ଭୁବନେଶ୍ବର: ବିଏମ୍‌ସି ବିଫଳ ହେବା ପରେ ୨୦ ଦିନ ଧରି ଦାରୁଠେଙ୍ଗରେ ଥିବା ଭୁଆସୁଣି ଡମ୍ପିଂ ୟାର୍ଡ‌କୁ ନେଇ ଲାଗି ରହିଥିବା ସମସ୍ୟାରେ ମୁଣ୍ଡ ପୁରାଇଛନ୍ତି ସରକାର। ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ପ୍ରସଙ୍ଗରେ ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା କରିଛନ୍ତି। ଲୋ‌କ ସେବା ଭବନରେ ମନ୍ତ୍ରୀଙ୍କ ଚାମ୍ବରରେ ଦୀର୍ଘ ୪୦ ମିନିଟ୍‌ର ଆଲୋଚନା ପରେ ବାଟ ଫିଟିଛି। ‌ବିଏମ୍‌ସି ଉପରୁ ଆସ୍ଥା ହରାଇଥିବା ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କୁ ସନ୍ଧ୍ୟାରେ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଶ୍ବସ୍ତ ହୋଇଛନ୍ତି। ୯ ମାସ ମଧ୍ୟରେ ଡମ୍ପିଂ ୟାର୍ଡର ବିକଳ୍ପ ପ୍ରସ୍ତୁତ ହେବ। ମେ ୨୩ ତାରିଖ ପରେ ଭୁଆସୁଣିକୁ ଆଉ ଆବର୍ଜନା ଯିବ ନାହିଁ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଆସନ୍ତାକାଲି ଠାରୁ ଆବର୍ଜନା ଭୁଆସୁଣିକୁ ଆବର୍ଜନା ଯିବ ବୋଲି ନିଶ୍ଚିତ ହୋଇଛି।

Advertisment

ବୈଠକରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନାନ୍‌, ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଭାଗ ନେଇଥିଲେ। ସରକାର ହସ୍ତକ୍ଷେପ କରି ସମସ୍ୟା ସମାଧାନ କରିଥିବାରୁ ଜଟଣୀ ବିଧାୟକ ସୁର ରାଉତରାୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।