ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨୪ବର୍ଷ ଧରି ରାଜ୍ୟରେ ଚାଲିଥିବା ବିଜେଡି ସରକାରକୁ ହଟାଇ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ରାଜ୍ୟବାସୀଙ୍କୁ ବହୁ ମନଛୁଆଁ ପ୍ରତିଶ୍ରୁତି ‌ଦେଇ ବିଜେପି ଶାସନକୁ ଆସିଥିଲା। ଜୁନ୍‌ ୪ରେ ଓଡ଼ିଶା ରାଜନୀତିର ପଟ୍ଟ ପରିବର୍ତ୍ତନ ହେଲା। ଜୁନ୍‌ ୧୨ରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିଲା। ୧୦୦ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଲେ। ଆସନ୍ତାକାଲି ସରକାରକୁ ୧୦୦ ଦିନ ପୂରୁଛି। ଗୋଟିଏ ସରକାରର ପ୍ରଦର୍ଶନକୁ ବିଚାର କରିବା ପାଇଁ ୧୦୦ ଦିନ ଯଥେଷ୍ଟ ନଥିଲେ ବି ସରକାରଙ୍କ ଆଭିମୁଖ୍ୟ ଏତିକି ଦିନରେ ଜଣାପଡ଼ିଯିବ। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ସରକାରଙ୍କର ଆନ୍ତରିକତା ଥିବାର ଆଭାସ ଏହି ୧୦୦ ଦିନରେ ମିଳିଛି। କିଛି ପ୍ରତିଶ୍ରୁତି ପୂରଣ ହୋଇଛି ଓ ଆଉ କିଛି ପାଇଁ ମୂଳଦୁଆ ପଡ଼ିଛି। ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣି ସରକାରଙ୍କୁ ଲୋକାଭିମୁଖୀ କରାଇବାକୁ ଉଦ୍ୟମ କରିଛନ୍ତି। ସବୁ ଭିତରେ ବି ବିବାଦ ସରକାରଙ୍କ ପିଛା ଛାଡ଼ିନି। ସେଥି ପାଇଁ ସରକାର ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି।

Advertisment

ନିର୍ବାଚନ ପ୍ରଚାରରେ ବିଜେପିର ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ୨୦୧୯ ନିର୍ବାଚନ ‌ପୂର୍ବରୁ ବିଜେଡି ଯେପରି କାଳିଆ ଯୋଜନା ଘୋଷଣା କରିଥିଲା ଠିକ୍ ସେହିପରି ଢଙ୍ଗରେ ବିଜେପି ସରକାର ଗଠନ କଲେ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି କହିଥିଲା। ଏଥିରେ ରାଜ୍ୟର ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କା ଦେବ ଏବଂ ସେମାନେ ଦୁଇ ବର୍ଷରେ ଏହାକୁ ଖର୍ଚ୍ଚ କରିପାରିବେ ବୋଲି କହିଥିଲା। ଏହାକୁ ବିଜେପି ପୂରଣ କରିଛି। କିନ୍ତୁ ବର୍ଷକୁ ୧୦ହଜାର ଟଙ୍କା ହିସାବରେ ୫ବର୍ଷରେ ୫୦ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୫ହଜାର ଟଙ୍କା ପ୍ରଦାନ କରାଇଛି। 
କିଛି ବର୍ଷ ହେଲା ଶ୍ରୀମନ୍ଦିରର ଚାରିଦ୍ବାରରେ ପ୍ରବେଶ ବନ୍ଦ କରିଦିଆଯାଇଥିଲା। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସ‌ନ୍ତୋଷ ଦେଖା ଦେଇଥିଲା। ନିର୍ବାଚନରେ ବିଜେପି ଏହାକୁ ପ୍ରଚାରର ପ୍ରମୁଖ ଅସ୍ତ୍ର କରିଥିଲା।

ଚର୍ଚ୍ଚାରେ ରଖିଲା ସୁଭଦ୍ରା ଯୋଜନା 
ସିଏମ୍‌ କିଷାନରେ ଦିଆଗଲା ଅର୍ଥ

ଆଉ ବିଜେପି ସରକାର ଗଠନ କରିବାର ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ୨୪ଘଣ୍ଟା ମଧ୍ୟରେ ୪ଦ୍ବାର ଖୋଲାଯିବ। ଜୁନ୍ ୧୩ତାରିଖ ସକାଳେ ଶ୍ରୀମନ୍ଦିରର ମଙ୍ଗଳ ଆଳତି ବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିଥିଲା। ସେହିପରି ବହୁ ବର୍ଷ ହେଲା ରତ୍ନଭଣ୍ଡାର ଖୋଲିବା ନେଇ ଦାବି ହେଉଥିବା ବେଳେ ବିଜେଡି ସରକାର ଦିନ ଗଡ଼ାଇ ଚାଲିଥିଲେ। କିନ୍ତୁ ବିଜେପି କହିଥିଲା ସରକାର ଆସିଲେ ରତ୍ନଭଣ୍ଡାର ଖୋଲା ହେବ ଏବଂ ରତ୍ନ ଅଳଙ୍କାରର ଗଣତିମଣତି ହେବ। ରାଜ୍ୟ ସରକାର ମଧ୍ୟ ରତ୍ନଭଣ୍ଡାର ଖୋଲିଛନ୍ତି। ହେଲେ ଏପର୍ଯ୍ୟନ୍ତ ରତ୍ନ ଅଳଙ୍କାରର ଗଣତିମଣତି ହୋଇନି। ଶ୍ରୀମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୫୦୦କୋଟିର କର୍ପସ ପାଣ୍ଠି ରଖାଯାଇଛି। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିବା ବିଜେପି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠି ବି ରଖିଛି। ଚାଷୀ ଓ ଚାଷକୁ ଅଗ୍ରାଧିକାର ଦେବାକୁ କହୁଥିବା ବିଜେପି ସରକା‌ର ନୂଆଁଖାଇରେ ସିଏମ୍‌ କିଷାନ ଯୋଜନା ଆରମ୍ଭ କରି ରାଜ୍ୟର  ୪୬ଲକ୍ଷ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏ ପ୍ରଦାନ କରିଛି। 

ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ଆସୁନଥିଲେ। କିନ୍ତୁ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। 
ବହୁ ବର୍ଷ ହେଲା ଧାନ ଏମ୍‌ଏସ୍‌ପି ବଢ଼ାଇବାକୁ ଦାବି ହେଉଥିବାବେଳେ ବିଜେପି ସରକାର ଏହାକୁ ୩୧୦୦ଟଙ୍କାକୁ ବୃଦ୍ଧି କରଛନ୍ତି। ଆସନ୍ତା ଧାନକିଣା ସମୟରେ ଏହାକୁ ଲାଗୁ କରାଯିବ। ସେହିପରି ୮୦ ବର୍ଷ ବୟସ୍କ ଏବଂ ୮୦% ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା ଦେବାକୁ ବଜେଟ୍‌ରେ ବ୍ୟବସ୍ଥା ହୋଇଥିବାବେଳେ ଏହା ଖୁବ୍‌ ଶୀଘ୍ର ଲାଗୁ ହେବ। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହାବାଦ୍ ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ସ୍ଥାପନ, ଦେଢ଼ଲକ୍ଷ ସରକାରୀ ପଦବି ପୂରଣ କରିବାକୁ ଘୋଷଣା ହୋଇଛି। 
୧୦୦ ଦିନରେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଥିଲେ ବି ବିବାଦ ସରକାରଙ୍କ ପିଛା ଛାଡ଼ିନି। ଆଡ଼ପ ମଣ୍ଡପରେ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାରେ ସରକାର ନିନ୍ଦିତ ହୋଇଥିଲେ। ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ଚିକିଟି ମଦମୃତ୍ୟୁ, ଆଳୁ ଦର ବୃଦ୍ଧି ପରି କିଛି ଘଟଣା ସରକାରଙ୍କୁ ଅଡ଼ୁଆରେ ପକାଇଥିଲା। ପୁଣି ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରା ନଯିବା ଏବଂ ୨ ବର୍ଷରେ ଅର୍ଥ ପ୍ରଦାନ କରା ନଯିବାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ। କିଛି ପ୍ରସଙ୍ଗରେ ମନ୍ତ୍ରୀମାନଙ୍କର ବେଲଗାମ ତୁଣ୍ଡ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି।