ବୌଦ୍ଧ : ବୌଦ୍ଧ ବ୍ଲକ ବଘିଆପଡ଼ା ନୂଆପାଲି ନିକଟରେ ଥିବା ସରକାରୀ ଆଇଟିଆଇ ଅବ୍ୟବସ୍ଥା ଘେରରେ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସମାଧାନ ପାଇଁ ଅଧ୍ୟକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।

Advertisment

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ପାଣିର ଅଭାବ ରହିଛି। ଆକ୍ବାଗାର୍ଡ ଠିକ ଭାବରେ କାମ କରୁ ନାହିଁ। ପିଲାମାନେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ବିଦ୍ୟୁତ କାଟ୍‌ ହେଉଥିଲେ ସୁଦ୍ଧା ଇନଭର୍ଟରର ବ୍ୟବସ୍ଥା କରାଯାଉ ନାହିଁ। ଖେଳପଡ଼ିଆ ନଥିବାରୁ ଛାତ୍ରଛାତ୍ରୀମାନେ ଖେଳକୁଦରୁ ବଞ୍ଚିତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଲ୍‌ଇଡି ଟିଭି ପାଇଁ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଛନ୍ତି। ନିୟମିତ ପ୍ରାକ୍ଟିକାଲ ହେଉ ନଥିବା, ଆବଶ୍ୟକୀୟ ପୁସ୍ତକ ଓ ଉପକରଣ ଅଭାବ ଥିବାରୁ ପାଠ ପଢ଼ାରେ ବାଧ୍ୟା ସୃଷ୍ଟି ହେଉଛି। ଏହି ସବୁ ବିଷୟରେ ଅଭିଯୋଗ କଲେ ଅଧ୍ୟକ୍ଷ ଗାଳିଗୁଲଜ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଏ ବିଷୟରେ ଅଧ୍ୟକ୍ଷ ସତ୍ୟ ଶଙ୍କର ରାଜଙ୍କୁ ପଚାରିବାରେ ଗାଳି ଗୁଲଜ କରିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଆଇଟିଆଇ ନୂତନ ଜାଗାକୁ ସ୍ଥାନାନ୍ତରଣ ଯୋଗୁଁ କିଛି ସମସ୍ୟା ରହିଯାଇଛି। ୭ ଦିନ ମଧ୍ୟରେ ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।