ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳାର ସ୍ଥିତି ବିପର୍ଯ୍ୟସ୍ତ। ମହିଳା ନିର୍ଯାତନା ବଢ଼ି ଚାଲିଛି। ଲଗାତାର ୧୬ ଦିନ ଧରି ବିଧାନସଭାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ କଂଗ୍ରେସ ଆନ୍ଦୋଳନ କଲା ପରେ ବି ସରକାର କିଛି ପଦକ୍ଷେପ ନେଲେନାହିଁ। ଏହାର ପ୍ରତିବାଦରେ ଗତ ୨୭ ତାରିଖରେ କଂଗ୍ରେସର ବିଧାନସଭା ଘେରାଉରେ ଦଳର କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଗଲା। ପୂର୍ବ ସରକାର ସମୟରେ ବିରୋଧୀ ଦଳର ଥିବା ବିଜେପି ଆନ୍ଦୋଳନ କରି ନ ଥିଲା କି? ବିଜେପି ନେତା ବିଧାନସଭାରେ ଡାଲି, ଚପଲ ଫିଙ୍ଗିଥିଲେ। ଏବେ ବିରୋଧୀଙ୍କ ଆନ୍ଦୋଳନକୁ ବିଜେପି କାହିଁକି ସହିପାରୁନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ।
କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକି ଦେବେ
ଶ୍ରୀ କାଡ଼ାମ ମଧ୍ୟ ପୁଲିସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପୁଲିସ ଡିଜି ଏକ ରାଜନୈତିକ ଦଳର ସଂଗଠକ ଭାବେ ମନ୍ତବ୍ୟ ଦେଉଛନ୍ତି। ସେ ଗୋଟିଏ ଦଳର କର୍ମୀ ନୁହନ୍ତି, ତାଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷାର ଦାୟିତ୍ୱ ଦିଆଯାଇଛି। ରାଜ୍ୟର ମା’ ମାନଙ୍କ ସୁରକ୍ଷା ପାଇଁ ଡିଜି କାହିଁକି ଆଗେଇ ଆସୁନାହାନ୍ତି? କିନ୍ତୁ କଂଗ୍ରେସ କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଗଲା। କଂଗ୍ରେସ କର୍ମୀ କ’ଣ ଆତଙ୍କବାଦୀ କି? ଯେଉଁମାନେ ଆଗରୁ ଦଙ୍ଗା ଭିଆଉଥିଲେ ସେମାନେ ଆଜି ସରକାରରେ। ଏହାକୁ କଂଗ୍ରେସ ଡରିବ ନାହିଁ। ମା’ ମାନଙ୍କୁ ସୁରକ୍ଷା ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ପଛକୁ ହଟିବ ନାହିଁ।
ସେ ଆହୁରି ମଧ୍ୟ କହିଥିଲେ, ବିଜେପି ସରକାର କିଛି ନିର୍ଦ୍ଦିଷ୍ଟ ଏଜେଣ୍ଡା ନେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅସ୍ତ୍ର କରି ରାଜ୍ୟର ଖଣି ପାଣି ଲୁଟ୍ ହେଉଛି। ଓଡ଼ିଶାର ଅଧାରୁ ଅଧିକ ଖଣିରୁ କିଛି ଗୁଜୁରାଟ ଖଣି ନିଗମକୁ ଦିଆଯାଇଛି। କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାର ଯୌତୁକ ହିସାବରେ କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକି ଦେବା ଭଳି ଆଶଙ୍କା ପ୍ରକାଶ ପାଇଲାଣି। କୋଟିଆରେ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରୁଛି। ମାତ୍ର ଓଡ଼ିଶା ସରକାର ନିରବ। ରାଜ୍ୟବାସୀ ବିଜେପିକୁ ୨୦ ସାଂସଦ ଦେଇଛନ୍ତି। ବିଜେପି ଇସ୍ତାହାରରେ କହିଥିଲା ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ସ୍ୱତନ୍ତ୍ର ବିକାଶ କରାଯିବ। ମାତ୍ର ଓଡ଼ିଶାର ଯିଏ କ୍ଷତି କରୁଛି, କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ତାଙ୍କୁ ପୁରସ୍କାର ଦିଆଯାଉଛି। କୋଟିଆର ସବୁ ଗାଁରେ ଉତ୍କଳ ଦିବସ ପାଳନ ସହ ୨୦ ହଜାରରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି ଶ୍ରୀ କାଡ଼ାମ କହିଛନ୍ତି।