ସ୍କୁଲ୍‌ ମିଶ୍ରଣ ଜିଦ୍‌ରେ ସରକାର ଅଟଳ

୭୭୭୨ ବିଦ୍ୟାଳୟର ବିଲୀନ ପାଇଁ ହୋଇଛି ନିଷ୍ପତ୍ତି

ଗୃହର ଉଦ୍‌ବେଗ ପରେ ଆଦିବାସୀ ଅଞ୍ଚଳ ପାଇଁ କୋହଳ
୨୫ ନୁହେଁ, ଏବେ ୧୫ରୁ କମ୍ ପିଲା ଥିଲେ ବିଦ୍ୟାଳୟ ମିଶ୍ରଣ
ଭିତ୍ତିଭୂମି ପାଇଁ ୩୦୦କୋଟି ଦିଆଯିବ, ପିଲା ବି ପାଇବେ ଅର୍ଥ
ପ୍ରଥମରୁ ଦ୍ବାଦଶ ଯାଏ ଗୁଣାତ୍ମକ ଇଂରାଜୀ ଶିକ୍ଷାଦାନ କରାଯିବ

ଭୁବନେଶ୍ୱର : ପାଖାପାଖି ସାଢେ ଚାରିଘଣ୍ଟା ଧରି ଘଣ୍ଟାଚକଟା ହେଲା। ପରସ୍ପର ପରସ୍ପର ବିରୋଧରେ ବିଷୋଦ୍‌ଗାର କଲେ। କିଏ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଦେଲେ ତ ଆଉ କିଏ କେନ୍ଦ୍ର ସରକାରଙ୍କୁ ଦାୟୀ କରି ସବୁ ଦୋଷ ତାଙ୍କ ମୁଣ୍ଡରେ ଝାଡ଼ିଦେଲେ। ହେଲେ ଶେଷରେ ଯାହା ନିଷ୍କର୍ସ ବାହାରିଲା, ତାହା ହେଲା ସରକାର ସ୍କୁଲ ଏକତ୍ରୀକରଣ ପ୍ରକ୍ରିୟା ନିଷ୍ପତ୍ତିରେ ଅଟଳ ଅଛନ୍ତି। ଅର୍ଥାତ୍ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ବଡ଼ ବିଦ୍ୟାଳୟରେ ମିଶିବ ହିଁ ମିଶିବ। ତେବେ ଗୃହର ଉଦ୍‌ବେଗକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ରାଜି ହୋଇଛନ୍ତି ଯେ ଆଦିବାସୀ ବହୁଳ ଜିଲ୍ଲାରେ ସ୍କୁଲ ମିଶ୍ରଣ ସଂକ୍ରାନ୍ତ ମାପକାଠିରେ ଟିକିଏ କୋହଳ କରାଯିବ। ୨୫ ନୁହେଁ, ୧୫ରୁ କମ୍ ପିଲା ଥିଲେ, ସେ ବିଦ୍ୟାଳୟ ପାଖ ବଡ଼ ବିଦ୍ୟାଳୟରେ ବିଲୀନ ହୋଇଯିବ।

ମନ୍ତ୍ରୀ ଆଜି ବିଧାନସଭାକୁ ଆହୁରି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟରେ ୧୪ ହଜାର ୩୮୨ଟି ବିଦ୍ୟାଳୟ ଏମିତି ରହିଛି, ଯେଉଁଥିରେ ୪୦ରୁ କମ୍ ପିଲାଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା କମିଟି ଏହାକୁ ଅନୁଧ୍ୟାନ କରି ୮ହଜାର ୨୭୨ଟି ବିଦ୍ୟାଳୟ ବନ୍ଦ ପାଇଁ ସୁପାରିସ କରିଥିଲେ। ହେଲେ ଜିଲ୍ଲା କମିଟି ରିପୋର୍ଟ ଉପରେ ଅନେକ ଜନ ପ୍ରତିନିଧି ଏବଂ ବିଧାୟକ ଯେଉଁ ଲିଖିତ ଆପତ୍ତି ଜଣାଇଥିଲେ, ତାହାକୁ ବିଚାରକୁ ନେଇ ରାଜ୍ୟସ୍ତରୀୟ କମିଟି ୭ହଜାର ୭୭୨ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମନ୍ତ୍ରୀ କହିଥିଲେ ଯେ ଶନିବାର ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କୋରାପୁଟରେ ସ୍କୁଲ ବନ୍ଦ ନେଇ ଆତ୍ମହତ୍ୟା ଧମକ ଦେଇଥିଲେ। ସରକାର ଅନୁଧ୍ୟାନ କରି ଦେଖିଲେ ଯେ ଅବିଭକ୍ତ କୋରାପୁଟରେ ୧୬୮ଟି ବିଦ୍ୟାଳୟରୁ ମାତ୍ର ୭୬ଟି ବନ୍ଦ ହେବ। ହେଲେ ଗୃହରେ ଯେହେତୁ ଉଦ୍‌ବେଗ ପ୍ରକାଶ ପାଇଛି, ସରକାର ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଅତଏବ କୌଣସି ଦୁର୍ଗମ ଅଞ୍ଚଳ, ଜାତୀୟ ରାଜପଥର ବିପରୀତ ପାର୍ଶ୍ବରେ ଥିବା ବିଦ୍ୟାଳୟ, ପାହାଡ ବା ନଦୀ ଅପର ପାର୍ଶ୍ବରେ ଥିବା ବିଦ୍ୟାଳୟରେ କମ୍ ପିଲା ଥିଲେ ବି ଏହାକୁ ବନ୍ଦ କରାଯିବ ନାହିଁ। ସେହିଭଳି ୭୭୭୨ଟି ବନ୍ଦ ହେବାକୁ ଥିବା ବିଦ୍ୟାଳୟ ମଧ୍ୟରୁ ୧୭୨୪ଟି ବିଦ୍ୟାଳୟ ସିଡ୍ୟୁଲ୍‌ଡ ଅଞ୍ଚଳରେ ରହିଛି। ଯେଉଁଠାରେ ୨୫ରୁ କମ୍ ପିଲା ଥିଲେ। ବାକି ୬ହଜାର ୪୮ଟି ବିଦ୍ୟାଳୟରେ ୨୦ରୁ କମ୍ ପିଲା ଥିଲେ, ଯାହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଗୃହ ଚିନ୍ତାପ୍ରକଟ କରିଥିବା ପରିପ୍ରେକ୍ଷୀରେ ସରକାର ତାଙ୍କ ନିଷ୍ପତ୍ତି କୋହଳ କରୁଛନ୍ତି। ତଫସିଲଭୁକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟରେ ୨୫ ନୁହେଁ, ବରଂ ୧୫ଜଣରୁ କମ୍ ପିଲା ଥିଲେ ସ୍କୁଲ ବନ୍ଦ କରାଯିବ। ଏ ସଂକ୍ରାନ୍ତରେ ସାନି ନିର୍ଦେଶନାମା ଖୁବଶୀଘ୍ର ପ୍ରକାଶ ପାଇବ।

ମନ୍ତ୍ରୀ ଗୃହକୁ ଆଶ୍ବାସନା ଦେଇ ଆହୁରି କହିଥିଲେ ଯେ ଏହି ଏକତ୍ରୀକରଣ ପରେ ସରକାର ଗୁଣାତ୍ମକ ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ବିଭାଗକୁ ୩୦୦କୋଟି ଟଙ୍କା ଦେବେ। କେବଳ ସେତିକି ନୁହେଁ, ଏବେ ପ୍ରାଥମିକ ବିଦ୍ୟାଳୟସ୍ତରରୁ ଅର୍ଥାତ୍ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଇଂରାଜି ଶିକ୍ଷା ପ୍ରଦାନ କରାଯିବ। ସରକାର ଉଦ୍ଦେଶ୍ୟମୂଳକ ଭାବେ କୌଣସି ବିଦ୍ୟାଳୟ ବନ୍ଦ କରୁନାହାନ୍ତି। ବରଂ ନୀତି ଆୟୋଗ ଓ ଜାତୀୟ ଶିକ୍ଷା ନୀତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଉଥିବା ମନ୍ତ୍ରୀ ଗୃହକୁ ଜଣାଇଥିଲେ।

DNA India

ସେହିପରି ଏକତ୍ରୀକରଣ ପ୍ରକ୍ରିୟାରେ ସ୍ଥାନାନ୍ତରଣ ବାବଦକୁ ବିଦ୍ୟାର୍ଥୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଏକକାଳୀନ ରାଶି ଓ ଶିକ୍ଷା ଅଧିକାର ଆଇନ ଅନୁସାରେ ଅନୁରକ୍ଷଣ ଭତ୍ତା ବାବଦକୁ ମାସିକ ୬୦୦ ଟଙ୍କା ଲେଖାଏଁ ଦିଆଯିବ। ଏକତ୍ରୀକରଣ ସପକ୍ଷରେ ଯୁକ୍ତି ରଖି ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମୋଟ ବିଦ୍ୟାଳୟ ସଂଖ୍ୟା ୬୭ହଜାର ଥିଲେ ହେଁ, ୫୨ହଜାର ୧୪୧ଟି ଗ୍ରାମରେ ୫୨ହଜାର ବିଦ୍ୟାଳୟ ରହିଛି। ଏହି ଦୁଇ ଦଶନ୍ଧିରେ ବିଦ୍ୟାଳୟ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। କିନ୍ତୁ ସମ୍ବଳ ଓ ଶିକ୍ଷାଦାନ ଦୃଷ୍ଟିରୁ ଅନୁପଯୁକ୍ତ ଥିବା ଛୋଟ ଛୋଟ ବିଦ୍ୟାଳୟ ଏକତ୍ରୀକରଣ କରି ବୃହତ୍ତର ବିଦ୍ୟାଳୟ ସୃଷ୍ଟି କରିବା ଆବଶ୍ୟକ। ଏହାଦ୍ବାରା ଆବଶ୍ୟକ ପରିମାଣରେ ଆର୍ଥିକ ଓ ମାନବସମ୍ବଳ ଯୋଗାଇ ଦିଆଯାଇପାରିବ। ଉଚ୍ଚମାନର ଶିକ୍ଷା ଭିତ୍ତିଭୂମି ବା ଶୈକ୍ଷିକ ପରିବେଶ ସୃଷ୍ଟି ହୋଇପାରିବ।

ରାଜ୍ୟର ବିଦ୍ୟାଳୟମାନଙ୍କରେ ଶତପ୍ରତିଶତ ଉପସ୍ଥାନ ସୁନିଶ୍ଚିତ କରିବାରେ ସରକାରଙ୍କୁ ସଫଳତା ମିଳିଥିଲେ ହେଁ ଶିକ୍ଷାର ମାନ ବୃଦ୍ଧି ହେଉଛି କି ନା, ସେ ପ୍ରଶ୍ନ ଏବେ ବି ଅସମାହିତ ରହିଛି ବୋଲି ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଶିକ୍ଷାର ମାନ ହ୍ରାସ ପାଇଁ ସାଧାରଣତଃ ଶିକ୍ଷକଙ୍କୁ ଦାୟୀ କରାଯାଇଥାଏ। ହେଲେ କେବଳ ଶିକ୍ଷକଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ବହୁ ବିଚାର ଆଲୋଚନା ପରେ ଏକଥା ଜଣାପଡିଛି ଯେ ଶିକ୍ଷାର ମାନ ହ୍ରାସ ପଛରେ ସଂଖ୍ୟାଧିକ ଛୋଟ ଛୋଟ ବିଦ୍ୟାଳୟର ଉପସ୍ଥିତି ବି ଅନ୍ୟ ଏକ ପ୍ରମୁଖ କାରଣ। ଏହାକୁ ଦୃଷ୍ଟିରେ ରଖି କେବଳ ଓଡ଼ିଶା ନୁହେଁ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଝାଡ଼ଖଣ୍ଡ ଏଭଳି ପଦକ୍ଷେପ ନେଇଛନ୍ତି। ଏହାଦ୍ବାରା ଶିକ୍ଷାର ଗୁଣବତ୍ତା ବଢ଼ିବ ବୋଲି ବିଶ୍ବାସ କରାଯାଉଛି। ଅନ୍ତତଃ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, ପ୍ରତି ଶ୍ରେଣୀ ପାଇଁ ଅନ୍ୟୂନ ଜଣେ ଶିକ୍ଷକ, ଆବଶ୍ୟକ ଆନୁସଙ୍ଗିକ ଭିତ୍ତିଭୂମି ଯଥା ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ ଉପଲବ୍ଧ କରାଯାଇପାରିବ। ତେବେ ବିଦ୍ୟାଳୟ ଏକତ୍ରୀକରଣ ନୀତିକୁ କାର୍ଯ୍ୟକାରୀ କରିବା ସମୟରେ ରାଜ୍ୟର ସ୍ଥାନୀୟ ସମସ୍ୟା ଯଥା ଅନଗ୍ରସର ଅଞ୍ଚଳର ସ୍ବତନ୍ତ୍ର ଆବଶ୍ୟକତା, ଭୌଗଳିକ ସ୍ଥିତି, ପ୍ରାକୃତିକ ପ୍ରତିବନ୍ଧକ ଇତ୍ୟାଦିକୁ ଦୃଷ୍ଟିରେ ରଖି ଆବଶ୍ୟକସ୍ଥଳେ ନୀତିକୁ କୋହଳ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର