କୌଣସି ସରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି: ରୁବେନ୍

ଓଡ଼ିଶା ନିର୍ମାଣ କନକ୍ଲେଭ

ଭୁବନେଶ୍ୱର : ପ୍ରତ୍ୟେକ ଖବରର ଦୁଇଟି ପକ୍ଷ ରହିଛି। ଖବର ପରିବେଷଣ କଲା ବେଳେ ‌କେବଳ ଗୋଟିଏ ପକ୍ଷକୁ ନେଇ ଖବର ଲେଖିହେବ ନାହିଁ। ଉଭୟ ପକ୍ଷକୁ ଗୁରୁତ୍ବ ଦେବାକୁ ହେବ। ମାତ୍ର ଦୁର୍ଭାଗ୍ୟବଶତଃ ଏବେ ଭାରତୀୟ ଗଣମାଧ୍ୟମର ରାଜନୀତିକରଣ ଓ ଧ୍ରୁବୀକରଣ ହୋଇସାରିଛି। ଗୋଟିଏ ଚ୍ୟାନେଲ୍ ସଂପୂର୍ଣ୍ଣ ଦକ୍ଷିଣ ପନ୍ଥୀ ତ ଆଉ ଗୋଟିଏ ଚ୍ୟାନେଲ କିମ୍ବା ୱେବସାଇଟ୍ ସଂପୂର୍ଣ୍ଣଭାବେ ବାମପନ୍ଥୀ। ଯାହାଫଳରେ କେଉଁଠି ହେଲେ ବି ସରକାରଙ୍କୁ ଗଠନମୂଳକ ସମାଲୋଚନା ଦେଖିବାକୁ ମିଳୁନାହିଁ। ବର୍ତମାନର ପରିସ୍ଥିତିରେ ଖବର ପରିବେଷଣରେ ସନ୍ତୁଳନ ବଜାୟ ରଖିବା କଷ୍ଟକର ହୋଇପଡ଼ୁଛି ବୋଲି କନକ ନ୍ୟୁଜ୍‌ର ଓଡ଼ିଶା ନିର୍ମାଣ କନକ୍ଲେଭ୍‌ ୨୦୨୧ରେ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀ।

କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ରଙ୍କ ସହିତ ଆଲୋଚନା ସମୟରେ ଶ୍ରୀ ବାନାର୍ଜୀ କହିଥିଲେ ଯେ ଆଜିର ସମୟରେ ଶାସକମାନେ ବେଶ୍‌ ଅହଂକାରୀ ହୋଇଯାଇଛନ୍ତି। ସେମାନେ କୌଣସି ପ୍ରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଗଣମାଧ୍ୟମଠାରୁ କେବଳ ୨ଶହ ପ୍ରତିଶତ ବିଶ୍ବସ୍ତତା ଚାହୁଁଛନ୍ତି। ଯାହାଫଳରେ ସମସ୍ୟା ସୃଷ୍ଟି ହେଉଛି। ‘ଆଉଟଲୁକ୍‌’ ଭଳି ମାଗାଜିନ୍‌ର ସଂପାଦକ ଥିବା ସମୟରେ କେନ୍ଦ୍ରଠାରୁ ଆରମ୍ଭ କରି ଅନେକ ରାଜ୍ୟ ଲେଖାକୁ ନେଇ ଅଭିଯୋଗ କରିଛନ୍ତି। ଅନେକ ସମୟରେ ସେସବୁ ସରକାରଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି। ହେଲେ ସେମାନେ ସମାଲୋଚନାକୁ ପସନ୍ଦ କରନ୍ତି ନାହିଁ। ମମତାଙ୍କଠାରୁ ଆରମ୍ଭ କରି ନବୀନ, କେସିଆର, ଜଗନ ରେଡ୍ଡୀ ଭଳି କୌଣସି ସରକାର ସମାଲୋଚନା ଶୁଣିବାକୁ ଚାହାନ୍ତି ନାହିଁ, କେବଳ ଗଣମାଧ୍ୟମକୁ ଅଧୀନରେ ରଖିବାକୁ ଚାହାନ୍ତି। ଏପରିକି ମାଗାଜିନ୍‌ରେ ପ୍ରକାଶିତ ଲେଖାକୁ ନେଇ ଅଭିଯୋଗ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।

ଦେଶରେ ଛତୁ ଫୁଟିଲା ଭଳିଆ ଚ୍ୟାନେଲ୍‌ ଓ ୱେବସାଇଟ୍‌ ଖୋଲୁଛି। କୌଣସି ଗଣମାଧ୍ୟମର ବ୍ୟବସାୟିକ ମଡେଲ ଠିକ୍ ନାହିଁ। ଏକାଧିକ କାରଣ ପାଇଁ ଗଣମାଧ୍ୟମ ଆଜି ଅର୍ଥ ରୋଜଗାର କରିବାରେ ବିଫଳ। ଗୋଟିଏ ଖବରକାଗଜ ଛାପିବା ଲାଗି ଯେତିକି ଅର୍ଥ ଖର୍ଚ ହେଉଛି ତା’ଠାରୁ କମ୍ ମୂଲ୍ୟରେ ଏହା ବିକ୍ରି ହେଉଛି। ବାଧ୍ୟହୋଇ ଗୋଟିଏ ଗଣମାଧ୍ୟମକୁ ବିଜ୍ଞାପନ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଜିର ସମୟରେ ସବୁଠାରୁ ବଡ଼ ବିଜ୍ଞାପନଦାତା ହେଉଛନ୍ତି ସରକାର। ଏଭଳି ପରିସ୍ଥିତିରେ ଜଣେ ମୁକ୍ତ ସାମ୍ବାଦିକତା କରିପାରିବ ନାହିଁ। ଅନ୍ୟପଟରେ ଗଣମାଧ୍ୟମ କର୍ପୋରେଟ୍‌ ଅଧୀନରେ ରହିବା, ରାଜନୀତିକରଣ ପରେ ଏବେ ଅସହିଷ୍ଣୁତା ବୃଦ୍ଧି ପାଇଛି। କୌଣସି ପ୍ରକାର ସମାଲୋଚନାକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ତେଣୁ ଦେଶର ଗଣମାଧ୍ୟମ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ବୋଲି କୁହାଯାଇପାରେ।

ସେ ଆହୁରିମଧ୍ୟ କହିଥିଲେ ଯେ ସାମ୍ବାଦିକତା ବଞ୍ଚି ରହିବାକୁ ହେଲେ ଗଣମାଧ୍ୟମକୁ ଆର୍ଥିକ ଦୃଷ୍ଟିରୁ ସଫଳ ହେବାକୁ ପଡ଼ିବ। ତେଣୁ ଲୋକମାନଙ୍କୁ ଖବର ପାଇଁ ଟଙ୍କା ଦେବାକୁ ହେବ। ଯଦି ଲୋକମାନେ ଖବର ପାଇଁ ଟଙ୍କା ଖର୍ଚ କରିବାକୁ ଚାହିଁବେ ନାହିଁ ଗଣମାଧ୍ୟମ ମୁକ୍ତ ହୋଇପାରିବ ନାହିଁ। ଆଉ ଯଦି ଗଣମାଧ୍ୟମ ମୁକ୍ତ ହେବ ନାହିଁ, ଆମ ଗଣତନ୍ତ୍ର ସୁଦୃଢ଼ ରହିପାରିବନି। କ୍ଷମତାରେ ଥିବା ବ୍ୟକ୍ତିମାନଙ୍କୁ ପ୍ରଶ୍ନ କରିବା ହେଉଛି ଗଣମାଧ୍ୟମର ଦାୟିତ୍ବ। ଦେଶର ଆଗଧାଡ଼ିର ଗଣମାଧ୍ୟମ ଗୁଡ଼ିକ ନିଜର ବ୍ୟାବସାୟିକ ମଡେଲ ପାଇଁ ଚୁପ୍ ବସିଛନ୍ତି। ତଥାପି ଅନେକ ୱେବସାଇଟ୍‌, ୟୁଟ୍ୟୁବ୍ ଚ୍ୟାନେଲ୍‌ ଏବେ ବି ସଚ୍ଚୋଟ ସାମ୍ବାଦିକତା କରୁଛନ୍ତି।

ଶ୍ରୀ ବାନାର୍ଜୀ ଓଡ଼ିଶ ସଂପର୍କରେ କହିଥିଲେ ଯେ ୨୦୦୦ ମସିହା ଭିତରେ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆସିଛି। ରାଜ୍ୟରେ ଯଦି କିଛି ଭଲ ହୋଇ ନ ଥାନ୍ତି ତାହାଲେ ଗୋଟିଏ ସରକାର ବାରମ୍ବାର ନିର୍ବାଚିତ ହେଉ ନ ଥାନ୍ତା। ତା ଅର୍ଥ କ’ଣ ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବା ଛାଡ଼ିଦେବ? ଜଗନ୍ନାଥ ରତ୍ନଭଣ୍ଡାର ନେଇ ନ୍ୟାୟିକ ତଦନ୍ତ ହୋଇଥିବା ବେଳେ ଏଥିପାଇଁ ୨୨ଲକ୍ଷ ଟଙ୍କା ଖର୍ଚ ହୋଇଥିଲା। ହେଲେ ଏହାର ରିପୋର୍ଟ କେଉଁଠି? ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ। ସରକାରଙ୍କୁ ଆଇନା ଦେଖାଇବା ଗଣମାଧ୍ୟମର ଦାୟିତ୍ବ। ଓଡ଼ିଶା ଗଣମାଧ୍ୟମ ମଧ୍ୟ କ୍ଷମତାସୀନ ସରକାରକୁ ପ୍ରଶ୍ନ ପଚାରିବା ଉଚିତ୍।

ନବୀନଙ୍କ ସହ ଘନିଷ୍ଠତା ନୁହେଁ, ପ୍ରବେଶ ରହିଥିଲା
ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି। ଏହି ପୁସ୍ତକ ସଂପର୍କରେ କାର୍ଯ୍ୟକ୍ରମରେ ସୂଚନା ଦେଇ ଶ୍ରୀ ବାନାର୍ଜୀ କହିଥିଲେ ଯେ ନବୀନଙ୍କ ଉପରେ ବହି ଲେଖିଲା ବେଳେ ମନରେ କେବଳ ଗୋଟିଏ ଚିନ୍ତା ରହିଥିଲା ଯେ ଏହି ପୁସ୍ତକକୁ ନେଇ ଲୋକମାନେ ମୋର ବିଚାର କରିବେ। ତେଣୁ ପୁସ୍ତକରେ ମତେ ନିରପେକ୍ଷ ହେବାକୁ ପଡ଼ିବ। ଯେଉଁଠାରେ ନବୀନ ପ୍ରଶଂସାର ପାତ୍ର ସେଠାରେ ପ୍ରଶଂସା କରିବା ସହିତ ଯେଉଁଠାରେ ସମାଲୋଚନା ଆବଶ୍ୟକ ତାହା କରିଛି। ଏବେ ପାଠକମାନେ ତାହାର ବିଚାର କରିବେ। ତେବେ ନବୀନଙ୍କ ସହିତ ମୋର ଘନିଷ୍ଠତା ନ ଥିଲା କେବଳ ତାଙ୍କ ପାଖରେ ପ୍ରବେଶ ଥିଲା ବୋଲି ସେ କହିଛନ୍ତି।

ସାମ୍ବାଦିକଙ୍କୁ ଲୋକସେବା ଭବନ ବାରଣକୁ ନେଇ ପ୍ରଶ୍ନ ଉଠାଇଲେ
ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଗତ ୨ବର୍ଷ ହେବ କୌଣସି ସାମ୍ବାଦିକକୁ ଲୋକସେବା ଭବନକୁ ଛଡ଼ା ଯାଉନାହିଁ। ତେବେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀ। ଶ୍ରୀ ବାନାର୍ଜୀ କହିଛନ୍ତି ଯେ କୌଣସି ରାଜ୍ୟରେ ସଚିବାଳୟକୁ ସାମ୍ବାଦିକଙ୍କ ପ୍ରବେଶ ମନା ନାହିଁ। ମାତ୍ର ଓଡ଼ିଶାରେ ଲୋକସେବା ଭବନ/ସଚିବାଳୟକୁ ସାମ୍ବାଦିକମାନଙ୍କୁ ମହାମାରୀ ବାହାନରେ ବାରଣ କରାଯାଇଛି। ଯଦି ଗଣମାଧ୍ୟମକୁ ଲୋକସେବା ଭବନକୁ ଛଡ଼ାଯିବ ନାହିଁ ତାହାଲେ ସରକାରଙ୍କୁ କିଏ ପ୍ରଶ୍ନ କରିବ। ଓଡ଼ିଶା ଗଣମାଧ୍ୟମ ଏ ନେଇ ପ୍ରଶ୍ନ କରୁନାହିଁ କାହିଁକି? ମୁଁ ଯଦି ଏଠାରେ ରହୁଥାନ୍ତି ତାହାଲେ ନିଶ୍ଚିତଭାବେ ଏହାକୁ ନେଇ ପ୍ରଶ୍ନ କରିଥାନ୍ତି ବୋଲି ଶ୍ରୀ ବାନାର୍ଜୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର