କେନ୍ଦୁଝର ପ୍ରତି ସରକାରୀ ଉଦାସୀନତା

ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବି ଦୋହରାଇଲା କେନ୍ଦୁଝର ବିକାଶ ପରିଷଦ

ଭୁବନେଶ୍ବର : କେନ୍ଦୁଝରରେ ଗୋଟିଏ ବି ବିଶ୍ବବିଦ୍ୟାଳୟ ନାହିଁ। ଏ ନେଇ ଦୀର୍ଘ ୫୦ ବର୍ଷ ଧରି ଦାବି ହୋଇଆସୁଥିଲେ ବି ସରକାର ଏହି ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରିକି ଜନ ପ୍ରତିନିଧିମାନଙ୍କ ଅନୁରୋଧକୁ ବିଚାରକୁ ନିଆଯାଉନି। ଏହା ବିରୋଧରେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କେନ୍ଦୁଝର ବିକାଶ ପରିଷଦ ପକ୍ଷରୁ ସରକାରଙ୍କୁ ଆହ୍ବାନ ଦିଆଯାଇଛି।

ଭୁବନେଶ୍ବରସ୍ଥିତ ପରିଷଦ ସଭାପତି ଭରତ ଚନ୍ଦ୍ର ବେହେରା କହିଛନ୍ତି, ୧୯୯୦ ମସିହାରୁ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ, ଛାତ୍ରଛାତ୍ରୀ, ଅଭିଭାବକମାନେ ଜିଲ୍ଲାରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି କରିଆସୁଛନ୍ତି। ସରକାର ବାରିପଦା ଓ ବାଲେଶ୍ବରରେ ଦୁଇଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କଲେ,ଅଥଚ କେନ୍ଦୁଝର ଦାବିକୁ ଅଣଦେଖା କରିଚାଲିଛନ୍ତି। ୨୦୧୧ ମସିହାରେ ଜିଲ୍ଲାର ତତ୍କାଳୀନ ସମସ୍ତ ବିଧାୟକ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଏକକ ବିଶ୍ବବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଥିଲେ। ତଥାପି ଏହି ଦାବି ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ବିଶ୍ବିବିଦ୍ୟାଳୟ ପାଇଁ ୨୦୧୫ରେ ଏପ୍ରିଲ ମାସରେ ତତ୍କାଳୀନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ବଦ୍ରି ନାରାୟଣ ପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦ ଏକାଠି କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ବିଶ୍ବବିଦ୍ୟାଳୟ ଦାବି ନେଇ ସରକାରଙ୍କୁ ଜଣାଇଥିଲେ। ସରକାରଙ୍କ ତରଫରୁ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ପ୍ରତିଶ୍ରୁତି ଦେଇ କହିଥିଲେ କି ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଆବଶ୍ୟକ ଅର୍ଥ ଦେବାକୁ ଭାରତ ସରକାରଙ୍କ ‘ରୁସା’କୁ ଅନୁରୋଧ କରାଯିବ। ଇତିମଧ୍ୟରେ ଦୀର୍ଘ ୬ ବର୍ଷ ବିତିଯାଇଥିଲେ ବି ସରକାର ‘ରୁସା’ ଅର୍ଥ ପାଇଲେ କି ନାହିଁ ସେ ସମ୍ପର୍କରେ କେହି ଜାଣନ୍ତିନାହିଁ। ଏପରିକି ଭାରତ ସରକାରଙ୍କ ରୁସା ଯୋଜନାରେ ଅର୍ଥ ନ ମିଳିଲେ, ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଖର୍ଚ୍ଚ କରାଯାଇପାରିବ ବୋଲି ଗତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ତଥାପି ସରକାର ଓ ଜିଲ୍ଲା ପ୍ରଶାସନ ଚୁପ ବସିଛନ୍ତି।

ଅନ୍ୟ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଆବଶ୍ୟକ ଜମି ଓ ଅର୍ଥ ଯୋଗାଇ ଦେଉଥିବାବେଳେ କେନ୍ଦୁଝର ପ୍ରତି ସରକାରଙ୍କ ଏପରି ଉଦାସୀନତା ବୁଝାପଡ଼ୁନାହିଁ। ଏହି ପ୍ରସଙ୍ଗରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ନେତୃବୃନ୍ଦ, ସମାଜସେବୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତା ଏକହୋଇ ଦାବି କରିବାକୁ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର