ଭୁବନେଶ୍ୱର: ରାଷ୍ଟ୍ରଦୀପ ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ଜ୍ବଳ ଆଲୋକବର୍ତ୍ତିକା। ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ। ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରିୟ, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ। ସମାଜରେ ଜାଗରଣ ଓ ସଚେତନତା ଆଣିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ। ଷାଠିଏ ବର୍ଷ ଧରି ‘ରାଷ୍ଟ୍ରଦୀପ’ ଏହି କାର୍ଯ୍ୟ ନିରନ୍ତର କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ  ମୋହନଚରଣ ମାଝୀ କହିଛନ୍ତି। 
ଜୟଦେବ ଭବନରେ ଆୟୋଜିତ ‘ରାଷ୍ଟ୍ରଦୀପ’ ପତ୍ରିକାର ଷାଠିଏ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ,  ଗଣମାଧ୍ୟମ ସମାଜର ଆଖି ଓ କାନ ପରି କାର୍ଯ୍ୟ କରିଥାଏ। ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସମସ୍ୟା ପ୍ରତି ଆମ ସରକାର ଅବଗତ ଅଛନ୍ତି। ବିଭିନ୍ନ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ସରକାରଙ୍କର ନିକଟରେ ଉପସ୍ଥାପନ କରାଯାଇଥିବା ଦାବିଗୁଡ଼ିକୁ ପୂରଣ କରିବା ଦିଗରେ କ’ଣ କରାଯାଇ ପାରିବ, ଏଥିପ୍ରତି ଆମେ ସମ୍ବେଦନଶୀଳ ଅଛୁ। ସମସ୍ୟାର ସମାଧାନ ପାଇଁ ଆମେ ସକ୍ରିୟତା ପୂର୍ବକ ଚିନ୍ତା କରୁଛୁ। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଗଣମାଧ୍ୟମ ଅଧିକରୁ ଅଧିକ ପାଠକ ବା ଦର୍ଶକ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ପେସାଦାର ମନୋଭାବ ଓ ସମାଜ ପ୍ରତି ଦାୟିତ୍ୱବୋଧର ଭାବନା ନେଇ କାର୍ଯ୍ୟ କଲେ ଏହା ସମାଜ ପାଇଁ ମଙ୍ଗଳମୟ ହେବ। ସମାଜ କ’ଣ ଚାହୁଛି, ବିଶେଷ କରି ସରକାରଙ୍କ ଠାରୁ ଏହା କ’ଣ ଆଶା କରୁଛି, ଏସବୁ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ତଥା ଲେଖକ ଓ ଚିନ୍ତକ ଇଣ୍ଡିଆ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ରାମ ମାଧବ ଯୋଗଦେଇ ରାଷ୍ଟ୍ରୀୟ ବିଚାର ଆଧାରିତ ପତ୍ରିକାର ଗୁରୁତ୍ବ ସମ୍ପର୍କରେ ମତ ଦେଇଥିଲେ। ଆଜିର ପରିବର୍ତ୍ତନଶୀଳ ସମାଜରେ ରାଷ୍ଟ୍ରଦୀପ ଭଳି ରାଷ୍ଟ୍ରବାଦୀ ଖବରକାଗଜ ସର୍ବଦା ରାଷ୍ଟ୍ରର ହିତରେ ଓ ରାଷ୍ଟ୍ରୀୟତା ଚେତନାର ପ୍ରଚାରକ ସାଜିଛି ବୋଲି କହିଥିଲେ। ଏହି ଉପଲକ୍ଷେ ‘ସାମଜିକ ସମରସତା ବିଶେଷାଙ୍କ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ରାଷ୍ଟ୍ରଦୀପର ସଭାପତି ଅନୁପ କୁମାର ବୋଷ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ରାଷ୍ଟ୍ରଦୀପର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର, ଶିବନାରାୟଣ ସିଂହ, ପୂର୍ବତନ ସହସମ୍ପାଦକ ବିପିନ ବିହାରୀ ରାଉତ ଓ ପୂର୍ବତନ ପରିଚାଳକ ଧ୍ରୁବଚରଣ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। ରାଷ୍ଟ୍ରଦୀପ ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ। ପରିଚାଳକ ଜ୍ୟୋତିପ୍ରକାଶ ମିଶ୍ର, କୁଳମଣି ପ୍ରଧାନ, ଆଶୁତୋଷ ମହାପାତ୍ର, କରୁଣାକର ସ୍ୱାଇଁ, ଅରଜିତ ପାଣ୍ଡେ, ବିକ୍ରମ ରାଉତ, ଗଣନାଥ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।