ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ସେଥିରୁ ଗୋଟିଏ ବି ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟରେ ଶାସନ ଦିଗହରା ହୋଇଥିବା ବେଳେ ମୋହନ ସରକାର ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି। ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଅପରାଗ ସରକାରଙ୍କଠାରୁ ବିକାଶ ଆଶା କରିବା ବୃଥା ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ଆଜି କଂଗ୍ରେସ ଭବନରେ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଜିଲ୍ଲସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାହିନୀପତି କହିଲେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମ୍ବିଧାନ ସୁରକ୍ଷା ନେଇ ଡାକରା ଦେଇଛନ୍ତି। ତାହାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଏକ ସଂଗ୍ରାମ ଭାବେ ଗଢ଼ି ତୋଳିବାକୁ ସଂକଳ୍ପ ନେଇଛନ୍ତି। ରାଜ୍ୟରେ ଛାତ୍ରୀମାନେ କୁଆଁରୀ ମା’ ହେବା ଏ ସରକାରର ଶାସନ ବ୍ୟବସ୍ଥାର ନଗ୍ନତାକୁ ପ୍ରମାଣିତ କରୁଛି। ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହତାଶା ଭିତରେ ଜୀବନ ବିତାଉଛନ୍ତି। ଯାଜପୁର ସମେତ ଉପକୂଳ ଜିଲ୍ଲାରେ ହଇଜା ମାଡ଼ୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଲୋକଙ୍କୁ ଚିକିତ୍ସା ଦେବାରେ ବିଫଳ ହୋଇଛି।
ସେହିପରି ସମ୍ବିଧାନ ସଂଶୋଧନ ନାଁରେ କେନ୍ଦ୍ରରେ ମୋଦୀ ସରକାର ସମ୍ବିଧାନକୁ ଧ୍ବଂସ କରିବାକୁ ବସିଛନ୍ତି। ଓଡ଼ିଶା ବିଧାନସଭାରୁ କଂଗ୍ରେସ ବିଧାୟକମାନଙ୍କୁ ବିଧି ବ୍ୟବସ୍ଥାର ଉଲ୍ଲଂଘନ କରାଯାଇ ନିଲମ୍ବନ କରାଗଲା। ସମ୍ବିଧାନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ମୋହନ ଓ ମୋଦୀ ସରକାରଙ୍କ ଆଦୌ ଆନ୍ତରିକତା ନାହିଁ। ସମ୍ବିଧାନର ଗରିମା ଓ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଭିତରେ ଜୀବନ ବଞ୍ଚିବାର ସୁଯୋଗ ଦେବାକୁ କଂଗ୍ରେସ ଯେଉଁ ଆନ୍ଦୋଳନ ଡାକରା ଦେଇଛି ତାହାକୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ। ବିଧାୟକ ଦଳ ଉପନେତା ଅଶୋକ ଦାସ କହିଥିଲେ, କଂଗ୍ରେସ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଡାକରା ଦେଇ ଲୋକଙ୍କ ପାଖକୁ ଯାଉଛି। ବିଜେପିର ମନ୍ତ୍ରୀମାନେ ଜିଲ୍ଲାକୁ ଜିଲ୍ଲା ବୁଲି ମିଥ୍ୟା ପ୍ରଚାରରେ ମାତିଛନ୍ତି। ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଯେଉଁ ପ୍ରତାରଣା କରିଛନ୍ତି ସେହି ବାର୍ତ୍ତାକୁ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚାଇବ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଶିଳ୍ପୀଶ୍ରୀ ହରିଚନ୍ଦନ, ଶିବାନନ୍ଦ ରାୟ, ମନୋରଂଜନ ଦାସ, କିଶୋର ଜେନା, ରଜନୀ ମହାନ୍ତି, ଅଶୋକ ଦାସ, ପ୍ରକାଶ ଜେନା ଓ ପ୍ରଶାନ୍ତ ଚମ୍ପତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦେଇ ନିଜର ମତ ରଖିଥିଲେ।