ପୁଲିସ ଦାୟିତ୍ୱହୀନତାରୁ ସରକାର ବଦନାମ୍‌

ମାହାଙ୍ଗାରୁ ମହାଲିଙ୍ଗ ସବୁଠି ଅବହେଳା ଜଳଜଳ

ଭୁବନେଶ୍ୱର : କଳାହାଣ୍ଡି ମହାଲିଙ୍ଗସ୍ଥିତ ସନସାଇନ୍ ଇଂଲିସ୍‌ ମିଡିୟମ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରି ପୋଡ଼ିଦେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରି ସାରିଥିଲେ ମଧ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ଆନ୍ଦୋଳନ ମୁଣ୍ଡ ଟେକିଛି। ଏଭଳି ସମୟରେ ତମାମ ଘଟଣାରେ ପୁଲିସର ଦାୟିତ୍ବହୀନତା ଓ ଅବହେଳା କଥା ମଧ୍ୟ ସାମ୍ନାକୁ ଆସିଛି। ପୁଲିସ ଆରମ୍ଭରୁ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ନକରିବା ଏବଂ ପରବର୍ତ୍ତୀ ସମୟରେ ପୁଲିସ ହେପାଜତରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହୋଇଯିବା ଘଟଣା ବିଜେଡି ସରକାରକୁ ହରଡ଼ଘଣାରେ ପକାଇ ଦେଇଛି।

ଗତ ୮ ତାରିଖରେ ମମିତା ନିଖୋଜ ହେବା ପରେ ୯ ତାରିଖରେ ପରିବାର ଲୋକ କଳାହାଣ୍ଡି କେ. ଗାଁ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ମମିତା ବଲାଙ୍ଗୀରରେ ନିଖୋଜ ହୋଇଥିବା ଦର୍ଶାଇ ସେମାନଙ୍କୁ ଫେରାଇ ଦେଇଥିଲା। ଯଦି ପୁଲିସ ଆରମ୍ଭରୁ ଅଭିଯୋଗ ଉପରେ ତଦନ୍ତ କରିଥାନ୍ତା, ତାହେଲେ ପ୍ରଥମରୁ ମାମଲାର ପର୍ଦ୍ଦାଫାସ୍ ହୋଇ ପାରିଥାନ୍ତା। କିନ୍ତୁ ପୁଲିସ କୁଆଡ଼େ ଗୋବିନ୍ଦର ଇସାରାରେ ଚାଲୁଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ସେହିପରି ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଫେରାର ହୋଇଯିବା ଘଟଣାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି। କାରଣ ଗୋବିନ୍ଦ କୌଣସି ଛୋଟ ମାମଲାରେ ଅଟକ ନ ଥିଲା। ଟିଟଲାଗଡ଼ ପୁଲିସ ବାରାକ୍‌ରେ ଗୋବିନ୍ଦକୁ ୪ ଦିନ ଅଟକ ରଖିବା ପରେ ବି ପୁଲିସ ତା’ ନିକଟରୁ ସତ ଉଗାଳି ପାରିନଥିଲା କି ତା’କୁ କୋର୍ଟରେ ହାଜର କରି ନ ଥିଲା। ତେଣୁ ପୁଲିସ ଏହି ମାମଲାରେ ଗୋବିନ୍ଦକୁ ସୁରକ୍ଷା ଯୋଗାଇବାକୁ ଅଟକ ରଖିଥିଲା ବୋଲି ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା; ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ବାରାକ୍‌ରୁ ବିଜୁଳି କାଟ ହେବା ଏବଂ ଏହାର ସୁଯୋଗ ନେଇ ଗୋବିନ୍ଦ ଫେରାର ହୋଇଯିବା ଘଟଣା ପୁଲିସର ଭୂମିକାକୁ ସ‌ନ୍ଦେହ ଘେରକୁ ଟାଣି ଆଣିଥିଲା।

Hindustan Times

‌କେବଳ ମହାଲିଙ୍ଗ ମମିତା ହତ୍ୟା ଘଟଣା ନୁହେଁ; ଗତ ବର୍ଷକ ଭିତରେ ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ଏଭଳି ଏକାଧିକ ଘଟଣାରେ ରାଜ୍ୟ ପୁଲିସର ଭୂମିକା ସନ୍ଦେହ ଭିତରେ ରହିଛି। ଗତ ଜାନୁଆରି ୨ ତାରିଖରେ ମାହାଙ୍ଗା କୁଳମଣି ବରାଳ ଓ ଦିବ୍ୟସିଂ ବରାଳଙ୍କୁ ଡବଲ୍ ମର୍ଡର ମାମଲାରେ ମଧ୍ୟ ପୁଲିସ କାର୍ଯ୍ୟଶୈଳୀ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ସେମାନଙ୍କ ଭିତରେ ଥିବା ଗଣ୍ଡଗୋଳ ମାମଲା ପୂର୍ବରୁ ଅନେକ ଥର ଥାନାକୁ ଯାଇଥିଲେ ମଧ୍ୟ ପୁଲିସ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗ ଆସିଥିଲା। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳକୁ ପୁଲିସ ଗିରଫ କରିପାରି ନ ଥିଲା। ଶେଷରେ ରହସ୍ୟଜନକ ଭାବେ ଟାଙ୍ଗୀ ନିକଟରେ ଟ୍ରକ୍‌ ଧକ୍କାରେ ଅଭିଯୁକ୍ତର ମୃତ୍ୟୁ ଘଟଣା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସନ୍ଦେହ ଭିତରକୁ ଟାଣି ଆଣିଥିଲା। ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣି ବିରୋଧୀ ଦଳମାନେ ମଧ୍ୟ ସରକାରକୁ ଘେରିଥିଲେ। ପରେ ଚାର୍ଜସିଟ୍‌ରୁ ମନ୍ତ୍ରୀଙ୍କ ନାଁ କଟାଯିବା ଘଟଣା ଆଉ ଏକ ସନ୍ଦେହ ଛିଡ଼ା କରିଥିଲା।

ସେହିପରି ନୟାଗଡ଼ ଯଦୁପୁରର ବହୁଚର୍ଚ୍ଚିତ ପରୀ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ‌କରିଥିଲା। ୨୦୨୦ ଜୁଲାଇ ୧୪ ତାରିଖରେ ପରୀ ଘର ଆଗ ରାସ୍ତାରେ ଖେଳୁଥିବା ବେଳେ ରହସ୍ୟଜନକ ଭାବେ ନିଖୋଜ ହୋଇଗଲା। ୧୭ରେ ପରିବାର ଲୋକ ଥାନାରେ ଅଭିଯୋଗ କଲେ। ୨୩ରେ ବାଡ଼ି ପଛପାଖ ପୋଖରୀ ନିକଟରୁ ଏକ ଅଖାରୁ ହାଡ଼, ଖପୁରୀ ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇ ଯାଇଥିଲା। କିନ୍ତୁ ପୁଲିସ ଆରମ୍ଭରୁ ନିରବ ରହିଥିଲା। ଯାହାକୁ ନେଇ ପରେ ବିରାଟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୨୦ ନଭେମ୍ବର ୨୪ରେ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ପରୀ ବାପା ଅଶୋକ ସାହୁ ଓ ମା ସୌଦାମିନୀ ଆତ୍ମାହୁତି ଉଦ୍ୟମ କରିବା ପରେ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତ ଘଣ୍ଟ ଘୋଡ଼ାଇବା ଅଭିଯୋଗ କରି ବିରୋଧୀ ରାଜରାସ୍ତାରେ ଗର୍ଜିଥିଲେ। ଶେଷରେ ପ୍ରାୟ ମାସେ ପରେ ଡିସେମ୍ବର ୨୦ ତାରିଖରେ ଏସ୍‌ଆଇଟି ଏହି ବର୍ବର କାଣ୍ଡ ଘଟାଇଥିବା ସେହି ଗାଁର କଲେଜ ଛାତ୍ରକୁ ପୁଲିସ ଗିରଫ କରିଥିଲା। ଆରମ୍ଭରୁ ପୁଲିସ ମାମଲାର ତଦନ୍ତ ଠିକ୍ ଦିଗରେ କରିଥିଲେ ପ୍ରକୃତ ଅଭିଯୁକ୍ତ ଧରା ପଡ଼ି ଯାଇଥାନ୍ତା ଏବଂ ନୟାଗଡ଼ରୁ ଭୁବନେଶ୍ବର ଯାଏ ଏତେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା।

ଅନୁରୂପ ଭାବେ ଖୋର୍ଦ୍ଧା ବେଗୁନିଆରେ ଘଟିଥିବା ବାପା ପୁଅଙ୍କୁ ଅମାନବୀୟ ଭାବେ ମାଡ଼ ମରାଯିବା ଘଟଣାରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା। ଏପରିକି ବହୁଚର୍ଚ୍ଚିତ ସତ୍ୟବ୍ରତ ନାୟକ ହତ୍ୟା ମାମଲାର ପ୍ରାୟ ମାସେ ପରେ ମଧ୍ୟ ମାନସକୁ ଗିରଫ କରିବାକୁ ସାହସ କରୁ ନ ଥିଲା ପୁଲିସ। ଏହା ପରେ ଏକାଧିକ ରାଜନେତାଙ୍କ ସହ ସମ୍ପର୍କ ପଦାକୁ ଆସିବା ପରେ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଳେ। ସରକାର ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିବାରୁ ଶେଷରେ ସେପ୍ଟେମ୍ବର ୨ ତାରିଖରେ ମାନସ ଓ ତାର ପୁଅ ମନୋରଞ୍ଜନକୁ ଭୁବନେଶ୍ବରରୁ ଗିରଫ କରିଥିଲା ଖୋର୍ଦ୍ଧା ପୁଲିସ।

ଏଭଳି ଅନେକ ସମ୍ବେଦନଶୀଲ ମାମଲାରେ ଆରମ୍ଭରୁ ପୁଲିସର ନିରବତା ଓ ଦାୟିତ୍ବହୀନତାକୁ ନେଇ ବାରମ୍ବାର ପ୍ରଶ୍ନ ଛିଡ଼ା ହୋଇଛି। ଥାନା କିମ୍ବା ତୃଣମୂଳ ସ୍ତରରେ ପୁଲିସର ଏଭଳି କାର୍ଯ୍ୟ ପାଇଁ ଅନେକ ସମୟରେ ବିଭାଗକୁ ବଦନାମ୍ ହେବାକୁ ପଡ଼ୁଛି। କିନ୍ତୁ ପୁଲିସର ବଡ଼ପଣ୍ଡାମାନେ ଏଭଳି ଘଟଣାରେ ଆଖି ବୁଜି ଦେଉଛନ୍ତି। ଯେଉଁଥିପାଇଁ ସାଧାରଣରେ ପୁଲିସର ଛବି ମଳିନ ପଡ଼ୁଥିବା ବେଳେ ସାଧାରଣ ଲୋକଙ୍କ ଆସ୍ଥା ହରାଇବାରେ ଲାଗିଛି।

ସମ୍ବନ୍ଧିତ ଖବର