କର୍ପୋରେଟ୍ ହାଉସ ମର୍ଜିରେ ଚାଲିଛି ସରକାର: ଚେଲ୍ଲା କୁମାର

ଢିଙ୍କିଆରେ କଂଗ୍ରେସ ତଥ୍ୟ ଅନୁସନ୍ଧାନ କମିଟି

ଜଗତସିଂହପୁର : ଏ ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ କର୍ପୋରେଟ୍ ହାଉସ୍‌କୁ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛି। ଏଣୁ କର୍ପୋରେଟ୍ ହାଉସ୍‌ ମର୍ଜିରେ ସରକାର ଚାଲିଛି ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର ଅଭି‌ଯୋଗ କରିଛନ୍ତି। ଢିଙ୍କିଆରେ ଶନିବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଚେଲ୍ଲା କୁମାରଙ୍କ ନେତୃତ୍ବରେ ଏକ ତଥ୍ୟ ଅନୁସନ୍ଧାନ କମିଟି ପହଞ୍ଚି ଢିଙ୍କିଆ ଗାଁରେ ପଦ‌ଯାତ୍ରା କରିବା ସହ ପୁଲିସ ମାଡ଼ରେ ଆହତ ଗ୍ରାମବାସୀଙ୍କୁ ସାକ୍ଷାତ କରିବା ଅବସରରେ ସାଂସଦ ଉପରୋକ୍ତ ମର୍ମରେ କଂଗ୍ରେସ ଶେଷ ପର୍ଯ୍ୟନ୍ତ ଏହି ନିରୀହ ଗ୍ରାମବାସୀ ସହ ରହିବ ବୋଲି ପ୍ରତିଶ୍ରୁତି ଦେବା ସହ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ।

ଶନିବାର ଦିନ ୧୧ଟାରେ ଚେଲ୍ଲା କୁମାରଙ୍କ ନେତୃତ୍ବରେ ଏହି ତଥ୍ୟ ଅନୁସନ୍ଧାନ କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ଅଂଶୁମାନ ମହାନ୍ତି, ଡ.ଲଲାଟେନ୍ଦୁ ମହାପାତ୍ର, ରାମଚନ୍ଦ୍ର ଖୁଣ୍ଟିଆ, କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ, ଜିଲ୍ଲା କଂଗ୍ରେସ୍‌ ସଭାପତି ନଟବର ବାରିକ ପ୍ରମୁଖ ଶୋଭଯାତ୍ରାରେ ଗାଁ ବୁଲିଥିଲେ। ଏହି ନେତାମାନଙ୍କୁ ପୁଲିସ ମାଡ଼ରେ ଶରୀରରେ ହୋଇଥିବା କ୍ଷତ ଚିହ୍ନକୁ ଗ୍ରାମବାସୀ ଦେଖାଇଥିଲେ। ଏହାପରେ ଗାଁର ଫୁଲଖାଇ ମନ୍ଦିର ନିକଟରେ ସମସ୍ତେ ଏକାଠି ହୋଇଥିଲେ। ସେଠାରେ ପୂର୍ବତନ ବିଧାୟକ ଡ. ଶ୍ରୀ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଶତାଧିକ ଗ୍ରାମବାସୀ ଏକାଠି ହୋଇଥିଲେ।

ସେମାନଙ୍କୁ ସମ୍ବୋଧନ କରି ଚେଲ୍ଲା କୁମାର କହିଲେ ‌ଯେ, ଏହି ଲଢ଼େଇରେ କଂଗ୍ରେସ ଗ୍ରାମବାସୀଙ୍କ ସହ ରହିଛି। ଯଦିଓ ଜଙ୍ଗଲ ଜମିରେ ଗ୍ରାମବାସୀ ଚାଷ କରୁଛନ୍ତି, ତଥାପି ଏମିତି ଢଙ୍ଗରେ ତାଙ୍କ ଠାରୁ ଜମି ଛଡ଼ାଇନେବାକୁ ରାଜ୍ୟ ସରକାରଙ୍କୁ କିଏ ଅଧିକାର ଦେଲା ବୋଲି ସେ ପ୍ରଶ୍ନ କରିଥିଲେ। ଜନଗହଳି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରା ନଯାଇ ଅନ୍ୟ ସ୍ଥାନରେ ଏଥିପାଇଁ ଜାଗା ଚିହ୍ନଟ କରାଯାଉ‌ ବୋଲି ସେ ଦାବି କରିଛନ୍ତି। ଏହାସହ ଗାଁରୁ ପୁଲିସ ପ୍ରତ୍ୟାହାର, ଗିରଫ କରାଯାଇଥିବା ଆନ୍ଦୋଳନକାରୀମାନଙ୍କୁ ଖଲାସ, ସେମାନଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହାର ଓ ଜୋରଜବରଦସ୍ତ ଜମି ଛଡ଼ାଇ ନିଆଯାଉଥିବା ଗ୍ରାମବାସୀ ରଖିଥିବା ୪ଟି ଦାବି ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ ବୋଲି ଚେଲ୍ଲା କୁମାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲାକୁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଉଠାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର