାଜେନ୍ଦ୍ର ମଲ୍ଲିକ, ଅମେରେଶ ପଣ୍ଡା, ଅମୂଲ୍ୟ ମିଶ୍ର, ସରୋଜ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର