ସରକାରଙ୍କ ଫୋକସ୍‌ରେ ୨୦୨୪: ବଦଳିବ ୫ ହଜାର ହାଇସ୍କୁଲ ଚେହେରା

ଡିଜିଟାଲରେ ଦକ୍ଷ ହେବେ ୨୦ ହଜାର ଶିକ୍ଷକ
ଆସନ୍ତା ସପ୍ତାହରୁ ଅଂଶୀଦାରଙ୍କ ସହ ବୈଠକ
୫ ହଜାର ହାଇସ୍କୁଲରେ ହେବ ଖେଳ ପଡ଼ିଆ
କନ୍ଧମାଳ, ରାୟଗଡ଼ାର ପ୍ରାଥମିକ ସ୍କୁଲର ବିକାଶ ହେବ

ଭୁବନେଶ୍ବର : ଲକ୍ଷ୍ୟ ୨୦୨୪। ତା’ ପୂର୍ବରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ୫ ହଜାର ହାଇସ୍କୁଲର ଚେହେରା ବଦଳିଯିବ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ରହିବ ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାଙ୍କୁ ଶିକ୍ଷା‌ ଦିଆଯିବ। ସହର ହେଉ କି ଗାଁ, ହାଇସ୍କୁଲ ଶିକ୍ଷା ବ୍ୟବସ୍ଥାରେ କୌଣସି ଫରକ୍‌ ଦେଖିବାକୁ ମିଳିବ ନାହିଁ। ଭୁବନେଶ୍ବର, କଟକ, ସମ୍ବଲପୁର,‌ ରାଉରକେଲା, ବ୍ରହ୍ମପୁର ପରି ସହରରେ ଥିବା ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହ ସମତୁଲ ‌ହେବ ଉପାନ୍ତ ଅଞ୍ଚଳ‌ର ହାଇସ୍କୁଲ। କମ୍ପ୍ୟୁଟର ଲ୍ୟାବ୍, ଅତ୍ୟାଧୁନିକ ବିଜ୍ଞାନାଗାର, ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରିରେ ବସି ପିଲାମାନେ ଜାତୀୟ, ଅନ୍ତର୍ଜାତୀୟ ଜ୍ଞାନ ଆହରଣ କରିପାରିବେ। ଅଡିଓ-ଭିଜୁଆଲ ମାଧ୍ୟମରେ ଡିଜିଟାଲ୍ ଶିକ୍ଷା ପାଇବେ। ଖେଳ ପଡ଼ିଆରେ କାରନାମା ଦେଖାଇବେ। ରାଜ୍ୟ ସରକାରଙ୍କ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମରେ ଏଭଳି ରୂପରେଖ ପ୍ରସ୍ତୁତ କରାଯାଇଛି। ଯାହାର ଆଦ୍ୟ ପର୍ବ ଏବେଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଡିସେମ୍ବର ଶେଷ ସୁଦ୍ଧା ୧୦୭୨ ହାଇସ୍କୁଲରେ ପହଞ୍ଚିବ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ହଜାରରୁ ଅଧିକ ବିଦ୍ୟାଳୟ ଯୁଗୋପଯୋଗୀ ଶିକ୍ଷାୟତନ ରୂପେ ଗଢ଼ି ଉଠିବ।

ହିଞ୍ଜିଳି ନିର୍ବାଚନମଣ୍ଡଳୀର ୫୦ ହାଇସ୍କୁଲର ଟ୍ରାନ୍ସଫର୍ମେସନ୍ ପରେ ଏବେ ପ୍ରତି ନିର୍ବାଚନମଣ୍ଡଳ, ବ୍ଲକରେ ଥିବା ହାଇସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ୯ମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ରାଜ୍ୟର ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମରେ ସମସ୍ତ ଅଂଶୀଦାରଙ୍କୁ ସାମିଲ କରାଯାଉଛି। ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି), ପୁରାତନ ଛାତ୍ରଛାତ୍ରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ସହଯୋଗରେ ଏହି ବିକାଶ କାର୍ଯ୍ୟ ହେଉଛି। ହାଇସ୍କୁଲରୁ ଆରମ୍ଭ ହୋଇଥିବା ଏହି ବିକାଶ ପ୍ରକ୍ରିୟାରେ ପରବର୍ତୀ ସମୟରେ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟକୁ ବି ସାମିଲ କରାଯିବ। ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ଦିଗରେ ଏହି ପ୍ରକ୍ରିୟା ପିଲାଙ୍କୁ ପ୍ରେରିତ କରିବ। ଏଥିସହ ସ୍କୁଲ ପରିସରରେ ଯେପରି ବିଶୁଦ୍ଧ ପାନୀୟ ଜଳ ଓ ଉତ୍ତମ ପରିମଳ ବ୍ୟବସ୍ଥା ବଜାୟ ରହିବ, ତାହା ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ଅନ୍ୟପକ୍ଷରେ ‘ମୋ ସ୍କୁଲ୍’ ଅଭିଯାନରେ ସ‌ାମିଲ ହୋଇଥିବା ପୁରାତନ ଛା‌ତ୍ରଛାତ୍ରୀଙ୍କ ସଂଖ୍ୟା ଇତିମଧ୍ୟରେ ୬ଲକ୍ଷରେ ପହଞ୍ଚିଛି। ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଅଧିକ ସ୍କୁଲ୍ ଏଥିରେ ସାମିଲ ହୋଇଛନ୍ତି। ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟା‌କୁ ତ୍ୱରାନ୍ୱିତ କରିବାକୁ ଆସନ୍ତା ସପ୍ତାହରୁ ମେଣ୍ଟର୍‌, ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ନେଇ ଭର୍ଚୁଆଲ୍ ବୈଠକ ଆୟୋଜନ କରିବାକୁ ସ୍ଥିର ହୋଇଛି। ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଶିକ୍ଷକମାନେ ଇ-କଣ୍ଟେଣ୍ଟ୍ ବ୍ୟବହ‌ାର କରି ଅତ୍ୟାଧୁନିକ ଇଣ୍ଟରାକ୍ଟିଭ୍ ବୋର୍ଡରେ ଶିକ୍ଷାଦାନ କରିବେ। ଶିକ୍ଷକଙ୍କୁ ନୂତନ ଜ୍ଞାନକୌଶଳ ଓ ପଠନଶୈଳୀ ସମ୍ବନ୍ଧରେ ଆସନ୍ତା‌ ୩ବର୍ଷ ମଧ୍ୟରେ ୪ ହଜ‌ାର ହାଇସ୍କୁଲ୍‌ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯିବ। ଟାଟା ଟ୍ରଷ୍ଟ, ପୁରାତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସହଭାଗିତାରେ କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶ‌ଳରେ ପିଲାଙ୍କୁ ଶିକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ଇଣ୍ଟରନେଟ୍‌ ସହ ସେମାନେ ଜଡ଼ିତ ହୋଇପାରିବେ। ମଧୁ ଆପ୍‌, ଦୀକ୍ଷା ଆପ୍‌, ୟୁଟ୍ୟୁବ୍‌ ମାଧ୍ୟମରେ ସମସ୍ତ ଶିକ୍ଷା ସମ୍ବନ୍ଧୀୟ ଜ୍ଞାନକୌଶଳକୁ ଉପଯୋଗୀ କରାଇପାରିବେ। ଏହାବ୍ୟତୀତ କ୍ରୀଡ଼ା କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି। ୫ ହଜାର ହାଇସ୍କୁଲରେ ଖେଳ ପଡ଼ିଆ ସହ ପିଇଟି ଶିକ୍ଷକ ନିଯୁକ୍ତି ଉପରେ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟରେ ସୁନ୍ଦର ଓ ସବୁଜ ପରିବେଶ, ଉନ୍ନତ ଶୌଚାଳୟ ସାଙ୍ଗକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କରାଯିବ। ଶିକ୍ଷକମାନଙ୍କୁ ତାଲିମ୍‌ ମିଳିବ। ୨୦୨୪ ପୂର୍ବରୁ ଏସବୁ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର