ନୟାଗଡ଼ରେ ନୂତନ ଶିଳ୍ପ ନେଇ ସରକାର ନିରବ

ବିଧାନସଭାରେ ପ୍ରଶ୍ନ ପରେ ଚର୍ଚ୍ଚାରେ ଚିନିକଳ, ଚିନିକଳ ବନ୍ଦ ପରେ ୭ଟି ଜିଲ୍ଲାର ଚାଷୀ ପ୍ରଭାବିତ

ନୟାଗଡ଼ : ସାରା ରାଜ୍ୟ‌ରେ ଖ୍ୟାତି ଅର୍ଜନ କରିଥିବା ନୟାଗଡ଼ ଚିନି ପ୍ରାୟ ୭ ବର୍ଷରୁ ଅଧିକ ସମୟ ଆଉ ଦେଖିବାକୁ ମିଳୁନାହିଁ। ଚିନିକଳ ବନ୍ଦ ‌ହେବା ପରେ ଆଖୁ ଚାଷ ମାଟିରେ ମିଶିଛି। ତେବେ ସଦ୍ୟସମାପ୍ତ ବିଧାନସଭା‌ ଅଧିବେଶନରେ ନୟାଗଡ଼ ଚିନିକଳ ସମ୍ପର୍କିତ ପ୍ରଶ୍ନ ଓ ଉତ୍ତର ପୁଣି ନୟାଗଡ଼ର ଅଚଳ ଚିନିକଳକୁ ଚର୍ଚ୍ଚାକୁ ଆଣିଛି। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ ଏନେଇ ସରକାରଙ୍କୁ ପ୍ରଶ୍ନ କରିଥି‌ଲେ। ତେବେ ନୟାଗଡ଼ରେ ନୂତନ ଚିନିକଳ ବା ଅନ୍ୟ ଶିଳ୍ପ ପ୍ରତିଷ୍ଠା କରି ବେକାରଙ୍କୁ ରୋଜଗାରକ୍ଷମ କରିବା ପ୍ରଶ୍ନରେ ସରକାର ନିରବ ରହିଥିବା ଦେଖାଯାଇଛି।

ଚିନି ଶିଳ୍ପ ବନ୍ଦ ହୋଇଯିବା ପରେ ନୟାଗଡ଼ ଜିଲ୍ଲା ଶିଳ୍ପବିହୀନ ହୋଇପଡ଼ିଥିବା, ଏହାକୁ ପୁଣି ଚାଲୁ କରିବା, ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ସ୍ଥାପନ କରି ବେକାର ଯୁବକ-ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରଶ୍ନ ଉଠାଇଥିଲେ। ତେବେ ସମବାୟ ମନ୍ତ୍ରୀ ନୟାଗଡ଼ ଚିନିକଳ ନେଇ ଚାଲିଥିବା ମାମଲା କଥା ଦେହରାଇଛନ୍ତି।‌ ନୟାଗଡ଼ରେ ନୂତନ ଶିଳ୍ପ ନେଇ ସରକାର ନିରବ ରହିଥିବା ଦେଖାଯାଇଛି। ସେହିଭଳି ଧାମନଗର ବିଧାୟକ ଶ୍ରୀ ସେଠୀ, ନୟାଗଡ଼ ଚିନିକଳ ବନ୍ଦ ପରେ ନୟାଗଡ଼ ସମେତ ଭଦ୍ରକ, କଟକ, ବାଲେଶ୍ବର ଭଳି ଜିଲ୍ଲାର ପ୍ରାୟ ୧୨ ହଜାର ଆଖୁଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ନୟାଗଡ଼ ଚିନିକଳ ଚଳାଇବା ଦାୟିତ୍ବ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀ ସେଠୀ ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ, ସମବାୟ ମନ୍ତ୍ରୀ ହାଇକୋର୍ଟରେ ଚାଲିଥିବା ମାମଲା କଥା କହିଛନ୍ତି। ମାମଲା ଶେଷ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ‌ତେବେ ୧୯୮୨ ମସିହାରେ ପ୍ରତିଷ୍ଠିତ ଉକ୍ତ ଚିନିକଳ ବନ୍ଦ ପଡ଼ିଥିବା ବେଳେ, ନୂତନ ଚିନିକଳ ପ୍ରତିଷ୍ଠା କରି ଜିଲ୍ଲାର ଆଖୁଚାଷୀଙ୍କୁ ସହାୟ ହେବା ନେଇ ସରକାରଙ୍କ ନିରବତା ନୟାଗଡ଼ ଜିଲ୍ଲାବାସୀଙ୍କୁ ‌ହତୋତ୍ସା‌ହିତ କରୁଛି। ସରକାର ନୟାଗଡ଼, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲାର ଆଖୁଚାଷୀଙ୍କୁ ଦୃଷ୍ଟିରେ ରଖି ନୟାଗଡ଼ ଚିନିକଳ ସ୍ଥାପନ କରିଥିଲେ। ଭଦ୍ରକ, ବାଲେଶ୍ବର ଭଳି ଜିଲ୍ଲାର ଚାଷୀ ମଧ୍ୟ ଉପକାର ପାଉଥିଲେ। ଚିନିକଳ ବନ୍ଦ ଫଳରେ ୭ଟି ଜିଲ୍ଲାର ଆଖୁଚାଷୀ ପ୍ରଭାବିତ ହୋଇଛନ୍ତି।

YouTube

ତ୍ରୈଲୋକ୍ୟ କହୁଛନ୍ତି : ‘ମତେ ୧୪୭୦ କୋଟି ଦିଅ’, ଚାଷୀ କହୁଛନ୍ତି: ‘ଆମ ଟଙ୍କା ନେଇ ସେ ଫେରାର!’
ଏଣେ ଜିଲ୍ଲା ଶିଳ୍ପ ବିହୀନ, ଲୋପ ପାଇଲାଣି ଆଖୁ ଚାଷ
ସକରାର ବିଧାନସଭାରେ ଦେଇଥିବା ଉତ୍ତର ମୁତାବକ କ୍ରୟବିକ୍ରୟ ସୂତ୍ରରେ ନୟାଗଡ଼ ସମବାୟ ଚିନିକଳକୁ ନୟାଗଡ଼ ସୁଗାର କମ୍ପ୍ଲ‌େକ୍ସକୁ ୨୦୦୪-୦୫ ମସିହାରୁ ବିକ୍ରି କରିଦିଆଯାଇଛି। ୪ ଏପ୍ରିଲ ୨୦୧୫ରୁ ନୟାଗଡ଼ ସୁଗାର କମ୍ପ୍ଲ‌େକ୍ସ ଚିନିକଳକୁ ବନ୍ଦ ରଖିଥିବାରୁ ଚାଷୀ, ଶ୍ରମିକ, କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ତେବେ ନୟାଗଡ଼ ସୁଗାର କମ୍ପ୍ଲ‌େକ୍ସ ସରକାରଙ୍କଠାରୁ ୧୪୭୦ କୋଟି ୬୮ ଲକ୍ଷ ଟଙ୍କା ଦାବି କରି ହାଇକୋର୍ଟରେ ଏକ ଆର୍ବିଟେସନ ମାମଲା କରିଛନ୍ତି। ଏଣେ ଆଖୁ ଚାଷୀ, ଶ୍ରମିକଙ୍କ ପାଉଣା ବକେୟା ରଖିଥିବା ନେଇ ଶ୍ରମିକ ଓ ଚାଷୀଙ୍କ ଅଭିଯୋଗ ମଧ୍ୟ ରହିଛି। ତେବେ ଏଭଳି ବାଦବିବାଦ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଆଖୁଚାଷ ଲୋପ ପାଉଥିବା ବେଳେ, ଜିଲ୍ଲା ଶିଳ୍ପବିହୀନ ହୋଇପଡ଼ିଛି। ତେବେ ଚିନିକଳ କ୍ରୟ କରିବା ସମୟରେ ଉତ୍ପାଦନ ନିମନ୍ତେ ସରକାର ସ୍ଥାନୀୟ ଅଞ୍ଚଳରେ ଯେଉଁ ଭିତ୍ତିଭୂମି ମ‌ତେ ଯୋଗାଇ ଦେବେ ବୋଲି କହିଥିଲେ, ତାହା କଲେ ନାହିଁ, ମତେ ଚିନିକଳ ଚଳାଇ ଦିଆନଯିବାରୁ ମୋର କ୍ଷତି ହୋଇଛି, ଏଥିନେଇ ମୁଁ ମାମଲା କରିଛି ‌ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର