ଭୁବନେଶ୍ୱର, (‌କେଶବ ପାଣି): ଛାତ୍ରଛାତ୍ରୀଙ୍କୁ ସୁନେଲି ସ୍ବପ୍ନ ଦେଖାଇ ରାଜ୍ୟ ସରକାର ସ୍କୁଲ ରୂପାନ୍ତରଣ କରୁଛନ୍ତି। ସ୍ମାର୍ଟ କ୍ଲାସରୁମ୍‌ଠାରୁ ଉନ୍ନତ ଖେଳପଡ଼ିଆ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଆଗକୁ ଅନେକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ରୂପରେଖ ବି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ରାଜଧାନୀ‌ର ସରକାରୀ ସ୍କୁଲଗୁଡ଼ିକ ଉପରେ ଆଖି ପକାଇଲେ, ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି। ଗତ ୮ ବର୍ଷ ମଧ୍ୟରେ ସହରର ୫୯ଟି ସରକାରୀ ସ୍କୁଲରେ ତାଲା ପଡ଼ିଲାଣି। ସେଥିରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୩୫ଟି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ୨୪ଟି ବିଦ୍ୟାଳୟ ରହିଛି। କେଉଁଠି କମ୍‌ ପିଲା ଥିବା ଦର୍ଶାଇ ତ ଆଉ କେଉଁଠି ସରକାରୀ ବିଦ୍ୟାଳୟ ଜମି ଅନ୍ୟ କାହାକୁ ହସ୍ତାନ୍ତର ଲାଗି। ୨୦୧୫ରୁ ୨୦୨୩ ମଧ୍ୟ‌ରେ ଏତେଗୁଡ଼ିଏ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଗୋଟିଏ ପଟେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ରାଜ୍ୟ ସରକାର ପ୍ରୟାସରତ ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟରେ ତାଲା ପକାଇ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯାଉଛି ବୋଲି ଅଭିଭାବକମହଲରେ ଅଭିଯୋଗ ଉଠିଲାଣି। ଶିକ୍ଷାବିତ୍‌ମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Advertisment

୨୩ ବର୍ଷରେ ୧୧ ପ୍ରାଥମିକ ବିଦ୍ୟାଳୟ ଖୋଲିଛି
‘ଘରୋଇ ସଂସ୍ଥାରୁ ପ୍ରଚୁର ଅର୍ଥ ପାଉଛନ୍ତି ସରକାର’

publive-image Media One

ଚିନ୍ତାର ବିଷୟ ହେଉଛି, ୨୦୦୦ ମସିହା ପରଠାରୁ ସହରରେ ମାତ୍ର ୧୧ଟି ସରକାରୀ ସ୍କୁଲ୍‌ ଖୋଲିଛି। ତାହା ପୁଣି କେବଳ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଏହି ସମୟ ମଧ୍ୟରେ ରାଜଧାନୀରେ ୨୦୩ଟି ଘରୋଇ ସ୍କୁଲ୍‌ ଖୋଲିଛି। ଗତ ୨୩ ବର୍ଷ ମଧ୍ୟରେ ରାଜଧାନୀର ଜନସଂଖ୍ୟା ପ୍ରାୟ ଅଢ଼େଇଗୁଣ ବୃଦ୍ଧି ପାଇଛି। କିନ୍ତୁ ସେହି ତୁଳନାରେ ନୂତନ ସରକାରୀ ସ୍କୁଲ୍‌ ଖୋଲି ନଥିବା ବେଳେ ୮ ବର୍ଷରେ ୫୯ଟି ବିଦ୍ୟାଳୟରେ ତାଲା ପକାଯାଇଛି। ଏପରିକି, ଘରୋଇ ବିଦ୍ୟାଳୟଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚରେ ରୂପାନ୍ତରଣ କରିଥିବା ହାଇସ୍କୁଲକୁ ବି ବନ୍ଦ କରି ଦେଇଛନ୍ତି। ୟୁନିଟ୍‌-୨ ସ୍କୁଲରେ ତାଲା ପଡ଼ିଥିବା ବେଳେ ୟୁନିଟ୍‌-୯ ବାଳିକା ହାଇସ୍କୁଲ ବନ୍ଦ କରିବା ପାଇଁ ସବୁ ଯୋଜନା ସରିଛି। ତେଣୁ ଏପରି ପଦକ୍ଷେପ ନେଇ ରାଜ୍ୟ ସରକାର ଘରୋଇ ସ୍କୁଲଗୁଡ଼ିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ ଉଠିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ ଅନୁସାରେ, ଶେଷଥର ପାଇଁ ୨୦୧୧ ମସିହାରେ ନୀଳଚକ୍ରନଗର ଓ ମୈତ୍ରୀବିହାରରେ ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ୨୦୦୦ ମସିହାରୁ ଆଜି ଯାଏ ଗୋଟିଏ ହେଲେ ନୂଆ ହାଇସ୍କୁଲ ଖୋଲିନାହିଁ, ବରଂ ଛୋଟପିଲାଙ୍କ ପାଇଁ ବସ୍ତି, କଲୋନିରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ୨୦୧୫-୧୬ ଶିକ୍ଷାବର୍ଷଠାରୁ ୨୦ରୁ କମ୍‌ ପିଲା ଥିବା ଦର୍ଶାଇ ଅନେକ ସ୍କୁଲ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଉ ଯାହା ବି କିଛି ଥିଲା, ତାକୁ ମଧ୍ୟ ଧୀରେଧୀରେ ବନ୍ଦ କରାଯାଉଛି। ଗତ ୬ ମାସରେ ସହରର ୪ଟି ସ୍କୁଲ ବନ୍ଦ ହେଲାଣି। ଆଉ ଗୋଟିଏରେ ତାଲା ପଡ଼ିବାକୁ ଯାଉଛି। ୟୁନିଟ୍‌-୨ ବାଳକ ଉଚ୍ଚ ବିଦ୍ୟାଳୟରେ ୨୦ରୁ ଅଧିକ ପିଲା ରହିଥିଲେ ମଧ୍ୟ ତାହାକୁ ବନ୍ଦ କରାଗଲା। ୟୁନିଟ୍‌-୩ ଅଞ୍ଚଳରେ ଥିବା ୨ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟ ଯଥା ସତ୍ୟସାଇ ପ୍ରାଥମିକ ଓ ହାଇସ୍କୁଲକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଛି। ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲ ନିକଟରେ ଥିବା ହିନ୍ଦୀ ମିଡିୟମ୍‌ର ଏକ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ତାଲା ପଡ଼ିବାକୁ ଯାଉଛି। ଏବେ ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

publive-image Representational

ଉତ୍କଳ ଅଭିଭାବକ ମହାସଂଘ ସଭାପତି କୃଷ୍ଣଚନ୍ଦ୍ର ପତିଙ୍କ କହିବାନୁଯାୟୀ, ରାଜ୍ୟ ସରକାର ଶିକ୍ଷାର ବ୍ୟବସାୟୀକରଣ କରୁଛନ୍ତି। ୧୧ବର୍ଷ ହେଲା ଭୁବନେଶ୍ବରରେ ଗୋଟିଏ ବି ବିଦ୍ୟାଳୟ ନ ଖୋଲିବା ଚିନ୍ତାର ବିଷୟ। ଘରୋଇ ସଂସ୍ଥାଗୁଡ଼ିକଠାରୁ ରାଜ୍ୟ ସରକାର ପ୍ରଚୁର ଅର୍ଥ ପାଉଥିବାରୁ ସେମାନଙ୍କୁ ଜାଗା ଯୋଗାଇବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ସରକାରୀ ବିଦ୍ୟାଳୟରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ପିଲା କମ୍‌ ଦର୍ଶାଇ ବନ୍ଦ କରି ଚାଲିଛନ୍ତି। ସ୍କୁଲ ବନ୍ଦ ହେବା ଦ୍ବାରା ଝିଅମାନଙ୍କୁ ଅଭିଭାବକ ଦୂର ସ୍କୁଲକୁ ପଢ଼ିବାକୁ ଛାଡ଼ୁ ନାହାନ୍ତି। ପରିଣାମ ସ୍ବରୂପ, ଡ୍ରପ୍‌ଆଉଟ୍‌ ବଢ଼ୁଛି। ହାଇସ୍କୁଲ ବଦଳରେ ପ୍ରାଥମିକ ସ୍ତରରୁ ସ୍କୁଲ ରୂପାନ୍ତରଣ କରିବାର ଥିଲା। ଫଳରେ ପିଲାଟି ଯଦି ପ୍ରଥମରୁ ଭଲ ଶିକ୍ଷା ପାଇବ ତାହାର ପ୍ରତିଫଳନ ଉଚ୍ଚଶିକ୍ଷାରେ ଦେଖିବାକୁ ମିଳିବ।