ଶୈଳବାଳାଙ୍କ ‘ଗିଫ୍ଟ ଡିଡ୍‌’ର ଉଲ୍ଲଂଘନ କରୁଛନ୍ତି ସରକାର

ନାରୀ ଶିକ୍ଷା ପାଇଁ ଦାନ କରିଥିଲେ; କବ୍‌ଜା କରୁଛି ସଂସ୍କୃତି ବିଭାଗ

କଟକ : ଶୈଳବାଳା ସ୍ବୟଂଶାସିତ ମହିଳା କଲେଜର ଜମି ସଂସ୍କୃତି ବିଭାଗ ନେବାପାଇଁ ହୋଇଥିବା ଉଦ୍ୟମ ଏବେ ବିବାଦର କାରଣ ହୋଇଛି। ଆଜି ଯେଉଁଠି କଲେଜ ଛିଡ଼ା ହୋଇଛି, ତାହା ଥିଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସଂପତ୍ତି। ଉତ୍କଳ ଗୌରବଙ୍କ ଝିଅ ଶୈଳବାଳା ଦାସ ରାଜ୍ୟରେ ନାରୀ ଶିକ୍ଷାର ବିକାଶ ପାଇଁ ଏହି ଜମିକୁ ‌ଟେକି ଦେଇଥିଲେ। ତେଣୁ ତାଙ୍କରି ନାମରେ ନାମିତ ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ଉତ୍କଳ ଗୌରବଙ୍କ କୋଠା ଓ ଜାଗାକୁ ୧୯୫୨ ଫେବୁଆରି ୨ ତାରିଖରେ ଝିଅ ଶୈଳବାଳା ଦାସ ଗିଫ୍ଟ ଡିଡ୍‌ରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଫଳରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ୧୯୧୩ରେ ପ୍ରତିଷ୍ଠିତ ରାଜ୍ୟର ଏହି ପ୍ରଥମ ତଥା ଦେଶର ତୃତୀୟ ମହିଳା କଲେଜ ବର୍ତ୍ତମାନର ଜାଗାକୁ ସ୍ଥାନାନ୍ତର ହୋଇଥିଲା। ଗିଫ୍ଟ ଡିଡ୍‌ରେ ଶୈଳବାଳା ଉଲ୍ଲେଖ କରିଥିଲେ ଯେ ମଧୁସ୍ମୃତି ଭବନର ଉପର ମହଲାରେ ଥିବା ଦୁଇଟି କୋଠରିକୁ ଛାଡ଼ି ଅନ୍ୟ ସମସ୍ତ ଗୃହକୁ ନାରୀଶିକ୍ଷା ପାଇଁ ବ୍ୟବହାର କରାଯିବ। ଉକ୍ତ ଦୁଇଟି କୋଠରିରେ ମଧୁବାବୁଙ୍କ ବ୍ୟବହାର ସାମଗ୍ରୀ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ରଖାଯିବ। ମଧୁବାବୁଙ୍କ ସାମଗ୍ରୀକୁ ମଧୁ ସ୍ମୃତି ଛଡା ଅନ୍ୟସ୍ଥାନକୁ ନନେବାକୁ ଶୈଳବାଳାଙ୍କ ପକ୍ଷରୁ ଏଥିରେ ଲେଖା ଯାଇଛି। ମାତ୍ର ୨୦୦୭ରେ ସରକାରଙ୍କ ସଂସ୍କୃତି ବିଭାଗ ଉକ୍ତ ଡିଡ୍‌କୁ ଅଣଦେଖା କରି କଲେଜ ନିକଟରେ ଏକ ସ୍ବତନ୍ତ୍ର ସଂଗ୍ରହାଳୟ କରି ମଧୁବାବୁଙ୍କ ବ୍ୟବହାର ସ‌ାମଗ୍ରୀକୁ ସେଠାରେ ରଖିବା ଦିଗରେ ପଦକ୍ଷେପ ନେଇଥିଲା। ଏପଟେ ଏବେ ଶୈଳବାଳାର ମଧୁ ସ୍ମୃତି, ଖେଳ ପଡ଼ିଆ ଓ ନୂତନ ହଷ୍ଟେଲକୁ ସଂସ୍କୃତି ବିଭାଗ ନେବାକୁ ବସିବା ଘଟଣା ଅସନ୍ତୋ‌ଷର କାରଣ ହୋଇଛି।

କଲେଜ୍‌ର ସୁରକ୍ଷା ପାଇଁ ଆନ୍ଦୋଳନ ହେବ: ପୁରାତନ ଛାତ୍ରୀ ସଂସଦ

TheBigger.com

ରାଜ୍ୟର ପ୍ରଥମ ‌ମହିଳା କଲେଜକୁ ଭିତ୍ତିଭୂମି ନଥିବା ଦର୍ଶାଇ ପୂର୍ବରୁ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ କରିଥିଲେ ସରକାର। ଏବେ ସେହି କଲେଜର ଜାଗାକୁ ନେବାକୁ ଉଦ୍ୟମ ଚାଲିଛି। ଶୈଳବାଳାକୁ ଅଧିକ ଜାଗା ଦେଇ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଦିଗରେ ସରକାର ପଦକ୍ଷେପ ନେବେ କି? ଏ ପ୍ରଶ୍ନ ଏବେ କଟକ ସହରବାସୀ ତଥା ଶୈଳବାଳା କଲେଜ ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ମନରେ ଉଙ୍କି ମାରୁଛି। ଏଭଳି ଘଟଣାରେ କଲେଜ ୟୁଜିସିରୁ ପାଉଥିବା ଅନେକ ସୁବିଧାରୁ ବଞ୍ଚିତ ହେବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।

ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଲେଜର ପୁରାତନ ଛାତ୍ରୀ ସଂସଦ। ସଂସଦର ସଂପାଦିକା ପୁଷ୍ପା ସାମଲ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ଆମକୁ ମାନସିକ ଭାବେ ଆଘାତ ଦେଇଛି। କଲେଜ ଆମକୁ ଅନେକ କିଛି ଦେଇଛି। ଏହାକୁ କେହି ଖଣ୍ଡ ବିଖଣ୍ଡିତ କରିପାରିବେ ନାହିଁ। ଏହାର ସୁରକ୍ଷା ପାଇଁ ଆମେ ସଂଗ୍ରାମ କରିବୁ। ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ପୁରାତନ ଛାତ୍ରୀ ସଂସଦର କୋଷାଧ୍ୟକ୍ଷ ଡକ୍ଟର ତପତି ଦାସ କହିଛନ୍ତି ଯେ ‌ମୋ କଲେଜ ଅଭିଯାନରେ ସରକାର ପୁରାତନ ଛାତ୍ରଛାତ୍ରୀଙ୍କୁ କଲେଜ ସହିତ ଯୋଡି ଏହାର ବିକାଶ କରୁଛନ୍ତି। ମାତ୍ର ଶୈଳବାଳା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଏହାର ଓଲଟା କରାଯାଉଛି।

ସମ୍ବନ୍ଧିତ ଖବର