ସ୍ବାସ୍ଥ୍ୟ ଭିତ୍ତିଭୂମିର ଚିତ୍ର ଲୁଚାଇବାକୁ ସରକାର ବିଭ୍ରାନ୍ତ କରୁଛନ୍ତି: ଲେଖାଶ୍ରୀ

ଲେଖାଶ୍ରୀ ମିଛ କହୁଛନ୍ତି: ଇପ୍‌ସିତା

ଭୁବନେଶ୍ବର : ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀ ବୁଧବାର ୮୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହି ବିପୁଳ ଅର୍ଥ ଅତୀତର ନା ବର୍ତ୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ? ଏତେ ବିପୁଳ ପରିମାଣ ଅର୍ଥର ବ୍ରେକ-ଅପ୍ ତଥା ସଂପୂର୍ଣ୍ଣ ତଥ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ ହେବା ଦରକାର ବୋଲି ବି‌ଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହାର ପ୍ରତିବାଦରେ ବିଜେଡି ପ୍ୟାନେଲିଷ୍ଟ ଇପ୍ସିତା ସାହୁ କହିଛନ୍ତି ଯେ ଲେଖାଶ୍ରୀ ମିଛ କହୁଛନ୍ତି। ସରକାରଙ୍କ ସଫଳ କୋଭିଡ୍‌ ପରିଚାଳନାରେ ବିଜେପି ଈର୍ଷାନ୍ବିତ ହୋଇଯାଇଛି।

ଶ୍ରୀମତୀ ସାମନ୍ତସିଂହାର ଆଜି କହିଛନ୍ତି ଯେ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଡାକ୍ତର ଅଭାବ, କୋଭିଡ ପରିଚାଳନ‌ାରେ ବିଫଳତା, କୋଭିଡ୍‌ ପୀଡ଼ିତ ଏବଂ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ଧୂଆଁବାଣ। ନିଜ ରାଜ୍ୟରେ ରୋଗୀ ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରୁଥିବା ବେଳେ ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ସରକାର ବାହାବା ନେଉଛନ୍ତି। ଟେକ୍ନିକାଲ ଷ୍ଟାଫ୍ ଅଭାବରୁ ବହୁ ଭେଣ୍ଟିଲେଟର୍‌ ଅଚଳ ହୋଇପଡ଼ିଛି। ରାଜ୍ୟରେ ନକଲି ଔଷଧ କାରବାର ବେଧଡ଼କ ଚାଲିଥିବା ବେଳେ ସରକାର ନିଜର ଅପାରଗତା ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ଲୁଚାଇବାକୁ ଯାଇ ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଛନ୍ତି।

ଲେଖାଶ୍ରୀଙ୍କ ମନ୍ତବ୍ୟ ଉପରେ ମତ ଦେଇ ବିଜେଡିର ପ୍ୟାନେଲିଷ୍ଟ ଇପ୍ସିତା ସାହୁ କହିଛନ୍ତି ଯେ ସାରା ଦେଶରେ ଯେତେବେଳେ ଅକ୍ସିଜେନ୍ ଅଭାବ ଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବହୁ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହୋଇଥିଲା। ବାଲେଶ୍ବର ଓ ପିପିଲି ଉପନିର୍ବାଚନରେ ଟିକେଟ୍ ନ ପାଇବାର ଦୁଃଖ ତାଙ୍କ ମନରୁ ଯାଇ ନଥିବାରୁ ସେ ବାରମ୍ବାର ମିଛ ଗପ ଶୁଣାଉଛନ୍ତି। ନିଜର ରାଜନୈତିକ ଅଭିସନ୍ଧି ପୂରଣ ପାଇଁ ସରକାରଙ୍କ ସଫଳ କାର୍ଯ୍ୟକୁ ବିରୋଧ କରି ବିଜେପିର ଏଭଳି ମନଗଢ଼ା ଓ ମିଥ୍ୟା ପ୍ରଚାରକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେନି।

ସମ୍ବନ୍ଧିତ ଖବର