ନୂଆଦିଲ୍ଲୀ : କରୋନା ମହାମାରୀବେଳେ କେନ୍ଦ୍ର ସରକାର କୃଷକ ଓ ଉଦ୍ୟୋଗୀମାନଙ୍କ ପାଇଁ ଆଜି କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ବୃଦ୍ଧି କରାଯାଇଛି। ସହାୟକ ମୂଲ୍ୟ ଫସଲର ଉତ୍ପାଦନ ଖର୍ଚ୍ଚ ତୁଳନାରେ ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Advertisment

publive-image BusinessWorld

ସାଧାରଣ ଓ ‘ଏ’ ଗ୍ରେଡ୍‌ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ମାତ୍ର ୫୩ ଟଙ୍କା ବଢ଼ାଯାଇ ଯଥାକ୍ରମେ ୧୮୬୮ ଟଙ୍କା ଓ ୧୮୮୮ ଟଙ୍କା ରଖାଯାଇଛି। ଏହି ଦୁଇ କିସମ ଧାନର ଉତ୍ପାଦନ ଖର୍ଚ୍ଚ ଯଥାକ୍ରମେ ୧୨୪୫ ଟଙ୍କା ଓ ୧୭୪୬ ଟଙ୍କା ରହିଛି। ତେଣୁ ଉତ୍ପାଦନ ଖର୍ଚ୍ଚ ତୁଳନାରେ ସହାୟକ ମୂଲ୍ୟକୁ ୫୦ ପ୍ରତିଶତ ଅଧିକ ରଖାଯାଇଛି ବୋଲି ସରକାର କହିଛନ୍ତି। ବାଜ୍‌ରାର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୬୪୦ ଟଙ୍କା ବୃଦ୍ଧି କରାଯାଇ ୨୬୪୦ ଟଙ୍କା ରଖାଯାଇଛି। ସେହିଭଳି ମାଣ୍ଡିଆର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୪୫ ଟଙ୍କା ବୃଦ୍ଧି କରାଯାଇ ୩୨୯୫ ଟଙ୍କା ରଖାଯାଇଥିବା ବେଳେ ମକାର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୯୦ ଟଙ୍କା ବୃଦ୍ଧି କରାଯାଇ ୧୮୫୦ ଟଙ୍କା କରାଯାଇଛି। ବିରି, ହରଡ଼ ଡାଲିର ସହାୟକ ମୂଲ୍ୟ ଯଥାକ୍ରମେ ୩୦୦ ଏବଂ ୨୦୦ ଟଙ୍କା ବୃଦ୍ଧି କରାଯାଇ ୬୦୦୦ ଟଙ୍କା ରଖାଯାଇଛି। ତୈଳବୀଜ ମଧ୍ୟରେ ସୋୟାବିନ, ସୂର୍ଯ୍ୟମୁଖୀ ଓ ବାଦାମର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୭୦ ଟଙ୍କା, ୨୩୫ ଟଙ୍କା ଓ ୧୮୫ ଟଙ୍କା ବୃଦ୍ଧି କରାଯାଇ ଯଥାକ୍ରମେ ୩୮୮୦ ଟଙ୍କା, ୫୮୮୫ ଟଙ୍କା ଓ ୫୨୭୫ ଟଙ୍କା ରଖାଯାଇଛି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ଫସଲର ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଦେଶରେ ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ସରକାର ଆଜି ବିଭିନ୍ନ ଫସଲର ସହାୟକ ମୂଲ୍ୟ‌ ବୃଦ୍ଧି କରିଛନ୍ତି। ଏହାଦ୍ବାରା କୃଷକମାନେ ଖରିଫରେ କେଉଁ ଫସଲ କରିବେ ସେ ନେଇ ଠିକ୍ ନିଷ୍ପତ୍ତି ନେବେ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି। ସିଏସିପି (କମିସନ୍ ଫର୍ ଏଗ୍ରିକଲଚରାଲ କଷ୍ଟସ୍‌ ଆଣ୍ଡ ପ୍ରାଇସେସ୍‌)ର ସୁପାରିସକୁ ଭିତ୍ତିକରି ସହାୟକ ମୂଲ୍ୟରେ ଏହି ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, କୃଷକମାନେ ନେଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପମିଆଦୀ ଫସଲ ଋଣର ପରିଶୋଧ ଅବଧିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

publive-image

ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ପୂର୍ବରୁ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜରେ କୃଷକ, ଏମଏସଏମଇ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଘୋଷଣା କରିଥିବା ପ୍ୟାକେଜକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଏମଏସଏମଇର ପରିଭାଷାକୁ ଆହୁରି କୋହଳ କରି ଦିଆଯାଇଛି। ମଧ୍ୟମ ଉଦ୍ୟୋଗ ପାଇଁ ବାର୍ଷିକ କାରବାର ସୀମାକୁ ୨୫୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହା ୧୦୦ କୋଟି ଟଙ୍କା ରହିଥିଲା। ସେହିଭଳି ଏଥିପାଇଁ ରହିଥିବା ନିବେଶ ସୀମାକୁ ମଧ୍ୟ ୫୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି।

ଏମଏସଏମଇ ପାଇଁ ଘୋଷଣା ହୋଇଥିବା ୨ଟି ପ୍ୟାକେଜକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ନିଷ୍ପତ୍ତି ନିଆଯାଇଛି। ଦୁର୍ବଳ ଏମଏସଏମଇ ପାଇଁ ଘୋଷଣା କରାଯାଇଥିବା ୨୦ ହଜାର କୋଟି ଟଙ୍କା ଓ ଫଣ୍ଡ୍‌ ଅଫ୍ ଫଣ୍ଡ୍ସ ବାବଦରେ ପ୍ରଦାନ କରାଯାଇଥିବା ୫୦ ହଜାର କୋଟି ଟଙ୍କାର ପ୍ୟାକେଜକୁ କିଭଳି କାର୍ଯ୍ୟକାରୀ କରାଯିବ ତାହାର ନକ୍ସାକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏହାଦ୍ବାରା ୨ ଲକ୍ଷ ଦୁର୍ବଳ ଏମଏସଏମଇ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି। ଏତଦବ୍ୟତୀତ ରାସ୍ତାପାର୍ଶ୍ବ ଦୋକାନୀଙ୍କ ପାଇଁ ମଧ୍ୟ ଘୋଷଣା ହୋଇଥିବା ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନୀତୀନ ଗଡ଼କରୀ ଓ ନରେନ୍ଦ୍ର ତୋମର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କ୍ୟାବିନେଟ୍ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଫଳରେ ଦେଶରେ ବ୍ୟବସାୟ କରିବା ସହଜ ହେବ, ନିବେଶକୁ ଆକୃଷ୍ଟ କରାଯାଇ ପାରିବ ଏବଂ ନିଯୁକ୍ତି ସୃଷ୍ଟି ହେବ ବୋଲି ମନ୍ତ୍ରୀମାନେ ମତବ୍ୟକ୍ତ କରିଛନ୍ତି।