୨୦୨୧ରୁ ୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସସୀମା ୩୮କୁ ବୃଦ୍ଧି

ଭୁବନେଶ୍ବର : କୋଭିଡ ପରବର୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବି ପାଇଁ ଦରଖାସ୍ତ ଓ ପରୀକ୍ଷା ଫି’ ଛାଡ଼ କରିଛନ୍ତି। ୨୦୨୧, ୨୦୨୨ ଓ ୨୦୨୩ ଏହି ୩ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସ ସୀମା କୋହଳ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ଦିନ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଅଧୀନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଓଡ଼ିଶା ଲୋକସେବା ଆୟୋଗ, ଏସ୍‌ଏସ୍‌ସି, ଅଧସ୍ଥନ କର୍ମଚାରୀ ଚୟନ ଆୟୋଗ, ପୁଲିସ ନିଯୁକ୍ତି ବୋର୍ଡଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁ ପଦବିମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ପାଇଁ ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିସ କରିବା ପାଇଁ କୁହାଯାଇଛି।

୨୦୨୧-୨୨ ଓ ୨୦୨୨-୨୩ ବର୍ଷରେ ବର୍ତମାନ ପର୍ଯ୍ୟନ୍ତ ଓପିଏସ୍‌ସି ଜରିଆରେ ୨୮୪୮ ପଦବି, ଏସ୍‌ଏସ୍‌ସି ଜରିଆରେ ୨୫୫୫ ପଦବି ଓ ଅଧସ୍ଥନ କର୍ମଚାରୀ ଚୟନ ଆୟୋଗ ଜରିଆରେ ୧୦୩୫୫ ପଦବି ପାଇଁ ପ୍ରାର୍ଥୀ ଚୟନ କରାଯାଇଛି। ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି। ଏହାବାଦ୍ ବର୍ତମାନ ଓପିଏସ୍‌ସି ୫୮୯୩ଟି ଗ୍ରୁପ୍-ଏ ଓ ଗ୍ରୁପ୍-ବି ପଦବି, ଏସ୍‌ଏସ୍‌ସି ୨୩୭୬ ଗ୍ରୁପ୍-ବି ଓ ଗ୍ରୁପ୍-ସି ପଦବି ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ଏମାନେ ସମସ୍ତେ ରାଜ୍ୟ କ୍ୟାଡର ଅନ୍ତଭୁର୍କ୍ତ ହେବେ। ସେହିପରି ଅଧସ୍ଥନ କର୍ମଚାରୀ ଆୟୋଗ ଜିଲ୍ଲା କ୍ୟାଡର ଅନ୍ତଭୁର୍କ୍ତ ଗ୍ରୁପ୍-ବି, ସି ପଦବି ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖିଛନ୍ତି। ଏସବୁ ପଦବିରେ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।ବୈଠକରେ ପୁଲସ ମହାନିର୍ଦେଶକ ସୁନିଲ ବଂଶଲ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ଶାସନ ସଚିବ ଓ ଅଧସ୍ଥନ କମିସନ ଅଧ୍ୟକ୍ଷ ଶାଶ୍ବତ ମିଶ୍ର, ଏସ୍‌ଏସ୍‌ସି ଅଧ୍ୟକ୍ଷ ଅଭୟ, ଲୋକସେବା ଆୟୋଗ ସଚିବ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ ଆୟୋଗଙ୍କ ସଚିବ ଓ ବିଭାଗୀୟ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର