ଅଧ୍ୟକ୍ଷ ଆସୁନାହାନ୍ତି, କାର୍ଯ୍ୟାଳୟ ଦାୟିତ୍ବରେ କିଏ?
ତଦନ୍ତ ଅପେକ୍ଷାରେ ୭ ଲକ୍ଷ ସତ୍ୟପାଠ
ସରକାରୀ ତହବିଲ୍ରୁ ଗଲାଣି ୬.୧୯ କୋଟି
କଟକ : ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ ଅତୀତରେ ରାଜ୍ୟ ଉଠୁଥିଲା, ପଡୁଥିଲା। କିନ୍ତୁ ଏବେ ସରକାର ଚିଟ୍ଫଣ୍ଡ୍ ତଦନ୍ତକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ, ସେ ନେଇ ସରକାର କିଛି କହୁ ନ ଥିବାବେଳେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ ଗତ ଜୁନ୍ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ବି ସରକାରଙ୍କ ପକ୍ଷରୁ ଏହି ପ୍ରସଂଗରେ କିଛି ଉତ୍ତର ମିଳିନାହିଁ। ସରକାରଙ୍କୁ ଚିଠି ପରେ ମଧ୍ୟ ବକ୍ସିବଜାର ପୁଲିସ ଲାଇନସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟର ଦାୟିତ୍ବ ନେବା ପାଇଁ ସରକାର କାହାକୁ ପଠାଉନାହାନ୍ତି। କାର୍ଯ୍ୟାଳୟରେ କମ୍ପ୍ୟୁଟର, ଆସବାବପତ୍ର, ଗୁରୁତ୍ବପୂର୍ଣ୍ଣ ରେକର୍ଡ ଓ ଲକ୍ଷାଧିକ ସତ୍ୟପାଠ ପଡ଼ିରହିଛି। ତେଣୁ ଏହି ସବୁର ଦାୟତ୍ବ କିଏ ନେବେ, ତାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ଚିଟ୍ଫଣ୍ଡ୍ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦ ଫେବ୍ରୁଆରି ୪ରୁ ଶେଷ ହୋଇଥିବାବେଳେ ସରକାର ଏହି ପ୍ରସଂଗରେ ଚୁପ୍ ରହିଛନ୍ତି। କାର୍ଯ୍ୟକାଳ ବୃଦ୍ଧି ନ ହେବାରୁ ୨୦୨୦ ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସୁନାହାନ୍ତି।
ରାଜ୍ୟରେ ଚିଟ୍ଫଣ୍ଡ୍ କେଳେଙ୍କାରୀ କାୟା ବିସ୍ତାର କରିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ୍ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସ୍ରେ ଆଉ ଏକ ପ୍ରସଂଗ ଯୋଡ଼ି ୨୦୧୫ ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସ୍ରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନିଗୁଡ଼ିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷଥର ୨୦୧୯ ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୂରିବାକୁ ଯାଉଥିବାବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହାପରେ ୨୦୧୫ ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫେରେନ୍ସ୍ରେ ସଂଶୋଧନ କରି ସରକାର ୨୦୧୯ ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍ଭେଷ୍ଟର୍)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସ୍ରେ ରହିଥିଲା। କିନ୍ତୁ ୨୦୧୯ ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ(ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟଫଣ୍ଡରେ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଆଶା ମଉଳି ଯାଇଥିଲା।
ମିଳିଥିବା ତଥ୍ୟ ଅନୁସାରେ, କମିସନ୍ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଅନ୍ୟପକ୍ଷରେ କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ଖୁବ୍ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବାବେଳେ କାର୍ଯ୍ୟକାଳ ଆଉ ବଢ଼ି ନଥିଲା। ଅନ୍ୟପକ୍ଷରେ ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ୍ ୨୦୧୮ ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮ ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟପାଠ ଦାଖଲର ସମୟସୀମା ୨୦୧୯ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଓ ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠଗୁଡ଼ିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡ଼ି ରହିଛି। ଏହି ସତ୍ୟପାଠର କଣ ଭବିଷ୍ୟତ ତାହା ଏବେ କହିବା କଷ୍ଟକର।
ଚିଟଫଣ୍ଡ ତଦନ୍ତକୁ ନେଇ ଏଭଳି ବିଚିତ୍ର ଅବସ୍ଥା ଦେଖାଦେଇଥିବାବେଳେ ଏ ପର୍ଯ୍ୟନ୍ତ ଚିଟଫଣ୍ଡ ତଦନ୍ତ ପାଇଁ ୬.୧୯ କୋଟିରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଗଲାଣି। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଘଟଣା ବିରଳ ବୋଲି କୁହାଯାଉଛି। କିନ୍ତୁ ଏତେଟଙ୍କା ଖର୍ଚ୍ଚ ପରେ ମଧ୍ୟ ଫଳ ଶୂନ ବୋଲି ଅଭିଯୋଗ ହେଉଛି। କାରଣ ଏ ପର୍ଯ୍ୟନ୍ତ ତଦନ୍ତ ସଂପୂର୍ଣ୍ଣ ହୋଇ ପାରି ନାହିଁ। କେବେ ସରିବ ତାହା କହିବା କଷ୍ଟ କୁହାଯାଉଥିବା ବେଳେ ସରକାର ତଦନ୍ତ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ ବା ନାହିଁ ସେ ନେଇ ମଧ୍ୟ ସ୍ଥିତି ଅସ୍ପଷ୍ଟ।